କନକ ବ୍ୟୁରୋ: ରାଜ୍ୟରେ ପୁଣି ଥରେ ଆଗୁଆ ନିର୍ବାଚନ ହେବାକୁ ନେଇ ଜୋର ଧରିଛି ଚର୍ଚ୍ଚା । ରାଜ୍ୟସ୍ତରୀୟ ମାଷ୍ଟର ଟ୍ରେନରମାନଙ୍କୁ ନିର୍ବାଚନ ପାଇଁ ତାଲିମ ଦିଆଯିବା ଓ ସିଇଓଙ୍କ ମାରାଥନ ବୈଠକ ପରେ ଏହି ଚର୍ଚ୍ଚା ଜୋର ଧରିଛି । ତେବେ ପ୍ରମୁଖ ରାଜନୈତିକ ଦଳ ବିଜେଡି ଓ ବିଜେପି କହିଛନ୍ତି, ଯେକୌଣସି ମୁହୂର୍ତରେ ନିର୍ବାଚନ ପାଇଁ ଆମେ ପ୍ରସ୍ତୁତ ।

Advertisment
  • ୨୪ ଜୁଲାଇ
  • ନିର୍ବାଚନ ପାଇଁ ଟ୍ରେନିଂ

ରାଜ୍ୟସ୍ତରୀୟ ମାଷ୍ଟର ଟ୍ରେନରମାନଙ୍କୁ ନିର୍ବାଚନ ପାଇଁ ତାଲିମ ପ୍ରଦାନ କରାଗଲା । ରାଜ୍ୟର ୮୫ ଜଣ ବରିଷ୍ଠ ଓ ଦକ୍ଷ ପ୍ରଶାସନିକ ଅଧିକାରୀମାନଙ୍କୁ ରାଜ୍ୟସ୍ତରୀୟ ମାଷ୍ଟର ଟ୍ରେନର ଭାବେ ପ୍ରଶିକ୍ଷଣ ଦିଆଗଲା । ସାଧାରଣ ନିର୍ବାଚନ ପାଇଁ ନାମାଙ୍କନ ପତ୍ର ଯାଞ୍ଚ, ପ୍ରାର୍ଥିପତ୍ର ପ୍ରତ୍ୟାହାର, ଭୋଟ୍ ଗ୍ରହଣ, ଆଦର୍ଶ ଆଚରଣ ବିଧି, ପୋଷ୍ଟାଲ ବାଲଟ ଗଣତି, ଫଳାଫଳ ସମ୍ପର୍କରେ ବିସ୍ତୁତ ପ୍ରଶିକ୍ଷଣ ଦିଆଯାଇଥିଲା ।

  • ୨୫ ଜୁଲାଇ
  • ତ୍ରୁଟିଶୂନ୍ୟ ଭୋଟର ତାଲିକା ପାଇଁ ସର୍ବଦଳୀୟ ବୈଠକ

ନିର୍ଭୁଲ ଭୋଟର ତାଲିକା, ବୁଥ ପୁନଃଗଠନ, ବୁଥସ୍ତରୀୟ ଏଜେଣ୍ଟ ନିଯୁକ୍ତ ନେଇ ସର୍ବଦଳୀୟ ବୈଠକ ଡକାଇଥିଲେ ମୁଖ୍ୟ ନିର୍ବାଚନ ଅଧିକାରୀ । ଏହି ବୈଠକରେ ବିଜେପି, ବିଏସପି, କମ୍ୟୁନିଷ୍ଟ ପାର୍ଟି, କଂଗ୍ରେସ, ଆମ୍ ଆଦମୀ ପାର୍ଟି ନେତୃମଣ୍ଡଳୀ ସାମିଲ ହୋଇଥିଲେ ।

  • ୨୭ ଜୁଲାଇ
  • ଜିଲ୍ଲାପାଳଙ୍କ ସହ ସିଇଓଙ୍କ ବୈଠକ

ତ୍ରୁଟିଶୂନ୍ୟ ଭୋଟର ତାଲିକା ପ୍ରସ୍ତୁତି ନିମନ୍ତେ ବୁଥସ୍ତରୀୟ ଅଧିକାରୀ ମାନଙ୍କ ଦ୍ୱାରା ରାଜ୍ୟରେ ଚାଲୁ ରହିଥିବା ସର୍ବେକ୍ଷଣକୁ ସଠିକ୍ ଭାବେ ତଦାରଖ କରିବାକୁ ଜିଲ୍ଲାପାଳଙ୍କୁ କହିଥିଲେ ସିଇଓ । ନୂତନ ଭୋଟରମାନଙ୍କର ବୟସ ୧୮ ପୂର୍ଣ୍ଣ ହୋଇଥିଲେ, ତାଙ୍କୁ ତୁରନ୍ତ ଭୋଟର ତାଲିକାରେ ସାମିଲ ପାଇଁ ନିର୍ଦ୍ଦେଶ ଦେଇଥିଲେ ସିଇଓ ।

  • ହେବ କି ଆଗୁଆ ନିର୍ବାଚନ?
  • ଚର୍ଚ୍ଚା ବଢ଼ାଇଲା ସିଇଓଙ୍କ ମାରାଥନ ବୈଠକ

ଏହି ସବୁ ପ୍ରସ୍ତୁତି ଆଗୁଆ ନିର୍ବାଚନ ପାଇଁ ଚର୍ଚ୍ଚା ବଢ଼ାଇଛି । ସିଇଓଙ୍କ କାର୍ଯ୍ୟାଳୟ ପକ୍ଷରୁ କୁହାଯାଉଛି, ଏ ହେଉଛି ୨୪ ନିର୍ବାଚନ ପାଇଁ ପ୍ରସ୍ତୁତି ଓ ରୁଟିନ୍ ୱାର୍କ । ସେପଟେ ପ୍ରମୁଖ ରାଜନୈତିକ ଦଳ ବିଜେଡି ଓ ବିଜେପି କହିଛନ୍ତି, ଯେକୌଣସି ମୁହୂର୍ତରେ ନିର୍ବାଚନ ପାଇଁ ଆମେ ପ୍ରସ୍ତୁତ ।

ସାଧାରଣ ନିର୍ବାଚନକୁ ଆହୁରି ୮ମାସରୁ ଅଧିକ ଦିନ ଥିବା ବେଳେ ରାଜ୍ୟରେ ରାଜନୈତିକ ମାହୋଲ ସରଗରମ ହେଉଛି । ଗୋଟିଏ ଗୋଟିଏ ପରେ ଜନହୀତକର ଯୋଜନା ଘୋଷଣଶ କରି ଜନମତକୁ ଆକୃଷ୍ଟ କରିବାକୁ ଉଦ୍ୟମ କରୁଛି ବିଜେଡି । ସେପଟେ ବିଜେପି ମଧ୍ୟ କେନ୍ଦ୍ର ନେତୃବୃନ୍ଦଙ୍କୁ ଆଣି ଜନସଭା କରୁଛି । କଂଗ୍ରେସ ମଧ୍ୟ କର୍ଣ୍ଣାଟକ, ଛତିଶଗଡ଼ ମଡେଲ ଆପଣାଇ ରଣନୀତି ପ୍ରସ୍ତୁତ କରୁଛି ।