କେବେ ମିଳିବ କାଳିଆର ଦର୍ଶନ ? ଭାବର ଠାକୁରଙ୍କୁ ଦେଖିବାକୁ ଆବେଗର ସହ ଅପେକ୍ଷା କରିଛି ଭକ୍ତ । ଜୁନ୍ ୮ରୁ ଖୋଲିବ ଧର୍ମାନୁଷ୍ଠାନ, ଖୋଲିବ କି ପୁରୀ ଶ୍ରୀମନ୍ଦିର ?

247

କନକ ବ୍ୟୁରୋ : କେବେ ମିଳିବ ଜଗାର ଦର୍ଶନ । ଭକ୍ତ ଆବେଗର ସହିତ ଅପେକ୍ଷା କରୁଛି । ତାଲାବନ୍ଦ କଟକଣା ଭିତରେ ବନ୍ଦ ରହିଛି ଶ୍ରୀମନ୍ଦିର । ତେବେ ଜୁନ ୮ ତାରିଖରୁ ଧର୍ମାନୁଷ୍ଠାନ ଖୋଲିବା ନେଇ ସରକାର ଘୋଷଣା କରିବାପରେ ଏବେ ପ୍ରଶ୍ନ ଉଠୁଛି, ପୁରୀର ଶ୍ରୀଜଗନ୍ନାଥ ମନ୍ଦିର ଖୋଲିବ ନା ନାହିଁ । କାରଣ କରୋନା ସଂକ୍ରମଣ ଦିନକୁ ଦିନ ବଢୁଥିବାରୁ କଟକଣା ନହଟାଇବା ପାଇଁ କହୁଛନ୍ତି ସଂସ୍କୃତି ଗବେଷକ ।

ମାସ ମାସ ହୋଇଗଲାଣି ଠାକୁରଙ୍କ ଦର୍ଶନ ପାଇନି ଭକ୍ତ । ଆଉ ଭକ୍ତ ପାଇଁ ସିଂହଦ୍ୱାର କେବେ ଖୋଲିବ ତାର ବି କୌଣସି ସ୍ପଷ୍ଟ ଉତ୍ତର ନାହିଁ ।

ଜୁନ୍ ୮ରୁ ଖୋଲିବ ଧର୍ମାନୁଷ୍ଠାନ, ଖୋଲିବ କି ପୁରୀ ଶ୍ରୀମନ୍ଦିର ? ଶ୍ରୀମନ୍ଦିର ଖୋଲିବା ନେଇ ରାଜ୍ୟ ସରକାର କଣ ନିଷ୍ପତି ନେବେ, ତାହା ଉପରେ ସମସ୍ତଙ୍କ ନଜର ରହିଛି । ବରିଷ୍ଠ ସେବାୟତ, ସଂସ୍କୃତି ଗବେଷକ, ସମସ୍ତଙ୍କ ମତ ହେଉଛି, ପୁରୀ ଶ୍ରୀମନ୍ଦିରରୁ ଏତେଶିଘ୍ର କଟକଣା ନହଟୁ । କାରଣ କରୋନା ସଂକ୍ରମଣ ପ୍ରତିଦିନ ରେକର୍ଡ ଭାଙ୍ଗୁଛି ଏବଂ କରୋନା କାୟା ମେଲାଉଛି ।

ସେପଟେ ଗତକାଲି ପରିଚାଳନା କମିଟି ମଧ୍ୟ ସେହି ମତ ରଖିଛି । ବୈଠକ ପରେ ଗଜପତି ମହାରାଜ କହିଥିଲେ, ପୁରୀ ଶ୍ରୀମନ୍ଦିର ଏକ ସାଧାରଣ ମନ୍ଦିର ନୁହେଁ । ଏବଂ ହଠାତ୍ ଏହାକୁ ଖୋଲିଦେଲେ ପରିସ୍ଥିତି ଖରାପ ଆଡକୁ ଯାଇପାରେ । ତେଣୁ ନିଳାଦ୍ରୀ ବିଜେ ପର୍ଯ୍ୟନ୍ତ ମନ୍ଦିର ବନ୍ଦ ରଖିବା ପାଇଁ ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ଦିଆଯାଇଛି ।

କେନ୍ଦ୍ର ସରକାରଙ୍କ ଅନୁମତି ପରେ ରାଜ୍ୟରେ ଧିରେ ଧିରେ ଜୁନ୍ ୮ ତାରିଖରୁ ମନ୍ଦିର, ମସଜିଦ୍ ଓ ଚର୍ଚ୍ଚ ଖୋଲିପାରେ । ଏଥିପାଇଁ ରାଜ୍ୟ ସରକାର ନିୟମାବଳୀ ଜାରି କରିପାରନ୍ତି । ତେବେ ଅତ୍ୟଧିକ ଭିଡର ସମ୍ଭାବନା ଥିବା ଧର୍ମାନୁଷ୍ଠାନ କ୍ଷେତ୍ରରେ ସରକାର ପରିସ୍ଥିତିକୁ ଦେଖି ନିଷ୍ପତି ନେଇପାରନ୍ତି ।