କ’ଣ ସଙ୍କେତ ଦେଉଛି ବିହାର ବୁଥ ବାହୁଡ଼ା ମତ ? ଦେଶର ରାଜନୀତିରେ ପଡ଼ିବ କି ବଡ଼ ପ୍ରଭାବ ? କାମ ଦେଲାନି କି ମୋଦି ମ୍ୟାଜିକ୍ ?

271

କନକ ବ୍ୟୁରୋ : ବିହାର ନିର୍ବାଚନ ନେଇ ଆସିଥିବା ଏକଜିଟ୍ ପୋଲ କହୁଛି, ମହାଗଠବନ୍ଧନର ନେତା ତେଜସ୍ୱୀ ଯାଦବ ଏଥର ବିହାରର ମୁଖ୍ୟମନ୍ତ୍ରୀ ହେବାକୁ ଯାଉଛନ୍ତି । ଏହି ବୁଥ ବାହୁଡା ମତ ଅନେକଙ୍କୁ ଆଶ୍ଚର୍ଯ୍ୟ କରିଛି । କାରଣ ନିର୍ବାଚନ ପୂର୍ବରୁ କରାଯାଇଥିବା ସର୍ଭେ କହୁଥିଲା, ଏନଡିଏ ସହଜରେ ବହୁମତ ହାସଲ କରିବ । ତେବେ ବିହାରରେ ମୋଦି ଓ ନୀତିଶ ଜୋରଦାର ପ୍ରଚାର କରିଥିଲେ । କିନ୍ତୁ କାମ କଲା ତେଜସ୍ୱୀ ଯାଦବଙ୍କ ପ୍ରଚାର । ପ୍ରଶ୍ନ ଉଠୁଛି ବିହାରରେ ଏହି ଜନମତ କଣ ସଙ୍କେତ ଦେଉଛି ।

କ’ଣ ସଙ୍କେତ ଦେଉଛି ବିହାର ବୁଥ ବାହୁଡ଼ା ମତ ? ଦେଶର ରାଜନୀତିରେ ପଡ଼ିବ କି ବଡ଼ ପ୍ରଭାବ ? ଏଗଜିଟ୍ ପୋଲ କରୁଥିବା ଅଧିକାଂଶ ସଂସ୍ଥା ଓ ଗଣମାଧ୍ୟମର ଆକଳନ ଗୋଟିଏ ଆଡକୁ ଇଂଗିତ କରୁଛି ଯେ ବିହାର ରାଜନୀତି ଏବେ କେନ୍ଦ୍ରୀଭୁତ ହେଉଛି ଯୁବନେତା ତେଜସ୍ୱୀ ଯାଦବଙ୍କ ନିକଟରେ । ଆଉ ତେଜସ୍ୱୀଙ୍କ ନେତୃତ୍ୱରେ ଆରଜେଡି ଓ କଂଗ୍ରେସ ମହାମେଂଟ ବିହାରରେ ସରକାର ଗଢ଼ିବା ସମ୍ଭାବନା ଅଧିକ । କେବଳ ଏଗଜିଟ୍ ପୋଲ ନୁହେଁ ପ୍ରଚାର ସମୟରେ ତେଜସ୍ୱୀଙ୍କ ରାଲିରେ ଲକ୍ଷାଧିକ ଲୋକଙ୍କ ଭିଡ଼ ମଧ୍ୟ ଏହି ସମ୍ଭାବନା ଆଡକୁ ଇଂଗିତ କରିଥିଲା ।

ନୀତିଶ କୁମାର ଯଦିଓ ଏନଡିଏର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ହୋଇଥିଲେ, ତେବେ ତାଙ୍କ ଉପରେ ଭରସା କରି ଏଥର ନିର୍ବାଚନ ମଇଦାନକୁ ଓହ୍ଲାଇ ନଥିଲା ଏନଡିଏ । ମୋଦୀଙ୍କ ଲୋକପ୍ରିୟତା ଆଧାରରେ ଲୋକଙ୍କ ସମର୍ଥନ ପାଇବାକୁ ଉଦ୍ୟମ କରାଯାଇଥିଲା ।

ଯଦି ବୁଥ ବାହୁଡ଼ା ମତ ସତ ହୁଏ, ତେବେ ନୀତିଶ ସରକାରଙ୍କ ବିରୋଧରେ ଭୋଟ ଦେଇଛନ୍ତି ବିହାରବାସୀ । ମୋଦୀଙ୍କ ଯାଦୁ ବିହାରରେ କାମ ଦେଇନାହିଁ । ଗୋଟିଏ ପଟେ ବିଭିନ୍ନ ସଂସ୍ଥା ଆକଳନ କରିଥିଲେ ଯେ ପୂର୍ବଭଳି ଅତୁଟ ରହିଛି ପ୍ରଧାନମନ୍ତ୍ରୀଙ୍କ ଲୋକପ୍ରିୟତା । ଅନ୍ୟପଟେ ବିହାରରେ ମୋଦୀଙ୍କ ମାରାଥନ ପ୍ରଚାର କାମ ଦେଇନାହିଁ ।

କାହିଁକି କାମ ଦେଲା ନାହିଁ ମୋଦୀ ମ୍ୟାଜିକ ? କରୋନା ସମୟରେ ଦାଦନ ଶ୍ରମିକଙ୍କ ଦୁର୍ଦ୍ଦଶା ପଡିଲାକି ମହଙ୍ଗା ? ୩୭୦ ଧାରାର ଉଚ୍ଛେଦ, ରାମ ମନ୍ଦିର ନିର୍ମାଣ ପାଇଁ ବାଟ ସଫା ଏବଂ ସିଏଏ ଆଦି ଅନେକ ପଦକ୍ଷେପ ନେଇ ସଂଖ୍ୟା ଗରିଷ୍ଠ ଲୋକଙ୍କ ପ୍ରିୟଭାଜନ ହେବାକୁ ଉଦ୍ୟମ କରିଛନ୍ତି ମୋଦୀ ସରକାର । ହେଲେ ସରକାରଙ୍କ କରୋନା ପରିଚାଳନା ଦେଶର କୋଟି କୋଟି ଶ୍ରମିକଙ୍କୁ ରାସ୍ତାକୁ ନେଇ ଆସିଥିଲା । କିଛି ସମୀକ୍ଷକଙ୍କ ମତରେ ଏହାକୁ ଗ୍ରହଣ କରିପାରିନାହିଁ ବିହାର । କାରଣ ଲକଡାଉନ ବେଳେ ସାରା ଦେଶରେ ସବୁଠୁ ଅଧିକ ପ୍ରଭାବିତ ହୋଇଥିଲେ ବିହାରର ଦାଦନ ଶ୍ରମିକ । ସେପଟେ ନୀତିଶ କୁମାର ମଧ୍ୟ ଦୀର୍ଘ ବର୍ଷର ଶାସନ କାଳରେ ବିହାରରେ ରୋଜଗାର ସୃଷ୍ଟି କରିବାରେ ବିଫଳ ହୋଇଛନ୍ତି । ଫଳରେ ନୀତିଶଙ୍କୁ ପ୍ରତ୍ୟାଖ୍ୟାନ କରିଛନ୍ତି ବିହାରବାସୀ ।

ଦେଶର ରାଜନୀତିକୁ ସବୁବେଳେ ହଲଚଲ କରି ଆସିଛି ବିହାର । ଅନେକ ସମୟରେ ଦେଶରେ ଯେଉଁ ବଡ଼ ଧରଣର ରାଜନୈତିକ ପରିବର୍ତନ ହୋଇଛି, ତାହା ବିହାରରୁ ଆରମ୍ଭ ହୋଇଛି । ଇନ୍ଦିରା ହଟାଓ ଅଭିଯାନର ମୂଳଦୁଆ ମଧ୍ୟ ପଡିଥିଲା ବିହାରରେ ।

ବିହାରର ନୂଆ ଚେହେରା ତେଜସ୍ୱୀ । ଯୁବନେତାଙ୍କ ନିଯୁକ୍ତି ପ୍ରତିଶ୍ରୁତିକୁ ପସନ୍ଦ କରିଛି ବିହାର । ଗୋଟିଏ ପଟେ ନିର୍ବାଚନ ପ୍ରଚାର ବେଳେ ଲାଲୁଙ୍କ ଜଙ୍ଗଲରାଜକୁ ମୋଦୀ ଟାର୍ଗେଟ କରିଥିବା ବେଳେ ଅନ୍ୟପଟେ ତେଜସ୍ୱୀ ଯାଦବଙ୍କ ନାରା ଥିଲା ୧୦ ଲକ୍ଷ ନିଯୁକ୍ତି । ତରୁଣ ତେଜସ୍ୱୀ କିପରି ଅଭିଜ୍ଞ ନୀତିଶଙ୍କୁ ସାମନା କରିବେ ଏହାକୁ ନେଇ ଯେଉଁ ସନ୍ଦେହ ଥିଲା, ତାହା ଦୂର ହୋଇଥିଲା ଯେତେବେଳେ ପ୍ରଚାରକୁ ବାହାରିଥିଲେ ତେଜସ୍ୱୀ । ନିର୍ବାଚନ ସଭାରେ ଭିଡ଼ ଦେଖିବା ପରେ ଜଣାପଡିଥିଲା ରାଜନୀତିର କଡ଼ ବଦଳାଉଛି ବିହାର । ଏପଟେ ତେଜସ୍ୱୀଙ୍କ ତେଜରେ ମୋଦୀ ମ୍ୟାଜିକ ମଳିନ ପଡ଼ିଯିବା, ସାରା ଦେଶକୁ ଦେଇଛି ବଡ଼ ସଂକେତ । ନିଯୁକ୍ତି, ଅର୍ଥନୀତି, ବିକାଶ ଏବେ ଯୁବପିଢ଼ିର ପସନ୍ଦ ପାଲଟିଛି । ବିହାର ଫଳାଫଳ ଯଦି ହିନ୍ଦୀ ଭାଷାଭାଷୀ ଅଂଚଳର ସାମଗ୍ରିକ ମତର ପ୍ରତିଫଳନ ହୁଏ, ତେବେ ଓଲଟପାଲଟ ହୋଇଯିବ ଦେଶର ରାଜନୀତି ।