କନକ ବ୍ୟୁରୋ : ମା’କୁ ମାରି ପୋଡି ଦେଲା ପୁଅ । ଏଭଳି ଏକ ଅଭିଯୋଗ ଏବେ ନିମାପଡାରେ ଚାଂଚଲ୍ୟ ଖେଳାଇଦେଇଛି । ଗୋପୀନାଥପୁର ଗାଁରୁ ଅର୍ଦ୍ଧର୍ଦଗ୍ଧ ମହିଳାଙ୍କ ମୃତଦେହ ଉଦ୍ଧାର ହୋଇଛି । ବଳଙ୍ଗା ପୋଲିସ ପହଁଚି ତଦନ୍ତ ଆରମ୍ଭ କରିଛି । ସେପଟେ ଅଭିଯୋଗକୁ ପୁଅ ଖଣ୍ଡନ କରିବା ସହ କହିଛନ୍ତି ଯେ, ତାଙ୍କ ମା ନିଖୋଜ ଅଛନ୍ତି, ମିଳିଥିବା ମୃତଦେହ ତାଙ୍କ ମା’ଙ୍କର ନୁହେଁ ।

Advertisment

ପୁରୀ ଜିଲ୍ଳା ବଳଙ୍ଗା ଥାନା ଗୋପିନାଥପୁର ଗାଁରୁ ଆସିଥିବା ଏହି ଖବର ଦ୍ୱନ୍ଦ୍ୱ ସୃଷ୍ଟି କରିଛି । ଗୋଟିଏ ପଟେ ମା’ ସୁଲୋଚନା ସେନାପତି ନିଖୋଜ ଥିବା ସକାଳୁ ସକାଳୁ ଥାନାରେ ଏତଲା ଦେଇଥିଲେ ପୁଅ ଧଡିଆ ସେନାପତି । ଅନ୍ୟପଟେ ତାଙ୍କ ଘର ପଛ ପଟ ବାଡିରେ ଏକ ଅଧାପୋଡା ଶବ ପଡିଥିବା ଗାଁ ଲୋକ ପୋଲିସକୁ ଖବର ଦେଇଥିଲେ । ଖବର ପାଇବା ପରେ ପୋଲିସ ଘଟଣାସ୍ଥଳରେ ପହଁଚି ଯାହା ଦେଖିଥିଲା ତାହା ବିଚଳିତ କରିଦେବ । ଅଧା ପୋଡା ଅବସ୍ଥାରେ ପଡିଛି ଜଣେ ମହିଳାଙ୍କ ଶବ । ମୁଣ୍ଡରୁ ଆଂଠୁ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଶରୀର ଜଳି ଯାଇଛି । କିନ୍ତୁ ଆଂଠୁ ତଳକୁ ଗୋଡର ଅବଶିଷ୍ଟ ଅଂଶ ପଡି ରହିଛି । ମୃତ ଦେହର ଅବଶିଷ୍ଟାଂଶକୁ ପୋଲିସ ଉଦ୍ଧାର କରିବା ସହ ପାଖରେ ପଡିଥିବା ମୋବାଇଲ, କିରୋସିନ୍ ଜାରକୁ ଜବତ କରିଛି । ସାଇଂଟିଫିକ୍ ଓ ଫରେନସିକ୍ ଟିମ୍ ପହଁଚି ପାରିପାଶ୍ୱର୍କ ସ୍ଥିତିର ଯାଂଚ କରିବା ସହ ପୂରା ଅଂଚଳର ଫଟୋଗ୍ରାଫି ଓ ମ୍ୟାପିଂ କରିଛନ୍ତି । ଗାଁ ଲୋକଙ୍କ କହିବା କଥା ମୃତ ଦେହ ହେଉଛି ସୁଲୋଚନାଙ୍କର । ତାଙ୍କୁ ତାଙ୍କ ପୁଅ ମାରି ପ୍ରମାଣ ନଷ୍ଟ କରିବା ପାଇଁ ପୋଡି ଦେଇଛି ।

ହେଲେ ଗ୍ରାମାବାସୀଙ୍କ ଅଭିଯୋଗକୁ ଖଣ୍ଡନ କରିଛି ପୁଅ ଧଡିଆ । ଉଦ୍ଧାର ହୋଇଥିବା ଅଧାପୋଡ ଶବ ତାଙ୍କ ମାଙ୍କର ନୁହେଁ ବୋଲି କହିଛନ୍ତି । ସୁଲୋଚନାଙ୍କ ବୋହୁ ମଧ୍ୟ କିଛି ଜାଣିନଥିବା କହିଛନ୍ତି । ଗ୍ରାମବାସୀଙ୍କ ଅଭିଯୋଗ ଓ ପୁଅ ଧଡିଆର ବୟାନ ପୋଲିସ ପାଇଁ ଦ୍ୱନ୍ଦାତ୍ମକ ପରିସ୍ଥିତି ସୃଷ୍ଟି କରିଛି । ମିଳିଥିବା ଶବ କାହାର ଚିହ୍ନଟ କରିବା ପୋଲିସ ପାଇଁ ବଡ ଚ୍ୟାଲେଞ୍ଜ ହୋଇଛି । ଏଥିସହ ଯଦି ସେହି ଶବ ସୁଲୋଚନାଙ୍କର ନୁହେଁ ତେବେ ସେ ଗଲେ କୁଆଡେ? ତା ବାହାର କରିବା ପୋଲିସ ପାଇଁ ବଡ ଚ୍ୟାଲେଞ୍ଜ ହୋଇଛି । ଏସବୁ ଭିତରେ ଅଭିଯୁକ୍ତ ପୁଅ ଧଡିଆଙ୍କୁ ଧରି ପଚରାଉଚୁରା କରୁଛି ପୋଲିସ ।