କନକ ବ୍ୟୁରୋ : ରାଜସ୍ଥାନ କଂଗ୍ରେସର ପ୍ରମୁଖ ନେତା ସଚିନ ପାଇଲଟଙ୍କୁ ଗଦ୍ଦାର କହିବା ପଡିପାରେ ମହଙ୍ଗା । ଅଶୋକ ଗେହଲଟ ନିକଟରେ ସଚିନ ପାଇଲଟଙ୍କୁ ନେଇ ଏପରି ଆକ୍ଷେପ କରିବା ପରେ ଦଳର ହାଇକମାଣ୍ଡ ଏବେ ଅସନ୍ତୁଷ୍ଟ । ମିଳିଥିବା ସୂଚନା ଅନୁସାରେ ଏବେ ଦଳର ଶୀର୍ଷ ନେତା ଗେହଲଟଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ଚିନ୍ତା କରୁଛନ୍ତି । ଏନେଇ ଦଳର ଅନ୍ୟତମ ଶୀର୍ଷ ନେତା ଜୟରାମ ରମେଶ ଇସାରା ଦେଇଛନ୍ତି ।

Advertisment

ଜୟରାମ କହିଛନ୍ତି, ସଂଗଠନ କଂଗ୍ରେସ ପାଇଁ ସର୍ବୋପରି । ଦଳୀୟ ସଂଗଠନକୁ ମଜବୁତ ରଖିବା ପାଇଁ କଂଗ୍ରେସ ସମସ୍ତ ପ୍ରକାର ପଦକ୍ଷେପ ନେବ । ଏଥିପାଇଁ ଦଳ କେବେ ବି ପଛଘୁଂଚା ଦେବ ନାହିଁ । ରାଜସ୍ଥାନର ଦୁଇ ନେତା (ଗେହଲଟ୍ ଓ ସଚିନ)ଙ୍କ ମଧ୍ୟରେ ଥିବା କନ୍ଦଳର ସମାଧାନ କରିବା ପାଇଁ ଚେଷ୍ଟା କରାଯିବ । ଉଭୟ ନେତା ଦଳ ପାଇଁ ଜରୁରୀ ।

ଜୟରାମ ରମେଶଙ୍କ ବୟାନ ପରେ ସ୍ପଷ୍ଟି ହୋଇଛି ଯେ କଂଗ୍ରେସ ହାଇକମାଣ୍ଡ ଗେହଲଟଙ୍କୁ ନେଇ ଅସନ୍ତୁଷ୍ଟ ଅଛନ୍ତି । ଆଉ ଠିକଣା ସମୟରେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବେ । ଡିସେମ୍ବର ପ୍ରଥମ ସପ୍ତାହରେ ରାଜସ୍ଥାନରେ ଦଳର ଭାରତ ଯୋଡୋ ଯାତ୍ରା ରହିଛି । ଦଳରେ କୌଣସି କନ୍ଦଳ ସାମ୍ନାକୁ ନଆସୁ ସେଥିପାଇଁ ହାଇକମାଣ୍ଡ ନିରବ ରହିଥିବା ସୂଚନା ରହିଛି । ଏହାପରେ କଂଗ୍ରେସ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବ ବୋଲି ଆଶା କରାଯାଉଛି ।

ପଞ୍ଜାବରେ ନବଜୋତ ସିଂହ ସିଦ୍ଧୁ ଓ ଅମରିନ୍ଦର ସିଂହଙ୍କ କଳିର ପରିଣାମ ଦଳ ଭୋଗିସାରିଛି । ସରକାରରେ ଥାଇ ମଧ୍ୟ କନ୍ଦଳ ଯୋଗୁଁ ଶୋଚନୀୟ ପରାଜୟ ବରଣ କରିଥିଲା କଂଗ୍ରେସ । ଏବେ ଆଗକୁ ରାଜସ୍ଥାନର ବିଧାନସଭା ନିର୍ବାଚନ ରହିଛି । ଏପରି ସ୍ଥିତିରେ ରାଜସ୍ଥାନରେ ଦଳର ଦୁଇ ପ୍ରମୁଖ ନେତାଙ୍କ କଳି ଦଳକୁ ଅଡୁଆରେ ପକାଇଛି । ତେଣୁ ଭାରତ ଯୋଡୋ ଯାତ୍ରା ବେଳେ ଦଳ ଏକାଠି ଅଛି ବୋଲି ବାର୍ତ୍ତା ଦେବାକୁ ଲକ୍ଷ୍ୟ ରଖିଛି କଂଗ୍ରେସ ।

ମୁଖ୍ୟମନ୍ତ୍ରୀ ପଦକୁ ନେଇ ରାଜସ୍ଥାନ କଂଗ୍ରେସରେ କନ୍ଦଳ ଲାଗି ରହିଛି । ଉଭୟ ଅଶୋକ ଗେହଲଟ ଓ ସଚିନ ପାଇଲଟ ମୁଖ୍ୟମନ୍ତ୍ରୀ ହେବାକୁ ଚାହାଁନ୍ତି । ଯେଉଁଥିପାଇଁ ରାଜସ୍ଥାନ କଂଗ୍ରେସରେ କନ୍ଦଳ ଜାରି ରହିଛି ।