ଏସ୍‌ସିବିରେ ଆରମ୍ଭ ହେବ ପ୍ଲାଜ୍‌ମାଥେରାପି, ଆଇସିଏମ୍‌ଆର ଅନୁମତିକୁ ଅପେକ୍ଷା

124

କନକ ବ୍ୟୁରୋ : କୋଭିଡ୍‌-୧୯ ମୁକାବିଲା ପାଇଁ ଏସ୍‌ସିବିରେ ଆରମ୍ଭ ହେବ ପ୍ଲାଜ୍‌ମାଥେରାପି ରିସର୍ଚ୍ଚ। ଏହାକୁ ଆରମ୍ଭ କରିବା ପାଇଁ ଏସ୍‌ସିବି କର୍ତ୍ତୃପକ୍ଷ ଆଇସିଏମ୍‌ଆର ଅନୁମତିକୁ ଅପେକ୍ଷା କରିଛନ୍ତି। ଏହି ଅନୁମତି ମିଳିଲେ ଏସ୍‌ସିବି ରାଜ୍ୟର ପ୍ରଥମ ମେଡିକାଲ କଲେଜ ଭାବେ ପ୍ଲାଜ୍‌ମାଥେରାପି ଚିକିତ୍ସା ଓ ରିସର୍ଚ୍ଚ ବ୍ୟବସ୍ଥା ଆରମ୍ଭ କରିବ। ପ୍ଲାଜ୍‌ମାଥେରାପି ରିସର୍ଚ୍ଚ ପାଇଁ ଆବଶ୍ୟକ ଭିତ୍ତିଭୂମି, ଆନୁସଙ୍ଗିକ ବ୍ୟବସ୍ଥା ଓ ରୂପରେଖ ସମ୍ପର୍କରେ ବୁଧବାର ଏସ୍‌ସିବି ଡିନ୍‌ ତଥା ପ୍ରିନ୍‌ସିପାଲ ପ୍ରଫେସର ଡାକ୍ତର ଜୟଶ୍ରୀ ମହାନ୍ତିଙ୍କ ଅଧ୍ୟକ୍ଷତାରେ ବୈଷୟିକ କମିଟି ବୈଠକ ବସିଥିଲା। ଆଇସିଏମ୍‌ଆର ଅନୁମତି ମିଳିଲେ ଏସ୍‌ସିବିରେ ପ୍ଲାଜ୍‌ମାଥେରାପି ରିସର୍ଚ୍ଚ ଓ ଚିକିତ୍ସା ଆରମ୍ଭ ହୋଇପାରିବ ବୋଲି ବୈଠକ ପରେ ଡାକ୍ତର ଶ୍ରୀମତୀ ମହାନ୍ତି କହିଛନ୍ତି।

ବୈଠକରେ ଅଧୀକ୍ଷକ ପ୍ରଫେସର ଡାକ୍ତର ଅନ୍ନଦା ପ୍ରସାଦ ପଟ୍ଟନାୟକ, କୋଭିଡ୍‌ ନୋଡାଲ ଅଫିସର ତଥା ମେଡିସିନ୍‌ ବିଭାଗ ମୁଖ୍ୟ ଡାକ୍ତର ବିରଞ୍ଚି ମହାପାତ୍ର, ପଲ୍‌ମ୍ୟୁନାରି ବିଭାଗ ମୁଖ୍ୟ ପ୍ରଫେସର ଡାକ୍ତର ମନୋରଞ୍ଜନ ପଟ୍ଟନାୟକ, ନେଫ୍ରୋଲୋଜି ବିଭାଗ ମୁଖ୍ୟ ପ୍ରଫେସର ଡାକ୍ତର ଚିତ୍ତରଂଜନ କର, ମାଇକ୍ରୋବାୟୋଲୋଜି ବିଭାଗ ମୁଖ୍ୟ ପ୍ରଫେସର ଡାକ୍ତର ନିରୂପମା ଚୟନୀ, ଟ୍ରାନ୍ସଫ୍ୟୁଜନ୍‌ ମେଡିସିନ୍‌ ବିଭାଗ ମୁଖ୍ୟ ପ୍ରଫେସର ଡାକ୍ତର ପଙ୍କଜ ପରିଡା, ମେଡିସିନ୍‌ ବିଭାଗ ପ୍ର‌ଫେସର ଡାକ୍ତର ଜୟନ୍ତ ପଣ୍ଡା, ହୃଦ୍‌ରୋଗ ବିଭାଗ ମୁଖ୍ୟ ପ୍ରଫେସର ଡାକ୍ତର ଉତ୍ତମ ପଟ୍ଟନାୟକ, ନିଶ୍ଚେତକ ବିଭାଗ ମୁଖ୍ୟ ପ୍ରଫେସର ଡାକ୍ତର ଦୈତାରୀ ରାଉତ୍‌ରାୟ, ଫାର୍ମାକୋଲୋଜି ବିଭାଗ ମୁଖ୍ୟ ସବିତା ମହାପାତ୍ର, ଡାକ୍ତର ସ୍ମିତା ମହାପାତ୍ର, ମୀନାକ୍ଷୀ ମହାନ୍ତି, କୋଭିଡ୍‌ ହସ୍ପିଟାଲର ମୁଖ୍ୟ ଡାକ୍ତର ସମ୍ପଦ ଦାଶଙ୍କ ସମେତ କମିଟିର ସଦସ୍ୟମାନେ ଉପସ୍ଥିତ ଥିଲେ।

ସୂଚନାଯୋଗ୍ୟ, ବିଶ୍ବର ଅନେକ ଦେଶ ସମେତ ଭାରତର ଦିଲ୍ଲୀ, କେରଳ ଭଳି ୫ଟି ରାଜ୍ୟରେ ପ୍ଲାଜ୍‌ମାଥେରାପି ବ୍ୟବସ୍ଥା ମାଧ୍ୟମରେ କରୋନା ରୋଗୀଙ୍କ ଚିକିତ୍ସା କରାଯାଉଛି। ପ୍ଲାଜ୍‌ମାଥେରାପି ଚିକିତ୍ସା ଓ ରିସର୍ଚ୍ଚ ପାଇଁ ଏସ୍‌ସିବିରେ ସମସ୍ତ ଭିତ୍ତିଭୂମି ରହିଥିବାବେଳେ କେବଳ ଆଇସିଏମ୍‌ଆର ଅନୁମତି ମିଳିଲେ ଏହା ଆରମ୍ଭ କରାଯିବ। ଏହି ଚିକିତ୍ସା ବ୍ୟବସ୍ଥାରେ ସୁସ୍ଥ ହୋଇଥିବା କରୋନା ରୋଗୀଙ୍କଠାରୁ ପ୍ଲାଜ୍‌ମା ନିଆଯାଇ ଅନ୍ୟ କରୋନା ଆକ୍ରାନ୍ତଙ୍କ ଶରୀରରେ ପ୍ରୟୋଗ କରାଯିବ। ଏହାଦ୍ବାରା ଗୁରୁତର ରୋଗୀଙ୍କଠାରେ ଏକ ଆଣ୍ଟିବଡି ତିଆରି ହେବ ଓ ସେ ସୁସ୍ଥ ହୋଇପାରିବେ।

ସୁସ୍ଥ ହୋଇଥିବା ରୋଗୀଙ୍କ ରୋଗ ପ୍ରତିରୋଧକ ଶକ୍ତି ଭଲଥିବାରୁ ସୁସ୍ଥ ହେବାପରେ ସେମାନେ ଚାହିଁଲେ ନିଜର ପ୍ଲାଜ୍‌ମା ଦାନ କରିପାରିବେ। ଜଣେ ସୁସ୍ଥ ରୋଗୀଙ୍କଠାରୁ ନିଆଯାଉଥିବା ୬ଶହ ମିଲି ପ୍ଲାଜ୍‌ମା ୩ଜଣ ଗୁରୁତର କରୋନା ଆକ୍ରାନ୍ତଙ୍କ ପାଇଁ ବ୍ୟବହାର ହୋଇପାରିବ। ଏସ୍‌ସିବରେ ଏହି ଚିକିତ୍ସା ଓ ରିସର୍ଚ୍ଚକୁ ଆଇସିଏମ୍‌ଆର ଯଦି ଅନୁମତି ଦେବେ, ତେବେ କଟକର ଅଶ୍ବିନୀ କୋଭିଡ୍‌ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ଓ ସୁସ୍ଥ ହୋଇ ଘରକୁ ଫେରୁଥିବା କରୋନା ରୋଗୀଙ୍କ ସହମତିରେ ଏସ୍‌ସିବିରେ ସେମାନଙ୍କ ପ୍ଲାଜମା ସଂଗ୍ରହ କରାଯାଇ ସଂରକ୍ଷିତ ରଖାଯାଇପାରିବ। ଅପରପକ୍ଷରେ, ପ୍ଲାଜ୍‌ମାଥେରାପି ଚିକିତ୍ସାରେ ପାର୍ଶ୍ବ ପ୍ରତିକ୍ରିୟା ରହୁଥିବା ଦର୍ଶାଇ ଆଇସିଏମ୍‌ଆର ଉକ୍ତ ଚିକିତ୍ସାକୁ ବନ୍ଦ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି।