କାମ ଦେଇନଥିଲା ବିଭୂତି…ରକ୍ଷା କରିପାରିନଥିଲା ସିମେଣ୍ଟ ଗାଈ । ଦେଖନ୍ତୁ କେମିତି ହଠାତ୍ ସୁନାମି ଭଳି ଭୁଶୁଡି ଯାଇଥିଲା ଭଣ୍ଡ ସାରଥୀର ସାମ୍ରାଜ୍ୟ ।

376

କନକ ବ୍ୟୁରୋ : ମଥାରେ ଚନ୍ଦନ ଚିତା, ଆଉ ବେକରେ ଭର୍ତ୍ତି ଫୁଲମାଳ । ରାଜା ରାଜୁଡା ଭଳି ସିଂହାସନ ଆଉ ରାଜକୀୟ ଠାଣି । ଠିକ୍ ୬ ବର୍ଷ ତଳେ କମ୍ପୁଥିଲା କେନ୍ଦ୍ରାପଡାର ବାରିମୂଳ ଆଶ୍ରମ । ବାବା ସାରଥୀଙ୍କ ଦର୍ଶନ କରିବାକୁ ଆଉ ପ୍ରବଚନ ଶୁଣିବାକୁ ଜମୁଥିଲା ଲୋକଙ୍କ ଭିଡ । ବାରିମୂଳରେ ଛିଡା ହୋଇଥିଲା ଭଣ୍ଡ ସାରଥୀଙ୍କ କୋଟି କୋଟି ଟଙ୍କାର ସାମ୍ରାଜ୍ୟ । ଭକ୍ତଙ୍କ ଟଙ୍କାରେ ଅୟସ କରୁଥିଲେ ବାବା ସାରଥୀ । ତେବେ ଏମିତି କଣ ଘଟିଲା ଯେ, ଗୋଟିଏ ଝଟକାରେ ଭୁଷୁଡି ପଡିଥିଲା ବାବା ସାରଥୀଙ୍କ ସାମ୍ରାଜ୍ୟ । ଚକାଚକ୍ ଏସି ରୁମରୁ ବାବା ପହଂଚିଗଲେ ଜେଲର ଚାରିକାନ୍ଥ ଭିତରେ ।

ହାତରୁ ବିଭୂତି ବାହାର କରିବା ହେଉ, ଅବା ସିମେଂଟ ଗାଈରୁ କ୍ଷୀର, ଏମିତି କିଛି ଚମତ୍କାର କରି ଭକ୍ତଙ୍କ ପାଇଁ ୬ ବର୍ଷ ତଳେ ଭଗବାନ ପାଲଟିଯାଇଥିଲେ ସାରଥୀ । ଠିକଣା ଥିଲା ବାରିମୂଳ ଆଶ୍ରମ । ଦିନ ହେଉ ବା ରାତି, ପ୍ରତ୍ୟେକ ଦିନ ଏହି ଆଶ୍ରମକୁ ହଜାର ହଜାର ଭକ୍ତଙ୍କ ସୁଅ ଛୁଟୁଥିଲା । ଆଧ୍ୟାତ୍ମିକ ପ୍ରବଚନରେ ଫାଟି ପଡୁଥିଲା ପୂରା ବାରିମୂଳ । କିନ୍ତୁ ନିଜକୁ ଭକ୍ତଙ୍କ ନଜରରେ ଭଗବାନ ସଜାଇଥିବା ସାରଥୀ ଯେ, ବାସ୍ତବରେ ସୈତାନ ଥିଲେ, ତାହା ଧିରେ ଧିରେ ଫର୍ଚ୍ଚା ହୋଇଆସୁଥିଲା ।

ଅଗଷ୍ଟ ୪, ୨୦୧୫
ବାବାଙ୍କ କଳାକାରନାମାର ପ୍ରଥମ ଝଲକ ଦେଖିଲା ପୂରା ରାଜ୍ୟ
ହ୍ରାଇଦ୍ରାବାଦର ଗୋଲକୁଣ୍ଡା ହୋଟେଲରେ ବାବା ସାରଥୀ ଜଣେ ଯୁବତୀଙ୍କ ସହ ରୋମାନ୍ସ କରୁଥିବାର ଖବର ସାମ୍ନାକୁ ଆସିଲା । ଗଣମାଧ୍ୟମରେ ଏହି ଖବର ପ୍ରସାରିତ ହେବା ପରେ କେନ୍ଦ୍ରାପଡା ସମେତ ପୂରା ରାଜ୍ୟରେ ଜଳିଲା ଅସନ୍ତୋଷର ନିଆଁ । ଆଉ ଏହା ସହ ବଦଳିଯାଇଥିଲା ସାରଥୀଙ୍କ ପରିଚୟ । ରାତିରାତି ଆତ୍ମଘୋଷିତ ଭଗବାନ ପାଲଟିଗଲେ ଭଣ୍ଡ । ବାରିମୂଳରେ ଲାଗିଥିବା ଲିଆଁ ପୂରା ରାଜ୍ୟକୁ ବ୍ୟାପିଲା, ଆଉ ଭଣ୍ଡ ସାରଥୀଙ୍କୁ ଗିରଫ କରିବାକୁ ଚାରିଆଡୁ ଦାବି ଉଠିଲା ।

ଅଗଷ୍ଟ ୭, ୨୦୧୫
ସାରଥୀଙ୍କ ନାଁରେ ଆସିଲା ଯୌନ ଶୋଷଣ ଅଭିଯୋଗ
କଟକର ଏକ ଥାନାରେ ସାରଥୀଙ୍କ ନାଁରେ ଯୌନଶୋଷଣ ନେଇ ଅଭିଯୋଗ କରିଥିଲେ ଯୁବତୀ । ଆଉ ଏହି ଅଭିଯୋଗ ସାମ୍ନାକୁ ଆସିବା ପରେ କ୍ରାଇମବ୍ରାଂଚକୁ ତଦନ୍ତ ନିର୍ଦ୍ଦେଶ ଦେଲେ ରାଜ୍ୟ ସରକାର ।

ଅଗଷ୍ଟ ୮, ୨୦୧୫
ବାରିମୂଳ ଆଶ୍ରମରେ ରାତିଅଧିଆ ପଶିଲା କ୍ରାଇମବ୍ରାଞ୍ଚ
ଭଣ୍ଡ ସାରଥୀଙ୍କୁ ଆଶ୍ରମ ଭିତରୁ ଉଠାଇ ଆଣିଲା କ୍ରାଇମବ୍ରାଂଚ । କେନ୍ଦ୍ରାପଡାରୁ କଟକ, ରିମାଣ୍ଡ ପରେ ରିମାଣ୍ଡ, ଜେରା ପରେ ଜେରା । ଖୋଲିଲା ଆଧ୍ୟାତ୍ମିକ ଗୁରୁଙ୍କ ଅସଲ ମୁଖା । ତିନି ତିନି ଜଣ ମହିଳା ବାବାଙ୍କ ବିରୋଧରେ ଆଣିଲେ ଅସଦାଚରଣ ଅଭିଯୋଗ ।

ବାବା ଗିରଫ ହେବା ପରେ, କ୍ରାଇମବ୍ରାଂଚ ରାଡାରକୁ ଆସିଥିଲା ସାରଥୀର କଳା ସାମ୍ରାଜ୍ୟ । ଆଶ୍ରମ ମଧ୍ୟରେ ବେଆଇନ୍ ଅର୍ଥ କାରବାର ହେଉଥିବା ଖବର ସାମ୍ନାକୁ ଆସିଲା । ଗୋଟିଏ ପରେ ଗୋଟିଏ କରି ସାରଥୀଙ୍କ କଳାସାମ୍ରାଜ୍ୟ ଧୂଳିସାତ୍ ହୋଇଥିଲା । ଆଉ ଜଉମୁଦ ସିଲ୍ ସହ ବନ୍ଦ ହୋଇଯାଇଥିଲା ଭଣ୍ଡ ବାବାଙ୍କ ବାରିମୂଳ ଆଶ୍ରମ ।

ହାଇକୋର୍ଟରୁ ସୁପ୍ରିମକୋର୍ଟ । ଗିରଫ ହେବା ପରେ ଜେଲରୁ ବାହାରିବାକୁ ଅନେକ ପ୍ରୟାସ କରି ବିଫଳ ହୋଇଥିଲେ ସାରଥୀ । କିନ୍ତୁ ସାରଥୀଙ୍କ ପ୍ରତି ଲୋକଙ୍କର ରୋଷ କମିନଥିଲା । କୋର୍ଟରେ ହାଜର ହୋଇ ଫେରିବା ବେଳେ ସାରଥୀଙ୍କୁ ମାଡ ମାରିବାକୁ ପଛାଇନଥିଲେ ସାଧାରଣ ଲୋକେ ।

ତେବେ ୪ ବର୍ଷ ପରେ ଜେଲରୁ ମୁକୁଳିଥିଲେ ଭଣ୍ଡ ସାରଥୀ । କିନ୍ତୁ ସେତେବେଳେ ତାଙ୍କୁ ସର୍ବସମ୍ମୁଖକୁ ଯିବାକୁ କୋର୍ଟ ମନାକରିଥିଲେ । ଏବଂ ପ୍ରବଚନ, ସତସଙ୍ଗ କରିବା ଉପରେ ମଧ୍ୟ ପ୍ରତିବନ୍ଧକ ଲାଗିଥିଲା । କିନ୍ତୁ ଏବଂ ପୁଣି ଥରେ ପ୍ରବଚନ କରିପାରିବେ ସାରଥୀ । ସତସଙ୍ଗ କରିବା ନେଇ ସାରଥୀଙ୍କୁ ଅନୁମତି ଦେଇଛନ୍ତି କୋର୍ଟ । ଆଉ କୋର୍ଟଙ୍କ ଏଭଳି ନିଷ୍ପତି ପରେ ସାଧାରଣରେ ବଡ ପ୍ରଶ୍ନ ଉଠୁଛି, ପୁଣି ଥରେ ସାମ୍ରାଜ୍ୟ ବିସ୍ତାର କରିବେ କି ସାରଥୀ ?