ଏମଓୟୁ କରି ଅତ୍ୟାଧୁନିକ କ୍ୟାନସର ହସପିଟାଲ ନିର୍ମାଣରୁ ଓହରି ଯିବ କି ଟାଟା ? ୩ ବର୍ଷ ତଳେ ରାଜ୍ୟ ସରକାରଙ୍କ ସହ କରିଥିଲା ଚୁକ୍ତି

110

କନକ ବ୍ୟୁରୋ : ୨ ବର୍ଷ ତଳେ ଭୁବନେଶ୍ୱର ଉପକଣ୍ଠ ବାରଙ୍ଗରେ ୮୦୦ କୋଟି ଟଙ୍କା ବ୍ୟୟରେ ଏକ ଅତ୍ୟାଧୁନିକ କ୍ୟାନସର ହସ୍ପିଟାଲ କରିବା ପାଇଁ ଶିଳାନ୍ୟାସ କରାଯାଇଥିଲା । ଓଡ଼ିଶା ସରକାରଙ୍କ ସହ ଟାଟା ଟ୍ରଷ୍ଟ କରିଥାନ୍ତା ଏହି କ୍ୟାନସର ହସ୍ପିଟାଲ । ଏବେ ଟାଟା ଟ୍ରଷ୍ଟ ଏହି ପ୍ରକଳ୍ପରୁ ଓହରିଯିବାକୁ ଉଦ୍ୟମ କରୁଥିବା ଜଣାପଡ଼ିଛି । ଟାଟା ଟ୍ରଷ୍ଟ ଏ ନେଇ ସ୍ପଷ୍ଟ କରୁନଥିବା ବେଳେ ଜଣେ ଉଦ୍ୟୋଗୀ-ଦମ୍ପତିଙ୍କ ଆର୍ଥିକ ସହାୟତାରେ କ୍ୟାନସର ହସ୍ପିଟାଲ ପାଇଁ ସରକାରୀ ସ୍ତରରେ ଆଲୋଚନା ଚାଲିଥିବା ଚର୍ଚ୍ଚା ହେଉଛି ।

ଓଡ଼ିଶା ସ୍ୱାସ୍ଥ୍ୟ ବିଭାଗ ସହ ଟାଟା ଟ୍ରଷ୍ଟର ବୁଝାମଣା ହୋଇଥିଲା । ଉପସ୍ଥିତ ଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ଟାଟା ଟ୍ରଷ୍ଟର ଅଧ୍ୟକ୍ଷ ରତନ ଟାଟା । ଘୋଷଣା କରାଗଲା ଦେଶରେ କ୍ୟାନସର ଚିକିତ୍ସା ଓ ଗବେଷଣା କ୍ଷେତ୍ରରେ ସୁନାମ ଅର୍ଜନ କରିଥିବା ଟାଟା ଟ୍ରଷ୍ଟ, ଭୁବନେଶ୍ୱରରେ ମୁମ୍ବାଇର ଟାଟା ମେମୋରିଆଲ କ୍ୟାନସର ହସପିଟାଲ ଭଳି ଉନ୍ନତମାନର କ୍ୟାନସର ହସ୍ପିଟାଲ ଓ ଗବେଷଣା କେନ୍ଦ୍ର ପ୍ରତିଷ୍ଠା କରିବ । ଏଥିପାଇଁ ଟାଟା ଟ୍ରଷ୍ଟ ମାତ୍ର ୩୦୦ କୋଟି ଟଙ୍କା ଦେବାକୁ ଥିବା ବେଳେ ଓଡ଼ିଶା ସରକାର ବ୍ୟୟ କରିଥାନ୍ତେ ୫୦୦ କୋଟି ।

୫୦୦ ଶଯ୍ୟା ବିଶିଷ୍ଟ ଅତ୍ୟାଧୁନିକ କ୍ୟାନସର ହସ୍ପିଟାଲ ପାଇଁ କରାଗଲା ଶିଳାନ୍ୟାସ । ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ଟାଟା ଟ୍ରଷ୍ଟର ଅଧ୍ୟକ୍ଷ ରତନ ଟାଟା । ଚୁକ୍ତିର ପ୍ରାୟ ୩ ବର୍ଷ ପରେ ବି ଆଗେଇ ପାରିଲା ନାହିଁ କ୍ୟାନସର ହସ୍ପିଟାଲ ପ୍ରକଳ୍ପ ।

ପ୍ରକଳ୍ପକୁ ନେଇ ଅନିଶ୍ଚିତତା ଦେଖା ଦେଇଥିବା ବେଳେ କାନସର ହସପିଟାଲ ପ୍ରତିଷ୍ଠାକୁ ନେଇ ଏକ ନୂଆ ତଥ୍ୟ ସମାନାକୁ ଆସିଛି । ସୂଚନା ଅନୁସାରେ ଏକ ଓଡ଼ିଆ ଆଇଟି ଦମ୍ପତି ଏଥିପାଇଁ ୨୦୦ କୋଟି ଟଙ୍କା ଦାନ ଦେବାକୁ ଆଗ୍ରହ ପ୍ରକାଶ କରିଛନ୍ତି ଓ ବେଙ୍ଗାଳୁରର ଏକ ସଂସ୍ଥା ସହ ମିଶି ଏହି ହସ୍ପିଟାଲ ତିଆରି କରାଯିବାକୁ ଯୋଜନା କରାଯାଇଛି ।

ଓଡ଼ିଶାର ଖଣିଜ ସଂପଦରେ ଲାଭବାନ ହେଉଥିବା ଦେଶର ଅଗ୍ରଣୀ ଶିଳ୍ପ ସଂସ୍ଥା ଟାଟା, କାନ୍ସର ହସପିଟାଲ ପାଇଁ କାହିଁକି ଦେଉଛି ପଛଘୁଂଚା । ଓଡ଼ିଶା ସହ ଟଟା ଗ୍ରୁପର ରହିଛି ୧୦୦ ବର୍ଷର ସଂପର୍କ । କେନ୍ଦୁଝରଠାରୁ ଆରମ୍ଭ କରି ରାଜ୍ୟର ବିଭିନ୍ନ ସ୍ଥାନରେ ଲୁହା ଓ ମାଙ୍ଗାନିଜ ଖଣି ପାଇଛି ଟାଟା । କଳିଙ୍ଗନଗରରେ ରହିଛି ଟାଟାର ଷ୍ଟିଲ ପ୍ଲାଂଟ । ଗୋପାଳପୁରରେ ୩ ହଜାର ଏକର ଜମି ନେଇଛି ଟାଟା । ସେଠାରେ ଟାଟା କରିଛି ଫେରୋକ୍ରୋମ ପ୍ଲାଂଟ ଓ ଇଣ୍ଡଷ୍ଟ୍ରିଆଲ ପାର୍କ । ଢ଼େଙ୍କାନାଳରେ ଭୂଷଣ ଷ୍ଟିଲ ପ୍ଲାଂଟକୁ କିଣିଛି ଟାଟା । ଯେଉଁ ରାଜ୍ୟରୁ ଟାଟା ତାର ପରିଚୟ ପାଇ ଶିଳ୍ପ ସାମ୍ରାଜ୍ୟ ମେଲାଇଛି ବୋଲି କୁହାଯାଏ, ସେହି ରାଜ୍ୟ ପ୍ରତି ନିଜ କର୍ତବ୍ୟ ନିର୍ବାହ କରିବାରେ କାର୍ହିକି ପଛଘୁଂଚା ଦେଉଛି ।

ଓଡ଼ିଶାରେ ପ୍ରତିବର୍ଷ ପାଖାପାଖି ୭୦ ହଜାର ଲୋକ କର୍କଟ ରୋଗରେ ଆକ୍ରାନ୍ତ ହୋଇଥାନ୍ତି । ଏଭଳି ସ୍ଥିତିରେ ଟାଟା ମେମୋରିଆଲ୍ ହସପିଟାଲ ଭଳି ଉନ୍ନତମାନର ବ୍ୟବସ୍ଥା ଥିବା ହସପିଟାଲ ତିଆରିରେ ବିଳମ୍ବିତ ହେବା ଅନେକ ପ୍ରଶ୍ନବାଚୀ ସୃଷ୍ଟି କରୁଛି ।