ଜେଲରୁ ମୁକୁଳିବେ କି ଦିଲ୍ଲୀ ମୁଖ୍ୟମନ୍ତ୍ରୀ? ଆଜି ଦିଲ୍ଲୀ ହାଇକୋର୍ଟରେ ଅନ୍ତରୀଣ ଜାମିନ୍ ଆବେଦନର ଶୁଣାଣି

143

କନକ ବ୍ୟୁରୋ: ଦିଲ୍ଲୀ ହାଇକୋର୍ଟରେ ଆଜି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଅନ୍ତରୀଣ ଜାମିନ ଆବେଦନର ଶୁଣାଣି ହେବ । ଗତକାଲି ହାଇକୋର୍ଟ ଏହି ମାମଲାର ଶୁଣାଣି କରି ରାୟ ସଂରକ୍ଷିତ ରଖିଥିଲେ କୋର୍ଟ । ଜଷ୍ଟିସ ସ୍ୱର୍ଣ୍ଣକାନ୍ତା ଶର୍ମାଙ୍କ ଅଦାଲତରେ ଉଭୟ ପକ୍ଷ ଯୁକ୍ତି ରଖିଥିଲେ । ଉଭୟ ପକ୍ଷଙ୍କ ଯୁକ୍ତି ଶୁଣିବା ପରେ କୋର୍ଟ ଆଜି ଅପରାହ୍ନ ପର୍ଯ୍ୟନ୍ତ ରାୟ ସଂରକ୍ଷିତ ରଖିଛନ୍ତି । ଦିଲ୍ଲୀ ମଦ ଦୁର୍ନୀତିରେ କିଙ୍ଗପିନ ଭୂମିକା ପାଇଁ କେଜ୍ରିୱାଲଙ୍କୁ ଗତମାସରେ ଗିରଫ କରାଯାଇଥିଲା । ଇଡି ହେପାଜତରେ ରହିବା ପରେ ଏବେ ତିହାର ଜେଲରେ ଅଛନ୍ତି ଅରବିନ୍ଦ କେଜ୍ରିୱାଲ । କେଜ୍ରିୱାଲଙ୍କ ଗିରଫ ସମୟ ସମ୍ପର୍କିତ ଯୁକ୍ତି ଉପରେ କଡ଼ା ଜବାବ ରଖି ଇଡି ପକ୍ଷରୁ ଅତିରିକ୍ତ ସଲିସିଟର ଜେନେରାଲ ଏସଭି ରାଜୁ କହିଥିଲେ ଯେ, ଅପରାଧୀଙ୍କୁ ଗିରଫ କରି ଜେଲରେ ହିଁ ରଖାଯାଏ । ଅପରାଧ କରିବେ ଏବଂ ନିର୍ବାଚନ ଥିବାରୁ ତାଙ୍କୁ ଗିରଫ କରାଯିବ ନାହିଁ ବୋଲି ଯୁକ୍ତି ଉପସ୍ଥାପନ କରିବା ସମ୍ପୂର୍ଣ୍ଣ ହାସ୍ୟାସ୍ପଦ । କୌଣସି ବିଚାରଧୀନ କଏଦୀଙ୍କ ଏଭଳି ଯୁକ୍ତି ଆଦୌ ଗ୍ରହଣୀୟ ନୁହେଁ ବୋଲି ଏଏସଜି କହିଥିଲେ ।

ଏହା ପୂର୍ବରୁ କେଜ୍ରିୱାଲଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ଅଭିଷେକ ମନୁ ସିଘଂଭି ନିଜର ଯୁକ୍ତି ଆରମ୍ଭ କରି କହିଥିଲେ ଯେ, ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ଗିରଫଦାରୀର ଏକମାତ୍ର ଉଦ୍ଦେଶ୍ୟ ହେଉଛି ତାଙ୍କୁ ଅପମାନିତ କରିବା । ଦିଲ୍ଲୀର ୭ଟି ଲୋକସଭା ଆସନରେ ବିଜେପିର ସବୁଠାରୁ ଶକ୍ତିଶାଳୀ ପ୍ରତିଦ୍ୱନ୍ଦ୍ୱୀ ହେଉଛି ଆପ୍ ଏବଂ ଏହାକୁ ଶକ୍ତିହୀନ କରିଦେବା ପାଇଁ ପ୍ରୟାସ ଚାଲିଛି ବୋଲି ସିଘଂଭି ଯୁକ୍ତି ରଖିଥିଲେ ।