ଯୁକ୍ତ ୩ ନାମଲେଖା ପାଇଁ ୮ରୁ ଆବେଦନ : ଏଥର ସମ୍ପୂର୍ଣ୍ଣ ଅନଲାଇନରେ ନାମ ଲେଖା

ଯୁକ୍ତ ୩ ନାମଲେଖା ପାଇଁ ୮ରୁ ଆବେଦନ : ଏଥର ସମ୍ପୂର୍ଣ୍ଣ ଅନଲାଇନରେ ନାମ ଲେଖା

image courtesy -Hindustan Times

କନକ ବ୍ୟୁରୋ : ରାଜ୍ୟରେ ଥିବା ଯୁକ୍ତ ୩ କଲେଜ (ଡିଗ୍ରି କଲେଜ, ସେଲ୍ଫ ଫାଇନାସିଂ କଲେଜ, ସଂସ୍କୃତ କଲେଜ)ରେ ନାମଲେଖା ପାଇଁ ଆସନ୍ତା ୮ତାରିଖ ପୂର୍ବାହ୍ନ ୧୧ରୁ ଆବେଦନ ପ୍ରକ୍ରିୟା ଆରମ୍ଭ ହେବ। ଛାତ୍ରଛାତ୍ରୀଙ୍କ ପାଇଁ www.dheodisha.gov.in/ www.samsodisha.gov.in ୱେବ୍‌ସାଇଟ୍‌ରେ କମନ୍‌ ଆପ୍ଲିକେସନ୍‌ ଫର୍ମ(ସିଏଏଫ) ଉପଲବ୍ଧ ହେବ ଏବଂ ସେପ୍ଟେମ୍ବର ୨୨ ତାରିଖ ରାତି ୧୧ଟା ୪୫ ସୁଦ୍ଧା ଆବେଦନ କରିପାରିବେ। ୨୮ ତାରିଖ ପୂର୍ବାହ୍ନ ୧୧ଟାରେ ପ୍ରଥମ ମେରିଟ ଲିଷ୍ଟ ପ୍ରକାଶ ପାଇବ। ଏଥର କେବଳ ଅନଲାଇନ୍‌ରେ ନାମଲେଖା ଅନୁଷ୍ଠିତ ହେବ। ସେପ୍ଟେମ୍ବର ୨୮ରୁ ଅକ୍ଟୋବର ୧ ତାରିଖ ରାତି ୧୧ଟା ୪୫ ସୁଦ୍ଧା ଛାତ୍ରଛାତ୍ରୀ ସାମ୍ସ ଆକାଉଣ୍ଟରେ ଅନଲାଇନରେ ନାମଲେଖା ଫି’ ଦାଖଲ କରିପାରିବେ।

୨୯ ତାରିଖରୁ ଅକ୍ଟୋବର ୨ ମଧ୍ୟରେ ପ୍ରଥମ ପର୍ଯ୍ୟାୟ ନାମଲେଖା ସମ୍ପର୍କିତ ତଥ୍ୟ ଅନ୍‌ଲାଇନ୍‌ରେ ପ୍ରଦର୍ଶିତ ହେବ। ୩ ତାରିଖ ସନ୍ଧ୍ୟା ୫ଟାରେ କେତେ ଛାତ୍ରଛାତ୍ରୀ ନାମ ଲେଖାଇଲେ, ସେ ସମ୍ପର୍କିତ ତଥ୍ୟ ୱେବ୍‌ସାଇଟ୍‌ରେ ଉଲ୍ଲେଖ କରାଯିବ। ଅକ୍ଟୋବର ୮ରେ ଦ୍ୱିତୀୟ ପର୍ଯ୍ୟାୟ ମେରିଟ ଲିଷ୍ଟ ପ୍ରକାଶ ପାଇବ ଏବଂ ଅକ୍ଟୋବର ୮ରୁ ୧୦ ତାରିଖ ମଧ୍ୟରେ ଛାତ୍ରଛାତ୍ରୀ ଅନଲାଇନରେ ନାମଲେଖା ଫି ଦାଖଲ କରିପାରିବେ। ଦ୍ୱିତୀୟ ପର୍ଯ୍ୟାୟ ନାମଲେଖା ସମ୍ପର୍କରେ ଚୂଡ଼ାନ୍ତ ତଥ୍ୟ ଅକ୍ଟୋବର ୧୩ ତାରିଖ ଅପରାହ୍‌ଣ ୫ଟାରେ ପ୍ରକାଶ ପାଇବ। ସ୍ପଟ୍‌ ନାମଲେଖା ସମ୍ପର୍କରେ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ କଲେଜଗୁଡ଼ିକୁ ସ୍ୱତନ୍ତ୍ର ଗାଇଡ୍‌ଲାଇନ୍‌ ପଠାଯିବ ବୋଲି ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତିରେ କୁହାଯାଇଛି।

ଏଥର ନାମଲେଖା ପ୍ରକ୍ରିୟା ସମ୍ପୂର୍ଣ୍ଣ ଭାବେ ସାମ୍ସ ଇ-ଆଡମିସନ୍‌ ମାଧ୍ୟମରେ କରାଯିବ। ଯୁକ୍ତ୨ ପରୀକ୍ଷା ପରେ କେତେକ ଶିକ୍ଷାନୁଷ୍ଠାନ ଗ୍ରୀଷ୍ମ ଅବକାଶ(ସମର କୋର୍ସ) କହି ଛାତ୍ରଛାତ୍ରୀଙ୍କଠାରୁ ମାର୍କସିଟ୍‌ ଓ ସାର୍ଟଫିକେଟ୍‌ ନେଇଥା’ନ୍ତି। ଯଦି କୌଣସି ଶିକ୍ଷାନୁଷ୍ଠାନ ଏଭଳି ମାଗୁଛନ୍ତି, ତେବେ ଛାତ୍ରଛାତ୍ରୀ ନିଜ ମାର୍କସିଟ୍‌ ଓ ସାର୍ଟିଫିକେଟ୍‌ ନ ଦେବାକୁ ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ପରାମର୍ଶ ଦିଆଯାଇଛି। ଅନ୍‌ଲାଇନ୍‌ରେ ଇ-ଆଡମିସନ୍‌ ସମ୍ବନ୍ଧୀୟ ସମସ୍ତ ଦେୟ ପୈଠ କରାଯିବ। ସେଥିପାଇଁ ଛାତ୍ରଛାତ୍ରୀ କୌଣସି ବ୍ୟକ୍ତିଙ୍କୁ ଟଙ୍କା ନ ଦେବାକୁ କୁହାଯାଇଛି।

ଇ-ଆଡମିସନ୍‌ ପ୍ରକ୍ରିୟାରେ ମେଧା ଭିତ୍ତିରେ ବିଦ୍ୟାର୍ଥୀଙ୍କୁ ମନୋନୟନ କରାଯିବ। ୨୦୨୦-୨୧ ଶିକ୍ଷାବର୍ଷରେ ଅଟୋ ସ୍ଲାଇଡ୍‌ ଅଫ୍‌ ବ୍ୟବସ୍ଥାକୁ ଉଚ୍ଛେଦ କରାଯାଇଛି। ଛାତ୍ରଛାତ୍ରୀ ଗୋଟିଏ କଲେଜରେ ନାମ ଲେଖାଇବା ପରେ ଯଦି ଉପର ପସନ୍ଦ କଲେଜରେ ନାମ ଲେଖାଇବାକୁ ଯିବାକୁ ଚାହିବେ, ସେମାନଙ୍କୁ ଅନ୍‌ଲାଇନ୍‌ରେ ସ୍ଲାଇଡ୍‌ ଅପ୍‌ ଫର୍ମ ପୂରଣ କରିବାକୁ ପଡ଼ିବ। ଛାତ୍ରଛାତ୍ରୀ ଯଦି ଦେଇଥିବା କୌଣସି ଅର୍ଥ ଫେରି ପାଇବାକୁ ଥିବେ, ତେବେ ସେ ଟଙ୍କା ଛାତ୍ରଛାତ୍ରୀ ଆବେଦନ ସମୟରେ ଦେଇଥିବା ବ୍ୟାଙ୍କ ଆକାଉଣ୍ଟରେ ପାଇବେ ବୋଲି ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ କୁହାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe