ବନ୍ଦହେବ ବ୍ଲକଗ୍ରାଂଟ ସ୍କୁଲ । ନିକଟତମ ସରକାରୀ ସ୍କୁଲ ସହ ମିଶିଯିବ ଅନୁଦାନ ପ୍ରାପ୍ତ, ବ୍ଲକ ଗ୍ରାଂଟ ଓ ନୂଆ ଅନୁଦାନ ପ୍ରାପ୍ତ ବିଦ୍ୟାଳୟ

1,258

କନକ ବ୍ୟୁରୋ : ରାଜ୍ୟରେ ଥିବା ବ୍ଲକଗ୍ରାଂଟ ବା ଅନୁଦାନ ପ୍ରାପ୍ତ ବିଦ୍ୟାଳୟଗୁଡିକୁ ସରକାରୀ ସ୍କୁଲ ସହ ମିଶ୍ରଣ କରାଯିବ । ପ୍ରଥମ ପର୍ଯ୍ୟାୟରେ ସରକାରୀ ବିଦ୍ୟାଳୟ ନିକଟରେ ଥିବା ବ୍ଲକଗ୍ରାଂଟ ତଥା ଅନୁଦାନ ପ୍ରାପ୍ତ ବିଦ୍ୟାଳୟ ଗୁଡିକୁ ମିଶ୍ରଣ କରିବାକୁ ସ୍ଥିର ହୋଇଛି । ସେଠାରେ ପଢୁଥିବା ପିଲାଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରାଯାଇ ସେହି ବିଦ୍ୟାଳୟକୁ ବନ୍ଦ କରିଦିଆଯିବ । ଗତ ଜାନୁଆରୀ ୧୯ ତାରିଖରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶଙ୍କ ଅଧ୍ୟକ୍ଷତାରେ ବସିଥିବା ଉଚ୍ଚସ୍ତରୀୟ ବୈଠକରେ ଏହି ନିଷ୍ପତି ନିଆଯାଇଛି । ତେବେ ନିଷ୍ପତିକୁ କାର୍ଯ୍ୟକାରୀ କରିବା ପୂର୍ବରୁ ରାଜ୍ୟର ସମସ୍ତ ବ୍ଲକ ଶିକ୍ଷା ଅଧିକାରୀଙ୍କ ଠାରୁ ମତାମତ ଲୋଡିଛି ଗଣଶିକ୍ଷା ବିଭାଗ ।

ଏହା ସହ ଆସନ୍ତା ୨୭ ତାରିଖ ସୁଦ୍ଧା ପ୍ରସ୍ତାବ ଦାଖଲ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ନିଷ୍ପତି ଅନୁସାରେ ବ୍ଲକଗ୍ରାଂଟ ବା ଅନୁଦାନପ୍ରାପ୍ତ ବା ନୂତନ ଅନୁଦାନ ପ୍ରାପ୍ତ ବିଦ୍ୟାଳୟଗୁଡିକୁ ନିକଟସ୍ଥ ସରକାରୀ ବିଦ୍ୟାଳୟରେ ମିଶ୍ରଣ ନେଇ ସରକାର ଏକ ନୀତି ଆଣିବେ । ଏହି ମିଶ୍ରଣ ପରେ ଏଠାରେ ନିଯୁକ୍ତ ଥିବା ଶିକ୍ଷକ ଓ ଶିକ୍ଷୟତ୍ରୀମାନେ ଅନ୍ୟ ବିଦ୍ୟାଳୟକୁ ଡେପୁଟେସନ୍ରେ ଯାଇ ପାଠ ପଢାଇବେ ବୋଲି ଚିଠିରେ ଉଲ୍ଲେଖ ରହିଛି ।