ଗୁଣପୁର ପ୍ରଚାର ସଭାରୁ ପୁଣି କେନ୍ଦ୍ରକୁ ଟାର୍ଗେଟ କଲେ ନବୀନ । କହିଲେ, ‘ଆହାର’ ଯୋଜନା ପାଇଁ ଅର୍ଥ ଦେବାକୁ ମନା କରିଦେଲା କେନ୍ଦ୍ର

କେନ୍ଦ୍ରୀୟ ଅବହେଳା କଥା ଉଠାଇ ବିଜେଡି ସୁପ୍ରିମୋ କହିଛନ୍ତି, ରାଜ୍ୟ ସରକାର ପିଇବା ପାଣି ପାଇଁ ୧୨ ହଜାର କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି । ହେଲେ କେନ୍ଦ୍ର ସରକାର ଦେଇଛନ୍ତି ମାତ୍ର ଏକ ହଜାର କୋଟି ଟଙ୍କା ।

570

କନକ ବ୍ୟୁରୋ: ରାୟଗଡାର ଗୁଣପୁରରେ ନିର୍ବାଚନୀ ସଭାକୁ ସମ୍ବୋଧିତ କରି କେନ୍ଦ୍ର ଉପରେ ବର୍ଷିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କହିଛନ୍ତି କେନ୍ଦ୍ର ସରକାରଙ୍କର ଗରିବ ଲୋକଙ୍କ ପାଇଁ ଆନ୍ତରିକତା ନାହିଁ । ଗରୀବଙ୍କ ପାଇଁ ରାଜ୍ୟ ସରକାର ଆହାର ଯୋଜନା ଆରମ୍ଭ କରିଛନ୍ତି । ହେଲେ ଏହି ଯୋଜନା ପାଇଁ କେନ୍ଦ୍ର ସରକାର ସହାୟତା ଦେବାକୁ ମନା କରିଦେଇଥିଲେ । ରାଜ୍ୟ ସରକାର ନିଜ ଉଦ୍ୟମରେ ଆହର ଯୋଜନା ଜାରି ରଖିଛନ୍ତି ।

ସେହିପରି କେନ୍ଦ୍ରୀୟ ଅବହେଳା କଥା ଉଠାଇ ବିଜେଡି ସୁପ୍ରିମୋ କହିଥିଲେ, ରାଜ୍ୟ ସରକାର ପିଇବା ପାଣି ପାଇଁ ୧୨ ହଜାର କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି । ହେଲେ କେନ୍ଦ୍ର ସରକାର ଦେଇଛନ୍ତି ମାତ୍ର ଏକ ହଜାର କୋଟି ଟଙ୍କା । ପ୍ରାକୃତିକ ବିପର୍ଯ୍ୟୟ ହୁଡହୁଡ ତିତିଲି ସମୟରେ କେହି ଆସିଲେନି, ଆମେ ଲୋକଙ୍କ ସହ ଠିଆ ହୋଇ ରହିଥିଲୁ । ଶେଷ ନିଶ୍ୱାସ ଥିବା ଯାଏଁ ଲୋକଙ୍କ ସେବା କରିବି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।

ଗୁଣପୁର ପରେ ବିଷମକଟକ ଓ ରାୟଗଡ଼ା ନିର୍ବାଚନମଣ୍ଡଳୀରେ ରାଲି ସହ ପ୍ରଚାର ସମାବେଶ କରିବେ ବିଜେଡି ସୁପ୍ରିମୋ । ରାୟଗଡ଼ାରେ ନିର୍ବାଚନ ପ୍ରଚାର ସାରି ନବୀନ ଅପରାହ୍ନରେ ଗଜପତିରେ ପହଂଚିବେ । ସେଠାରେ ସେ ମୋହନା ଓ ପାରଳାଖେମୁଣ୍ଡି ନିର୍ବାଚନୀ ପ୍ରଚାର କରିବେ । ରୋଡ୍ ସୋ କରିବା ସହ ନିର୍ବାଚନୀ ସଭାରେ ଉଦବୋଧନ ଦେବେ ନବୀନ ।