ଲୋକସଭା ନୁହେଁ ଏଥର ରାଜ୍ୟସଭାରୁ ସଂସଦକୁ ଯାଇପାରନ୍ତି ସୋନିଆ ଗାନ୍ଧୀ । ରାଜସ୍ଥାନରୁ ରାଜ୍ୟସଭା ଯିବା ନେଇ ବଢିଲା ଚର୍ଚ୍ଚା

130

କନକ ବ୍ୟୁରୋ : ଆଗକୁ ରାଜ୍ୟସଭା ନିର୍ବାଚନ । କେଉଁ ଦଳରୁ କିଏ ଯିବେ ରାଜ୍ୟସଭା, ଏଥିପାଇଁ ଅଙ୍କକଷା ଚାଲିଛି । ଏସବୁ ଭିତରେ ସୋନିଆ ଗାନ୍ଧୀଙ୍କୁ ନେଇ ଆସୁଛି ବଡ଼ ସୂଚନା । ଲୋକସଭାରୁ ନୁହେଁ ରାଜ୍ୟସଭାରୁ ଏଥର ସଂସଦକୁ ଯାଇପାରନ୍ତି, ପୂର୍ବତନ ବିରୋଧୀ ଦଳ ନେତା ତଥା କଂଗ୍ରେସର ପୂର୍ବତନ ଅଧ୍ୟକ୍ଷା ସୋନିଆ ଗାନ୍ଧୀ । ରାଜସ୍ଥାନରୁ ରାଜ୍ୟସଭା ଯାଇପାରନ୍ତି ସୋନିଆ ଗାନ୍ଧୀ ।

ରାଜ୍ୟସଭାରୁ ୩ଟି ଆସନ ଖାଲି ହେବାକୁ ଯାଉଛି । ଏଥି ୩ଟି ଆସନ ମଧ୍ୟରୁ ଗୋଟିଏ ଆସନରେ ସୋନିଆ ଗାନ୍ଧୀ ରାଜ୍ୟସଭା ଯାଇପାରନ୍ତି । ସଂଖ୍ୟା ଗଣିତର ଆକଳନ ଅନୁସାରେ ୨ଟି ଆସନ ବିଜେପି ଖାତାକୁ ଯାଉଥିବା ବେଳେ ଗୋଟିଏ ଆସନରେ କଂଗ୍ରେସ ଜିତିବାର ସଂଭାବନା ରହିଛି । ତେବେ ରାଜ୍ୟସଭା ଆସନ ପାଇଁ ହେବାକୁ ଥିବା ୫୬ ଆସନରୁ ୧୦ଟି ଆସନରେ କଂଗ୍ରେସ ଜିତିବାର ସମ୍ଭାବନା ରହିଛି । ତେଲେଙ୍ଗାନାରୁ ୨, କର୍ଣ୍ଣାଟକରୁ ୩, ରାଜସ୍ତାନ, ମହାରାଷ୍ଟ୍ର, ହିମାଚଳ ପ୍ରଦେଶ ଏବଂ ବିହାରୁ ଗୋଟିଏ ଲେଖାଏଁ ଆସନରୁ ବିଜୟୀ ହୋଇପାରେ କଂଗ୍ରେସ । ସୋନିଆ ଗାନ୍ଧୀ, ରାଜସ୍ତାନରୁ ରାଜ୍ୟସଭା ଯିବା ପରେ ତାଙ୍କ ଆସନରୁ ଲୋକସଭା ନିର୍ବାଚନ ଲଢ଼ିପାରନ୍ତି, ପ୍ରିୟଙ୍କା ଗାନ୍ଧୀ । ରାଏବରେଲି ଲୋକସଭା ଆସନରୁ ନିର୍ବାଚନ ଲଢ଼ିପାରନ୍ତି ପ୍ରିୟଙ୍କା । ୨୦୦୪ରୁ ରାଏବରେଲି ଆସନରୁ ଜିତି ଆସୁଛନ୍ତି ସୋନିଆ ଗାନ୍ଧୀ ।