ଭୋଟ ପେଡି ଖୋଲିବା ପୂର୍ବରୁ ଏକଜିଟ୍ ପୋଲରେ ଆସିଲା ସମ୍ଭାବ୍ୟ ଫଳାଫଳ । କଣ ହେବ ୩ ସଭାପତିଙ୍କ ସ୍ଥିତି, ଜାଣନ୍ତୁ କେଉଁ ଆସନରୁ ଜିତିପାରେ କିଏ?

1,046

କନକ ବ୍ୟୁରୋ : ଶେଷ ପର୍ଯ୍ୟାୟ ନିର୍ବାଚନ ଭୋଟଗ୍ରହଣ ଶେଷ ହେବା ସହ ଆସିଛି ଏକଜିଟ୍ ପୋଲ । ନେତାଙ୍କ ଭାଗ୍ୟର ପେଡି ଖୋଲିବା ପୂର୍ବରୁ ଏକଜିଟ୍ ପୋଲରେ ଆସିଛି ସମ୍ଭାବ୍ୟ ଫଳାଫଳ । ଯାହା ବଢାଇଦେଇଛି ନେତାଙ୍କ ହୃତସ୍ପନ୍ଦନ । ସମ୍ବାଦ-କନକ ନ୍ୟୁଜ୍ ଏକଜିଟ୍ ପୋଲ ଅନୁଯାୟୀ ଚଳିତଥର ରାଜ୍ୟରେ ବିଜେଡି ପୁଣିଥରେ ସରକାରକୁ ଫେରିପାରେ । କଂଗ୍ରେସକୁ ୩ ନମ୍ବର ସ୍ଥାନକୁ ଠେଲି ଦ୍ୱିତୀୟ ସ୍ଥାନକୁ ବିଜେପି ଉଠିବା ସହ ବିରୋଧୀ ଆସନରେ ବସିପାରେ । ଏଭଳି ସଂକେତ ଦେଇଛି ଏକଜିଟ୍ ପୋଲ ରିପୋର୍ଟ । ଏପରିକି କେଉଁ ଦଳର ସ୍ଥିତି କଣ ରହିବ ତାହା ମଧ୍ୟ ଦର୍ଶାଇଛି ଏହି ଏକଜିଟ୍ ପୋଲ୍ ରିପୋର୍ଟ । କେବଳ ୩ ଦଳ ନୁହେଁ ୩ ଦଳର ମୁଖିଆ ଚଳିତଥର ନିର୍ବାଚନ ମୈଦାନକୁ ଓହ୍ଲାଇଥିବା ବେଳେ ସେମାନଙ୍କର ସ୍ଥିତି କଣ ରହିବ ତାହାର ସଂକେତ ମଧ୍ୟ ଏହି ଏକଜିଟ୍ ପୋଲ୍ ରିପୋର୍ଟରେ ସାମ୍ନାକୁ ଆସିଛି ।

ନବୀନ ପଟ୍ଟନାୟକ : ବିଜେଡି ସୁପ୍ରିମୋ
ବିଜେଡି ସୁପ୍ରିମୋ ଚଳିତଥର ୨ଟି ଆସନରୁ ନିର୍ବାଚନ ମୈଦାନକୁ ଓହ୍ଲାଇଥିଲେ । ପାରମ୍ପରିକ ହିଞ୍ଜିଳି ଆସନ ସହ ବିଜେପୁରରୁ ପ୍ରାର୍ଥୀ ହୋଇଥିଲେ ନବୀନ । ଦୀର୍ଘ ୧୯ ବର୍ଷ ଧରି ହିଞ୍ଜିଳିରୁ ଲଢି ଆସୁଥିବା ନବୀନ ପ୍ରଥମ ଥର ପାଇଁ ପଶ୍ଚିମ ଓଡିଶାର ବିଜେପୁର ଆସନରୁ ମଧ୍ୟ ମୈଦାନକୁ ଓହ୍ଳାଇଥିଲେ । ଏହି ୨ଟି ଆସନରେ ବିଜେଡି ସୁପ୍ରିମୋଙ୍କ ବିଜୟ ସମ୍ଭାବନା ରହିଥିବା ଏକଜିଟ୍ ପୋଲ ରିପୋର୍ଟରେ ସାମ୍ନାକୁ ଆସିଛି ।

ନିରଞ୍ଜନ ପଟ୍ଟନାୟକ : କଂଗ୍ରେସ ସୁପ୍ରିମୋ
ନବୀନଙ୍କ ଭଳି କଂଗ୍ରେସ ମୁଖିଆ ନିରଞ୍ଜନ ମଧ୍ୟ ୨ ଆସନ ଫର୍ମୁଲା ଆପଣାଇଥିଲେ । ଗତଥର ନିର୍ବାଚନ ଲଢିନଥିବା ନିରଞ୍ଜନ ଚଳିତଥର ପାରମ୍ପରିକ ଘଷିପୁରା ଆସନ ସହ ଭଣ୍ଡାରିପୋଖରୀରୁ ନିଜର ଭାଗ୍ୟ ପରୀକ୍ଷା କରିବା ପାଇଁ ମୈଦାନକୁ ଓହ୍ଲାଇଥିଲେ । ସମ୍ବାଦ-କନକ ନ୍ୟୁଜ୍ ଏକଜିଟ୍ ପୋଲ୍ ରିପୋର୍ଟରେ ୨ଟି ଆସନରୁ ନିରଞ୍ଜନ ଗୋଟିଏ ଆସନରେ ବିଜୟୀ ଟୀକା ପିନ୍ଧିପାରନ୍ତି । ପାରମ୍ପରିକ ଘଷିପୁରା ଆସନରୁ ହେଭିୱେଟ ବଦ୍ରି ପାତ୍ରଙ୍କୁ ମାତ୍ ଦେଇ ପୁଣିଥରେ ବିଧାନସଭାକୁ ଏଣ୍ଟ୍ରି କରିପାରନ୍ତି ପିସିସି ସଭାପତି । ତେବେ ଭଣ୍ଡାରିପୋଖରୀରୁ ନିରଞ୍ଜନଙ୍କୁ ପରାଜୟର ସାମ୍ନା କରିବାକୁ ପଡିପାରେ ।

ବସନ୍ତ ପଣ୍ଡା : ବିଜେପି ସୁପ୍ରିମୋ
ଦିଲ୍ଲୀ ଲଢେଇ ପାଇଁ ଚଳିତଥର ବିଜେପି ମୁଖିଆ ବସନ୍ତଙ୍କୁ ବାଛିଥିଲା ଦଳ । ନୂଆପଡା ବିଧାନସଭା ବଦଳରେ କଳାହାଣ୍ଡି ଲୋସସଭା ଆସନରୁ ମୈଦାନକୁ ଓହ୍ଲାଇଥିଲେ ବସନ୍ତ । କିନ୍ତୁ ବସନ୍ତଙ୍କ ପାଇଁ ଚଳିତ ନିର୍ବାଚନରେ ଜିତିବା ସହଜ ହୋଇନପାରେ । ସମ୍ବାଦ-କନକ ନ୍ୟୁଜ୍ ଏକଜିଟ୍ ପୋଲ ରିପୋର୍ଟ ଅନୁଯାୟୀ, କଳାହାଣ୍ଡିରେ କ୍ଲୋଜ ଫାଇଟ ଦେଖିବାକୁ ମିଳିପାରେ ଅଥାର୍ତ କଳାହାଣ୍ଡିରେ ତ୍ରିମୁଖୀ ଲଢେଇ ହୋଇପାରେ । କାରଣ ବସନ୍ତଙ୍କ ସହ ମୈଦାନରେ ରହିଥିଲେ କଂଗ୍ରେସ ଓ ବିଜେଡିର ହେଭିୱେଟ ଭକ୍ତ ଦାସ ଓ ପୁଷ୍ପେନ୍ଦ୍ର ସିଂହଦେଓ । ତେଣୁ ଦିଲ୍ଲୀ ଲଢେଇରେ ବାଜି ମାରିବା କାହା ପାଇଁ ସହଜ ହୋଇନପାରେ । କାରଣ ଭକ୍ତ ଦାସ ଏହା ପୂର୍ବରୁ କଳାହାଣ୍ଡିର ସାଂସଦ ରହିଥିବା ବେଳେ ବିଜେଡିର ହେଭିୱେଟ ମନ୍ତ୍ରୀଙ୍କ ମଧ୍ୟରୁ ଅନ୍ୟତମ ଥିଲେ ପୁଷ୍ପେନ୍ଦ୍ର । ଏସବୁ ଭିତରେ କଳାହାଣ୍ଡି କିଙ୍ଗ୍ କିଏ ହେବ ତାହା ଏକଜିଟ୍ ପୋଲ ରିପୋର୍ଟରେ ସ୍ପଷ୍ଟ ହୋଇନଥିବା ବେଳେ ମେ ୨୩ରେ ଫଳାଫଳ ସାମ୍ନାକୁ ଆସିବ ।