ଭାରତରେ ବ୍ୟାପିଯିବ କି କରୋନାର ନୂଆ ଭୂତାଣୁ ‘ଓମିକ୍ରନ’? ଦିଲ୍ଲୀ ହସ୍ପିଟାଲରେ ଭର୍ତ୍ତି ହେଲେ ୧୨ ‘ଓମିକ୍ରନ’ ସନ୍ଦିଗ୍ଧ

210

କନକ ବ୍ୟୁରୋ: ଓମିକ୍ରନ’ସଂକ୍ରମିତ ଦେଶରୁ ଭାରତକୁ ଆସିଥିବା ୧୬ ହଜାର ଯାତ୍ରୀଙ୍କ ଉପରେ ନଜର ରଖିଛନ୍ତି ଭାରତ ସରକାର । ସେମାନଙ୍କ ମଧ୍ୟରୁ ୧୮ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ନମୁନାକୁ ଜିନୋମ ସିକ୍ୱେସିଂ ପାଇଁ ପଠାଯାଇଛି । ସେପଟେ ଦିଲ୍ଲୀରେ ୧୨ଜଣ ସନ୍ଦିଗ୍ଧ ‘ଓମିକ୍ରନ’ ସଂକ୍ରମିତ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ସେମାନଙ୍କ ଠାରେ ‘ଓମିକ୍ରନ’ ଭଳି ଲକ୍ଷଣ ରହିଛି । ସେପଟେ ମହାରାଷ୍ଟ୍ରରେ ମଧ୍ୟ ୨୮ଜଣଙ୍କ ଠାରେ ଏହି ଭୂତାଣୁ ଥିବା ସନ୍ଦେହ କରାଯାଉଛି । କିନ୍ତୁ ସୌଭାଗ୍ୟର କଥା ହେଉଛି, ସେମାନଙ୍କ ଠାରେ ସାମାନ୍ୟ ଲକ୍ଷଣ ରହିଛି ଓ କେହି ଗୁରୁତର ହୋଇନାହାନ୍ତି ।

ଗୁରୁବାର ଦିନ କର୍ଣ୍ଣାଟକରେ ଓମିକ୍ରନ ଭୂତାଣୁ ଆକ୍ରାନ୍ତ ଚିହ୍ନଟ ହେବା ପରେ ପୂରା ଭାରତରେ ତତ୍ପରତା ପ୍ରକାଶ ପାଇଛି । ଦିଲ୍ଲୀରେ ଓମିକ୍ରନ ସନ୍ଦେହରେ ଗତ ଦୁଇ ଦିନରେ ୧୨ ଜଣଙ୍କୁ ଲୋକନାୟକ ଜୟପ୍ରକାଶ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଶୁକ୍ରବାର ଯେଉଁ ୪ ଜଣ ସନ୍ଦେହ ଘେରକୁ ଆସିଛନ୍ତି, ସେମାନେ ସମସ୍ତେ ବିଦେଶ ଫେରନ୍ତା ।

ସେହିପରି ମହାରାଷ୍ଟ୍ରରେ ୨୮ ଜଣ ଓମିକ୍ରନରେ ସଂକ୍ରମିତ ହୋଇଥିବା ସନ୍ଦେହ କରାଯାଉଛି । ଏମାନଙ୍କ ମଧ୍ୟରେ ୧୦ ଜଣ ମୁମ୍ବାଇରେ ଅଛନ୍ତି । ଏ ସମସ୍ତଙ୍କର ନମୁନା ଜିନମ୍ ସିକ୍ୱେନସିଂ ପାଇଁ ପଠାଯାଇଛି । ଆସନ୍ତା ସପ୍ତାହରେ ରିପୋର୍ଟ ଆସିବ । ମୁମ୍ବାଇରେ କରୋନା ସଂକ୍ରମିତ ହୋଇଥିବା ୧୦ ଜଣଙ୍କ ମଧ୍ୟରୁ ଆରଟିପିସିଆର ଟେଷ୍ଟ ବେଳେ ୬ ଜଣଙ୍କ ନମୁନାରେ ‘ଏସ୍-ଜିନ୍’ ନଥିବା ଜଣାପଡ଼ିଛି । ‘ଏସ୍-ଜିନ୍’ ନଥିବାରୁ ଏମାନେ ଓମିକ୍ରନ୍ ସଂକ୍ରମିତ ହୋଇଥିବା ସନ୍ଦେହ କରାଯାଉଛି ।

ଗାଇଡଲାଇନ ବଦଳାଇଲା କର୍ଣ୍ଣାଟକ

  • ଦୁଇ ଡୋଜ୍ ଟିକା ନେଇନଥିଲେ ମଲ୍ ଓ ଥିଏଟର ମନା
  • ଦୁଇ ଜଣ ଓମିକ୍ରନ ଆକ୍ରାନ୍ତ ଠାବ ହେବା ପରେ କରୋନା କଟକଣାକୁ କଡ଼ା କରିଛନ୍ତି କର୍ଣ୍ଣାଟକ ସରକାର । ଏଣିକି କର୍ଣ୍ଣାଟକରେ
  • କର୍ଣ୍ଣାଟକ କଟକଣା
  • ମଲ୍, ଥିଏଟର, ମଲ୍ଟିପ୍ଲେକ୍ସ, ଯିବାକୁ ହେଲେ ଦୁଇ ଡୋଜ୍ ଟିକା ବାଧ୍ୟତାମୂଳକ
  • ଶିକ୍ଷାନୁଷ୍ଠାନରେ ଜାନୁଆରୀ ୧୫ ଯାଏଁ ଉତ୍ସବ, ସମାବେଶ ମନା

ସେପଟେ ବେଙ୍ଗାଳୁରୁରେ ଓମିକ୍ରନ୍ ଚିହ୍ନଟ ଡାକ୍ତରଙ୍କ ସଂସ୍ପର୍ଶରେ ଆସିଥିବା ୫ ଜଣ କରୋନା ପଜିଟିଭ୍ ହୋଇଛନ୍ତି । ଡାକ୍ତରଙ୍କ ସହଯୋଗୀ, ତାଙ୍କ ପତ୍ନୀ, ଝିଅ ଓ ଶଶୁର ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ୫ ଜଣ ସଂକ୍ରମିତଙ୍କ ନମୁନା ଜିନୋମ୍ ସିକ୍ୱେନସିଂ ପାଇଁ ପଠାଯାଇଛି । ଏପଟେ ରାଜ୍ୟ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି, ସଂକ୍ରମିତ ଦେଶରୁ ଆସୁଥିବା ବ୍ୟକ୍ତିମାନଙ୍କ ସୂଚନା କେନ୍ଦ୍ର ସରକାର ଦେଉଛନ୍ତି । ସନ୍ଦେହ ଥିବା ବ୍ୟକ୍ତିିଙ୍କ କଣ୍ଟାକ୍ଟ ଟ୍ରେସିଂ ପାଇଁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି । କରୋନାର ନୂଆ ଭ୍ୟାରିଆଣ୍ଟ ଓମିକ୍ରନକୁ ନେଇ ଆତଙ୍କିତ ହୁଅନ୍ତୁ ନାହିଁ, କିନ୍ତୁ ସତର୍କ ରୁହନ୍ତୁ ବୋଲି କହିଛନ୍ତି ଡାକ୍ତର ନିରଞ୍ଜନ ମିଶ୍ର । ତେବେ ‘ଓମିକ୍ରନ’ ଭୂତାଣୁ କେତେ ଘାତକ ହେବ, ତାହା ଏବେ ବି ସ୍ପଷ୍ଟ ହୋଇନାହିଁ । ତେବେ ଏହା ଡେଲ୍ଟା ଭୂତାଣୁ ଠାରୁ ୩ ଗୁଣ ଅଧିକ ସଂକ୍ରମକ ବୋଲି କହୁଛନ୍ତି ବୈଜ୍ଞାନିକ ।