ଡ୍ରାଇଭର ଖୋଲିବେ କି ଅର୍ଚ୍ଚନା ନାଗଙ୍କ କଳା ସାମ୍ରାଜ୍ୟର ଗୁମର? ହାଜର ହେବା ପରେ ଡ୍ରାଇଭରଙ୍କୁ ଗୁଡ଼ାଇ ତୁଡାଇ ପ୍ରଶ୍ନ କଲେ ଇଡି ଅଧିକାରୀ

336

କନକ ବ୍ୟୁରୋ: ଇଡିର ସମନ ପରେ ହାଜର ହୋଇଛନ୍ତି ଅର୍ଚ୍ଚନା ନାଗଙ୍କ ଗାଡି ଚାଳକ ଚନ୍ଦନ ଓରଫ ବାପି । ହାଜର ହେବା ପରେ ତାଙ୍କୁ ଇଡି ଅଧିକାରୀମାନେ ଗୁଡେଇ ତୁଡେଇ ପ୍ରଶ୍ନ କରିଛନ୍ତି । ସେ ସବୁବେଳେ ଅର୍ଚ୍ଚନାଙ୍କ ପାଖେ ପାଖେ ରହୁଥିବାରୁ, ଅର୍ଚ୍ଚନାଙ୍କ କଳା ସାମ୍ରାଜ୍ୟର କାହାଣୀକୁ ନେଇ ଅଧିକ ତଥ୍ୟ ହାସଲ କରିବାକୁ ତାଙ୍କୁ ପଚରାଉଚୁରା କରୁଛନ୍ତି ଇଡି ଅଧିକାରୀ । ଅର୍ଚ୍ଚନା କେଉଁ କେଉଁ ପ୍ରତିଷ୍ଠିତ ବ୍ୟକ୍ତିଙ୍କୁ ଭେଟୁଥିଲେ, କୁଆଡେ ଯାଉଥିଲେ, କେଉଁଠି ରହୁଥିଲେ? ପ୍ରାୟ ସବୁକଥା ଚନ୍ଦନ ଜାଣିଥିବାରୁ ତାଙ୍କୁ ଜେରା କରାଯିବା ପରେ ଆଗକୁ ବଡ ଲୋକଙ୍କ ନାଁ ସାମ୍ନାକୁ ଆସିବ ବୋଲି ଅନୁମାନ କରାଯାଉଛି । ଘନିଷ୍ଠ ଚନ୍ଦନଙ୍କୁ ଇଡି ଅଧିକାରୀ ପଚାରିଛନ୍ତି,

– କେଉଁ ସୁନା ବ୍ୟବସାୟୀଙ୍କଠାରୁ ଅର୍ଚ୍ଚନା ଆଣିଥିଲେ ଏତେ ସୁନା?
– କେଉଁ ବ୍ୟବସାୟୀ ଅର୍ଚ୍ଚନାଙ୍କ ପାଇଁ ତିଆରି କରିଥିଲେ ଘର?
– ଅର୍ଚ୍ଚନା ସାମ୍ରାଜ୍ୟର ସାରଥୀ ସାଜିଥିଲେ କି ଶ୍ରଦ୍ଧାଞ୍ଜଳି ?
– କେତେ ଲୋକଙ୍କୁ ନାଗଫାଶରେ ଫସାଇଛନ୍ତି ଅର୍ଚ୍ଚନା?
– କାହା ଭାଗରେ କେତେ ପଡୁଥିଲା ହନିଟ୍ରାପର ଟଙ୍କା?

ଦ୍ୱିତିୟ ଦିନ ଲାଗି ଇଡିରେ ପୁଣି ହାଜର ହୋଇଛନ୍ତି ଶ୍ରଦ୍ଧାଞ୍ଜଳି ବେହେରା । କିନ୍ତୁ ଇଡିରେ ହାଜର ହେବାକୁ ଯିବା ସମୟରେ ଗଣମାଧ୍ୟମ ପ୍ରତିନିଧିଙ୍କ କୌଣସି ପ୍ରଶ୍ନର ଉତର ଦେଇନାହାଁନ୍ତି ଶ୍ରଦ୍ଧାଞ୍ଜଳି । ସୂଚନା ଅନୁସାରେ ଦ୍ୱିତୀୟ ଦିନ ଲାଗି ଜେରା କରିଛନ୍ତି ଇଡି ଅଧିକାରୀ । ୨୩ତାରିଖରେ ଶ୍ରଦ୍ଧାଞ୍ଜଳିଙ୍କୁ ପ୍ରାୟ ୧୪ଘଂଟା ଧରି ଜେରା କରାଯାଇଥିଲା । ଏପରିକି ଅକ୍ଷୟ, ଶ୍ରଦ୍ଧାଞ୍ଜଳି ଏବଂ ଖଗେଶ୍ୱରଙ୍କୁ ମୁହାଁମୁହିଁ ପଚରାଉଚୁରା କରାଯାଇଥିଲା । ଶ୍ରଦ୍ଧାଞ୍ଜଳିଙ୍କଠାରୁ ପାଠ ଆରମ୍ଭ କରି ଅର୍ଚ୍ଚନାଙ୍କ ସହ ସମ୍ପର୍କରେ ଆସିବା ପର୍ଯ୍ୟନ୍ତ ସବୁ ଦିଗରୁ ଇଡି ପଚରାଉଚୁରା କରିଥିଲା । ଏହାଛଡା ସେମାନଙ୍କ ଆର୍ଥିକ କାରବାରକୁ ନେଇ ମଧ୍ୟ ଖୋଳତାଡ କରିଥିଲା । ପଚରାଉଚୁରାରୁ କିଛି ଗୁରୁତ୍ୱପୂର୍ଣ୍ଣ ତଥ୍ୟ ମିଳିଥିବାବେଳେ, ଆଉ କିଛି ଅଧିକ ତଥ୍ୟ ହାସଲ ପାଇଁ ପୁଣି ଡାକିଥିବା କୁହାଯାଉଛି ।

ବ୍ଲାକମେଲର ଅର୍ଚ୍ଚନା ନାଗଙ୍କ ସହ ବହୁ ବଡ ବଡ ଲୋକଙ୍କ ସମ୍ପର୍କ ଚର୍ଚ୍ଚା ଭିତରେ ବଡ ବୟାନ ଦେଇଛନ୍ତି ବରିଷ୍ଠ ନେତା ବିଜୟ ମହାପାତ୍ର । କହିଛନ୍ତି, ଏପର୍ଯ୍ୟନ୍ତ ଇଡିର ତଦନ୍ତ ଠିକ୍ ଚାଲିଛି । ଦେଖନ୍ତୁ ଆଗକୁ କଣ ହେଉଛି । ଯେଉଁମାନେ କଳା ଟଙ୍କା ରଖିଛନ୍ତିି ସବୁ ଇଡି ଫାସରେ ଛନ୍ଦି ହେବେ । ଆଗକୁ ଆହୁରି ବଡ ବଡ ନାଁ ଏହି ଘଟଣାରେ ସାମନାକୁ ଆସିବ ।

ହନିଟ୍ରାପ ମାମଲାରେ ଅର୍ଚ୍ଚନା ନାଗ, ତାଙ୍କ ସ୍ୱାମୀ ଜଗବନ୍ଧୁ ଚାନ୍ଦ, ଖଗେଶ୍ୱର ପାତ୍ର ଗିରଫ ହୋଇ ଜେଲରେ ଅଛନ୍ତି । ଏସବୁ ଭିତରେ ଇଡି ଖଗେଶ୍ୱର ପାତ୍ର, ମାମଲାକୁ ପଦାକୁ ଆଣିଥିବା ଶ୍ରଦ୍ଧାଞ୍ଜଳି ବେହେରା, ଫିଲ୍ମ ପ୍ରଯୋଜକ ଅକ୍ଷୟ ପରିଜାଙ୍କୁ ଜେରା କରିସାରିଛି । ସେହିପରି ଇଡିର ଅଧିକାରୀମାନେ ବିଧାୟକ ସୁଧୀର ସାମଲଙ୍କ ଭାଇ ଗଂଗାଧର ସାମଲଙ୍କୁ ମଧ୍ୟ ପଚରାଉଚୁରା କରିଛନ୍ତି । ଆଉ ଏମାନଙ୍କୁ ପଚରାଉଚୁରାରୁ ବହୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ତଦନ୍ତକାରୀ ଟିମ୍ ହାତରେ ଲାଗିଥିବା କୁହାଯାଉଛି ।