ଘୁଞ୍ଚିବ କି ହାଇସିକ୍ୟୁରିଟି ନମ୍ବର ପ୍ଲେଟ ଲଗାଇବା ଡେଡଲାଇନ? ହାଇକୋର୍ଟଙ୍କ ନିର୍ଦ୍ଦେଶକୁ ପରିବହନ ବିଭାଗର ଅପେକ୍ଷା

137

କନକ ବ୍ୟୁରୋ: ଗାଡିରେ ହାଇସିକ୍ୟୁରିଟୀ ନମ୍ବର ପ୍ଲେଟ ଲଗାଇବାର ଡେଡଲାଇନ ସରି ଆସୁଥିବାବେଳେ, ଏବେ ସରକାର ଲୋକଙ୍କୁ ଆଉ କିଛି ଦିନ ସମୟ ଦେବେ ନା ଅକ୍ଟୋବର ପହିଲାରୁ ଜରମାନା ଆଦାୟ କରିବେ । ଏହାକୁ ନେଇ ଗାଡି ମାଲିକ ମାନେ ଚିନ୍ତାରେ ଥିବାବେଳେ ପ୍ରତିକ୍ରିୟା ରଖିଛନ୍ତି ପରିବହନ କମିଶନର ଅରୁଣ ବୋଥ୍ରା । ମାମଲା ହାଇକୋର୍ଟରେ ପହଁଚିଥିବାରୁ କହିଛନ୍ତି, କୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ସରକାର ସ୍ପଷ୍ଟିକରଣ ରଖିବେ । ହାଇକୋର୍ଟ ଯଦି ନିର୍ଦ୍ଦେଶ ଦେବେ ତାହେଲେ ସମୟ ସୀମାକୁ ବୃଦ୍ଧି କରାଯିବ ।

ହାଇସିକ୍ୟୁରିଟୀ ନମ୍ବରର ବିଶେଷତ୍ୱ ଓ ସମସ୍ୟାକୁ ନେଇ ପ୍ରଶ୍ନ ଉଠୁଥିବାବେଳେ, ସ୍ପଷ୍ଟିକରଣ ରଖିଛନ୍ତି ପରିବହନ କମିଶନର । କହିଛନ୍ତି, ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ପାଖାପାଖି ୨୬ଟି ରାଜ୍ୟରେ ହାଇ ସିକ୍ୟୁରିଟି ନମ୍ବର ପ୍ଲେଟକୁ ବାଧ୍ୟତାମୂଳକ କରାଯାଇଛି । ଏହି କ୍ରମରେ ଓଡ଼ିଶାରେ ମଧ୍ୟ ଏହାକୁ ଲଗାଯାଉଛି । ଏତେ ବଡ ମାତ୍ରାରେ ଏହି ପ୍ରକ୍ରିୟା ଚାଲିଥିବାରୁ ଲୋକଙ୍କୁ ଏଥିରେ ସମସ୍ୟା ହୋଇପାରେ । ତେବେ ସମସ୍ୟାର ସମାଧାନ ପାଇଁ ୨୪ଘଂଟିଆ କଷ୍ଟମର କେୟାର ଅଛନ୍ତି ।

କେବଳ ଏତିକି ନୁହେଁ ଆଗକୁ ରାଜ୍ୟରେ କାରର ପଛ ସିଟରେ ବସୁଥିବା ବ୍ୟକ୍ତି ବି ସିଟ୍ ବେଲଟ ଲଗାଇବା ବାଧ୍ୟତାମୂଳକ ହେବ ବୋଲି କହିଛନ୍ତି ଅରୁଣ ବୋଥ୍ରା । କିଛି ଦିନ ତଳେ କାରର ପଛ ସିଟରେ ବସି ସିଟ ବେଲ୍ଟ ନଲଗାଇଥିବାରୁ ବିଶିଷ୍ଟ ଶିଳ୍ପପତି ସାଇରସ୍ ମିସ୍ତ୍ରୀଙ୍କର ମୃତ୍ୟୁ ହୋଇଥିଲା । ଆଉ ସାଇରସଙ୍କ ମୃତ୍ୟୁ ପରେ କାର ପଛ ସିଟ୍ରେ ବସୁଥିଲେ ବି ସିଟ ବେଲ୍ଟ ଲଗାଇବା ବାଧ୍ୟତାମୂଳକ କରିବାକୁ କୁହାଯାଉଛି ।