ଖୋଲିବ କି ସପିଂ ମଲ ? ସଂକ୍ରମଣ ବେଳେ ସ୍ଥିତି ଦେଖି ନିଷ୍ପତ୍ତି ନେବେ ସ୍ଥାନୀୟ ଅଧିକାରୀ, ଜିଲ୍ଲା ପ୍ରଶାସନ ହାତରେ କ୍ଷମତା ଛାଡିଲେ ରାଜ୍ୟ ସରକାର

1,121

କନକ ବ୍ୟୁରୋ: ଜୁଲାଇ ମାସରେ ସପିଂ ମଲ୍ ଖୋଲିବ ନା ନାହିଁ । ଏହାର ନିଷ୍ପତ୍ତି ସ୍ଥାନୀୟ ଜିଲ୍ଲାପାଳ ଓ ମୁନସିପାଲ କମିଶନରଙ୍କ ହାତରେ ଛାଡି ଦେଇଛନ୍ତି ରାଜ୍ୟ ସରକାର । କରୋନା ସଂକ୍ରମଣ ସ୍ଥିତିକୁ ଅନୁଧ୍ୟାନ କରି ସ୍ଥାନୀୟ ଅଧିକାରୀ ସପିଂ ମଲ ଖୋଲିବେ ନା ନାହିଁ ତାହାର ନିଷ୍ପତି ନେବେ । ଯଦି ସପିଂ ମଲ ଖୋଲାଯାଏ ତେବେ କଣ ସବୁ କଟକଣା ଲାଗୁକରାଯିବ ସେହି ନିଷ୍ପତି ମଧ୍ୟ ନେବେ ସ୍ଥାନୀୟ ଅଧିକାରୀ ।

ସେହିପରି ଦୋକାନ, ବଜାର, ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ ଖୋଲିବା କିମ୍ବା ବନ୍ଦ କରିିବା ନିଷ୍ପତି ମଧ୍ୟ ନେବେ ସ୍ଥାନୀୟ ଅଧିକାରୀ । ଏହାଛଡା ସ୍କୁଲ, କଲେଜ, ଟ୍ରେନିଂ, କୋଚିଂ ସେଂଟର ଓ ଅନ୍ୟ ଶିକ୍ଷାନୁଷ୍ଠାନଗୁଡିକ ଅଗଷ୍ଟ ୩୧ ତାରିଖ ଯାଏଁ ବନ୍ଦ ରହିବ । ପାଠପଢା ପାଇଁ ଶିକ୍ଷାନୁଷ୍ଠାନ ବନ୍ଦ ରହିବ କିନ୍ତୁ ପରୀକ୍ଷା କରାଯାଇପାରିବ ବୋଲି ସୂଚନା ଦେଇଛନ୍ତି ରାଜ୍ୟ ସରକାର । ରେଷ୍ଟୁରାଂଟ, ଢାବା ଖାଦ୍ୟ ପାର୍ସଲ ଦେଇପାରିବେ ।

ସେପଟେ ସଟଡାଉନ ସମୟରେ ମଧ୍ୟ ବିବାହ କାର୍ଯ୍ୟ ଓ ଅନ୍ତିମ ସଂସ୍କାର କରିପାରିବେ । ତେବେ ଏଥିପାଇଁ ସ୍ଥାନୀୟ ଅଧିକାରୀଙ୍କ ଠାରୁ ଅନୁମତି ଆଣି ଏହି କାର୍ଯ୍ୟ କରିପାରିବେ । ସ୍ଥାନୀୟ ଜିଲ୍ଲାପାଳ କିମ୍ବା ମୁନସିପାଲ କମିଶନରଙ୍କ ଠାରୁ ଅନୁମତି ଆଣି ବିବାହ ଓ ଶେଷକୃତ୍ୟ ସଂପନ୍ନ କରାଯାଇପାରିବ । ବିବାହ ପାଇଁ ସର୍ବାଧିକ ୫୦ ଜଣ ଲୋକ ଓ ୨୦ ଜଣ ଲୋକଙ୍କୁ ନେଇ ଅନ୍ତିମ ସଂସ୍କାର କରିବା ପାଇଁ ଅନୁମତି ମିଳିବ ।

ତେବେ ଏଟିଏମ ଓ ଆରବିଆଇର କାମ ଗୁଡିକ ମଧ୍ୟ ସଟଡାଉନ ସମୟରେ କରାଯାଇପାରିବ । ଆଜି ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି ରାଜ୍ୟ ସରକାର । ଖାଦ୍ୟର ହୋମ ଡେଲିଭରି, ଜମାଟୋ, ସ୍ୱିଗୀ ଭଳି ଅନଲାଇନରେ ଅର୍ଡର ନେଇ ଖାଦ୍ୟ ଯୋଗାଉଥିବା ସଂସ୍ଥା ମଧ୍ୟ କାମ କରିପାରିବେ । ଫୁଡ ଓ ଗ୍ରସୋରୀ ଦୋକାନ ଯେମିତି ରିଲାଏନ୍ସ ଫ୍ରେସ, ଚିଲିକା ଫ୍ରେସ, ବିଗବଜାର ଗୁଡିକୁ କେବଳ ହୋମ ଡେଲିଭରି ପାଇଁ ଅନୁମତି ଦିଆଯାଇଛି । ସେହିପରି ସଟଡାଉନ ସମୟରେ ଖବରକାଗଜ ହକରମାନେ ସକାଳ ୫ଟାରୁ ସକାଳ ୮ ଯାଏଁ ଖବରକାଗଜ ବଂଟନ କରିପାରିବେ ।