କେନ୍ଦୁଝରକୁ ଗଡିବ ମେମୁ ଟ୍ରେନ । ଆସନ୍ତା ୧୨ ରୁ କେନ୍ଦୁଝରରୁ ଭୁବନେଶ୍ୱର ଗଡିବ ମେମୁ ଟ୍ରେନ

475

କନକ ବ୍ୟୁରୋ : କେନ୍ଦୁଝରକୁ ଗଡିବ ମେମୁ ଟ୍ରେନ । ଆସନ୍ତା ୧୨ ରୁ କେନ୍ଦୁଝରରୁ ଏହି ନୂଆ ଟ୍ରେନ ଗଡିବାର ଯୋଜନା ରହିଛି । ଆସନ୍ତା ୧୨ ତାରିଖଠାରୁ ଭୁବନେଶ୍ୱର ଓ କେନ୍ଦୁଝରଗଡ଼ ମଧ୍ୟରେ ଚଳାଚଳ କରୁଥିବା କେନ୍ଦୁଝରଗଡ଼-ଭୁବନେଶ୍ୱର-କେନ୍ଦୁଝରଗଡ଼ ପାସେଞ୍ଜର ଟ୍ରେନ୍‌(୫୮୪୨୫/୫୮୪୨୬) ବଦଳରେ ମେମୁ ଟ୍ରେନ ଚାଲିବ। ଏହି ମାର୍ଗରେ ନୂତନ ମେମୁ ଟ୍ରେନ ପ୍ରଚଳନ ହେବା ପରେ ପୂର୍ବରୁ ଚଳାଚଳ କରୁଥିବା ପାସେଞ୍ଜର ଟ୍ରେନକୁ ଅପସାରିତ କରାଯିବ। ଏହି ମେମୁ ଟ୍ରେନ(୬୮୪୨୫/୬୮୪୨୬) କେନ୍ଦୁଝରଗଡ଼-ଭୁବନେଶ୍ୱର-କେନ୍ଦୁଝରଗଡ଼ ମେମୁ ଭାବେ ଭୁବନେଶ୍ୱରରୁ ଚଳିତ ମାସ ୧୨ ତାରିଖ ଓ ୧୩ ତାରିଖଠାରୁ କେନ୍ଦୁଝରଗଡ଼ରୁ ଚଳାଚଳ କରିବ।

ମେମୁ ପୂର୍ବ ପାସେଞ୍ଜର ଟ୍ରେନର ସ୍ଥିରୀକୃତ ଷ୍ଟେସନ ଓ ସମୟ ସାରଣୀ ଅନୁଯାୟୀ ଭୁବନେଶ୍ୱର ଓ କେନ୍ଦୁଝରଗଡ଼ ମଧ୍ୟରେ ଚାଲିବ। ସେହିପରି ଯାତ୍ରୀଙ୍କ ଭିଡ଼କୁ ଦୃଷ୍ଟିରେ ରଖି ପୂର୍ବତଟ ରେଳପଥ ପକ୍ଷରୁ ଅନୁଗୁଳ ଓ ପୁରୀ ମଧ୍ୟରେ ଚଳାଚଳ କରୁଥିବା ପୁରୀ-ଅନୁଗୁଳ-ପୁରୀ ମେମୁ ଟ୍ରେନ(୬୮୪୨୨/୬୮୪୨୧)ରେ ଆହୁରି ୪ଟି ଅତିରିକ୍ତ ବଗି ସ୍ଥାୟୀ ଭାବେ ସଂଯୋଗ କରିବାକୁ ସ୍ଥିର ହୋଇଛି। ଏହି ଟ୍ରେନ ଆସନ୍ତା ୧୧ ତାରିଖଠାରୁ ଭୁବନେଶ୍ୱରରୁ ଓ ୧୨ ତାରିଖଠାରୁ ଅନୁଗୁଳରୁ ଏହା୧୨ଟି କୋଚ ବଦଳରେ ୧୬ଟି କୋଚରେ ଚଳାଚଳ କରିବ। ଏହା ଓଡ଼ିଶାରେ ଦୀର୍ଘତମ ମେମୁ ଟ୍ରେନ ହେବ।