ନକ୍ସଲ ନରସଂହାରର ଜବାବୀ କାର୍ଯ୍ୟାନୁଷ୍ଠାନ ପାଇଁ କେନ୍ଦ୍ରର ବଡ ପ୍ରସ୍ତୁତି : ଗୃହ ମନ୍ତ୍ରାଳୟ ଓ ସିଆରପିଏଫ ଅଧିକାରୀଙ୍କ ସହ ଶାହାଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ

ପ୍ରତି ଆକ୍ରମଣ ପାଇଁ ରଣନୀତି ଉପରେ ବିଚାରବିମର୍ଶ; ମାଓ ବିରୋଧୀ ଅପରେସନରେ ହେଳା ନକରିବାକୁ ତାଗିଦ୍

204

କନକ ବ୍ୟୁରୋ : ବିଜାପୁର ନକ୍ସଲ ନରସଂହାର ଘଟଣାରେ ଗୃହମନ୍ତ୍ରୀ ଅମିତ ଶାହା ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ କରିଛନ୍ତି । ବୈଠକରେ ନକ୍ସଲଙ୍କୁ ଦମନ କରିବା ପାଇଁ ଏକ ବଡ ଯୋଜନା କରାଯାଉଥିବା ସୂଚନା ମିଳିଛି । ସୁତ୍ର ଅନୁସାରେ ଏହି ବୈଠକରେ ଅମିତ ଶାହା କହିଛନ୍ତି ନକ୍ସଲଙ୍କ ବିରୋଧରେ ଅପରେସନରେ କୌଣସି ପ୍ରକାରର ଅବହେଳା ନହେବା ଦରକାର । ଏହି ନକ୍ସଲ ଆକ୍ରମଣ ଘଟଣାର ତଦନ୍ତ ଏନଆଇଏକୁ ଦିଆଯିବାର ସମ୍ଭାବନା ଅଛି । ଗୃହ ମନ୍ତ୍ରାଳୟର ବରିଷ୍ଠ ଅଧିକାରୀ ଏବଂ ସିଆରପିଏଫର ବରିଷ୍ଠ ଅଧିକାରୀଙ୍କ ସହିତ ଗୃହମନ୍ତ୍ରୀ ଏହି ଆଲୋଚନା କରିଛନ୍ତି ।

ଯେତେବେଳେ ଛତିଶଗଡ ବିଜାପୁରରେ ଯେତେବେଳେ ଏହି ଆକ୍ରମଣ ହୋଇଥିଲା ସେତେବେଳେ ଗୃହମନ୍ତ୍ରୀ ଆସାମାରେ ନିର୍ବାଚନୀ କାର୍ଯ୍ୟରେ ଥିଲେ । ସେଠାରୁ ରାତି ପ୍ରାୟ ୮ଟା ସମୟରେ ଫେରିବାର ଥିଲା । ପ୍ରଚାର କାମକୁ ବନ୍ଦ ରଖି ତୁରନ୍ତ ଦିଲ୍ଲୀ ଫେରିଆସିଥିଲେ । ଏବଂ ଗୃହ ବିଭାଗ ଓ ସିଆରପିଏଫ ବଡ ବଡ ଅଧିକାରୀଙ୍କ ସହିତ ଜବାବୀ ଆକ୍ରମଣ ପାଇଁ ଆଲୋଚନା କରିଥିବା ଏବଂ ରଣନୀତି ପ୍ରସ୍ତୁତ ହୋଇଥିବା ଅନୁମାନ କରାଯାଉଛି ।

ତେବେ ଜାଣନ୍ତୁ ସାରା ଦେଶକୁ ଦୋହଲାଇ ଦେଇଥିବା ଛତିଶଗଡ ବିଜାପୁରର ଏହି ମାଓ ଆକ୍ରମଣ କେମିତି ହୋଇଥିଲା । ବିଜାପୁର ଜିଲ୍ଲା ତେରମ୍ ଥାନା ଅଂଚଳରେ ଥିବା ଜଙ୍ଗଲରେ ପ୍ରାୟ ୪୦୦ ମାଓବାଦୀ ଏକାଠି ହୋଇଥିବା ଖବର ପାଇ ଏସଟିଏଫ, ସିଆରପିଏଫ, କୋବ୍ରା ଓ ଡିଆରଜି ଯବାନମାନେ ଆରମ୍ଭ କରିଥିଲେ ମିଳିତ ଅପରେସନ୍ । ପ୍ରାୟ ୨ ହଜାର ଯବାନ ଚାରିପଟୁ ଘେରି ମାଓବାଦୀଙ୍କୁ କାବୁ କରିବାକୁ ପ୍ରସ୍ତୁତ କରିଥିଲେ ବ୍ଲୁ-ପ୍ରିଂଟ । ଉଦ୍ଦେଶ୍ୟ ଥିଲା, ଯେମିତି କୌଣସି ମାଓବାଦୀ ଘଟଣାସ୍ଥଳରୁ ଖସି ଯାଇପାରିବେ ନାହିଁ ।

ଯବାନଙ୍କ ଏକ ଟିମ୍ ଜଙ୍ଗଲ ଭିତରେ ଥିବା ଟେକେଲଗୁଡ଼ା ଗାଁରେ ପହଁଚିବା ପରେ ମାଓବାଦୀମାନେ ଆରମ୍ଭ କରି ଦେଇଥିଲେ ଅନ୍ଧାଧୁନ୍ ଫାୟାରିଂ । କେହି କିଛି ବୁଝିବା ପୂର୍ବରୁ ଗର୍ଜି ଉଠିଥିଲା ମାଓବାଦୀଙ୍କ ଏଲଏମଜି ଓ ରକେଟ ଲଂଚର । ଭୀଷଣ ଶବ୍ଦରେ ପୂରା ଜଙ୍ଗଲ ଥରି ଉଠିଥିଲା । ଯବାନମାନେ ପୋଜିସନ୍ ନେବା ବେଳକୁ ଜାଣିପାରିଲେ ସେମାନଙ୍କୁ ଇଂରାଜୀ ଅକ୍ଷର ୟୁ ଆକାରରେ ଆମ୍ବୁସ କରି ସାରିଛନ୍ତି ମାଓବାଦୀ । ଆସିବା ବାଟକୁ ଛାଡି ତିନି ପଟେ ଥିବା ପାହାଡ଼ ଓ ଘଂଚ ଜଙ୍ଗଲର ଆଢ଼ୁଆଳରେ ପ୍ରାୟ ୪୦୦ ମାଓବାଦୀ, ଘେରାବନ୍ଦୀ କରି ଗୁଳିମାଡ଼ କରିଥିଲେ । ପ୍ରାୟ ୪ରୁ ୫ ଘଂଟା ପର୍ଯ୍ୟନ୍ତ ଚାଲିଥିଲା ଉଭୟ ପଟୁ ଗୁଳିମାଡ । ଗୁଳି ମାଡ଼ରେ ୨୩ ଯବାନ ସହିଦ ହେବା ସହ ପ୍ରାୟ ୩୦ ଯବାନ ଆହତ ହୋଇଥିଲେ । ତେବେ କେତେ ମାଓବାଦୀର ମୃତାହତ ହୋଇଛନ୍ତି, ତାହା  ଜଣାପଡିନାହିଁ ।

ଘଂଟା ଘଂଟା ଧରି ଗୁଳି ଓ ବୋମା ବର୍ଷଣ ଭିତରେ କିଛି ଆହତ ସାଥୀଙ୍କୁ ଉଦ୍ଧାର କରିଥିଲେ ଯବାନ । ୩ ତାରିଖ ଦିନ ମାତ୍ର ୨ ଜଣ ଯବାନଙ୍କ ମୃତଦେହକୁ ଉଦ୍ଧାର କରିବାରେ ସମର୍ଥ ହୋଇଥିଲେ । ମାଓବାଦୀ ମାନେ ପ୍ରାୟ ୨୪ ଘଂଟା ଧରି ମୃତଦେହକୁ ଘେରି ରଖିଥିବା ବେଳେ ଯବାନ ଠାରୁ ଅତ୍ୟାଧୁନିକ ବନ୍ଧୁକ, ଗୁଳି ଗୋଳା ସହ ଯୋତା ଓ ପୋଷାକ ମଧ୍ୟ ଛଡାଇ ନେଇଥିଲେ । ଗଣମାଧ୍ୟମ ପ୍ରତିନିଧି ପହଁଚିବା ପରେ ଘଟଣା ଘଟିବାର ଦିନକ ପରେ ମୃତଦେହକୁ ନେବା ଲାଗି ପହଁଚିଥିଲେ ସାଥୀ ଯବାନ ।

ସେନାର ଏମଆଇ – ୧୭ ହେଲିକପ୍ଟର ମାଓଗଡରେ ଅବତରଣ କରି ମୃତଦେହକୁ ଉଦ୍ଧାର କରାଯାଇଛି । ଆହତ ଯବାନଙ୍କୁ ରାୟପୁର ଓ ବିଜାପୁର ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି । ମାଓବାଦୀଙ୍କ ଗୁଳିରେ ସହିଦ ହୋଇଥିବା ଯବାନଙ୍କ ପରିବାରକୁ ସମବେଦନା ଜଣାଇବା ସହ ଟ୍ୱିଟ୍ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯବାନଙ୍କ ବଳିଦାନ ବ୍ୟର୍ଥ ଯିବ ନାହିଁ । ସେପଟେ ଏହାର କଡ଼ା ଜବାବ ଦିଆଯିବ ବୋଲି କହିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ।

ଏହି ଘଟଣା ସାରା ଦେଶରେ ଚାଂଚଲ୍ୟ ସୃଷ୍ଟି କରିଥିବା ବେଳେ ଏହି ମାଓବାଦୀ ଆକ୍ରମଣର ନେତୃତ୍ୱ ନେଇଥିଲେ ମାଡ଼ବି ହିଡମା । ୩୭ ବର୍ଷିୟ ହାର୍ଡକୋର ନକ୍ସଲ ହିଡମା, ମାଓବାଦୀଙ୍କ ଦଣ୍ଡକାରଣ୍ୟ ସ୍ପେଶାଲ୍ ଗରିଲା ମିଲିଟାରୀ ବାହିନୀର ମୁଖ୍ୟ ଏବଂ ଗରିଲା ଯୁଦ୍ଧରେ ବେଶ ପାରଙ୍ଗମ । ସେହି ହିଁ ସୁରକ୍ଷା ବାହିନୀକୁ ଫସାଇବା ପାଇଁ ରଚିଥିଲା ଚକ୍ରବ୍ୟୂହ । ମିଳିତ ବାହିନୀର ଅପରେସନ୍ ନେଇ ସୂଚନା ପାଇବା ମାତ୍ରେ ମୃତ୍ୟୁର ଫାସ ବସାଇଥିଲା ହିଡମା । ମାଓ ସଂଗଠନର ଏହି ନାରକୀୟ ଓ ବର୍ବରଚିତ କାର୍ଯ୍ୟ ପରେ ପୂରା ଇଲାକାରେ ସର୍ଚ୍ଚ ଅପରେସନକୁ ଜୋରଦାର କରାଯାଇଛି ।