କନକ ବ୍ୟୁରୋ: ଦୁଇ ଫାଳ ହୋଇଯିବ କି ଭୁବନେଶ୍ୱର ବିଜେଡି? ଆଭ୍ୟନ୍ତରୀଣ କନ୍ଦଳ ପାଇଁ ହେବ କି କାଳ? ବିଜେଡି ହାତରୁ ଖସିଯିବ କି ବିଏମସି? କର୍ପୋରେଟର ଅମରେଶ ଜେନାଙ୍କ ବୟାନ ପରେ ଏମିତି ଚର୍ଚ୍ଚା ବଢିବାରେ ଲାଗିଛି। ପୂର୍ବତନ ମନ୍ତ୍ରୀ ଅଶୋକ ପଣ୍ଡା ଓ ଭୁବନେଶ୍ୱର ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନାଙ୍କ ନାଁରେ ସେ ସାଂଘାତିକ ଅଭିଯୋଗ ଆଣିଛନ୍ତି। ଏମାନେ କର୍ପୋରେଟରଙ୍କୁ ଭାଗ କରୁଥିବା ଅମରେଶ ଜେନା ଅଭିଯୋଗ କରିଛନ୍ତି। ଏପରି ହେଲେ ବିଜେଡି କର୍ପୋରେଟର ବିଜେପିରେ ମିଶିବା ସମ୍ଭାବନା ବଢିଥିବା ସେ ସନ୍ଦେହ ପ୍ରକାଶ କରିଛନ୍ତି। ଏହା ସହ ସେମାନେ ମେୟର ସୁଲୋଚନା ଦାସଙ୍କୁ ଚାପ ସୃଷ୍ଟି କରି ତାଙ୍କୁ ହଇରାଣ କରିବାକୁ ଉଦ୍ୟମ କରାଯାଉଥିବା କହିଛନ୍ତି।
ବିଜେଡି କ୍ଷମତାରୁ ଯିବା ପରେ ଉଭୟ ନେତା ପତିଆରା ଜାହିର କରିବା ପାଇଁ ଏପରି ଷଡଯନ୍ତ୍ର କରୁଥିବା ଅମରେଶ ଜେନା ଅଭିଯୋଗ କରିଛନ୍ତି। ଏହା ଆଗାମୀ ଦିନରେ ବିଜେପିକୁ ସୁହାଇବ ଓ ସେମାନେ ଏକ ତୃତୀୟାଂଶ କର୍ପୋରେଟରଙ୍କୁ ନିଜ ସପକ୍ଷରେ ଆଣିବାରେ ସକ୍ଷମ ହେବେ ବୋଲି ଅମରେଶ ଜେନା କହିଛନ୍ତି। ଅମରେଶଙ୍କ ଏପରି ବୟାନ ଉପରେ ପ୍ରତିକ୍ରିୟା ରଖିଛନ୍ତି ବିଧାୟକ ଅନନ୍ତ ନାରାୟଣ ଜେନା।