କନକ ବ୍ୟୁରୋ: ସାଧାରଣ ନିର୍ବାଚନ ଯେତିକି ପାଖେଇ ଆସୁଛି, ବିଭିନ୍ନ ନିର୍ବାଚନ ମଣ୍ଡଳୀରେ ରାଜନୈତିକ ସମୀକରଣ ସେତିକି ଗୋଳିଆ ହେବାରେ ଲାଗିଛି । ବିଶେଷ କରି ଶାସକ ଦଳରେ କାହାର ଟିକେଟ କଟିବ ଏବଂ କାହାକୁ ଟିକେଟ ମିଳିବ, ତାକୁ ନେଇ ନେତାଙ୍କ ଉକ୍ରଣ୍ଠା ବଢିଛି । ଏହାରି ଭିତରେ ଦୁଇଟି ସଭାର ଖବର ସତ୍ୟବାଦୀ ରାଜନୀତିକୁ ନେଇ ନୂଆ ସମୀକରଣ ତିଆରି କରିଛି ।

ପ୍ରଥମଟି ହେଉଛି ପୁରୀ ଜିଲ୍ଲା ବ୍ରହ୍ମଗିରିରୁ ଦୁଇ ଦୁଇ ଥର ବିଧାୟକ ନିର୍ବାଚିତ ହୋଇଥିବା ସଂଜୟ ଦାସବର୍ମାଙ୍କ ସଭା । ଏହି ସଭାପରେ ଆଳକନ କରାଯାଉଛି, ସତ୍ୟବାଦୀରୁ ବିଜେଡି ପ୍ରାର୍ଥୀ ହେବେ କି ସଂଜୟ? କାରଣ, ଭୁବନେଶ୍ୱର ଉପକଣ୍ଠ ଧଉଳୀରେ ଏକ ଗୁପ୍ତ ବୈଠକ କରିଛନ୍ତି ସଂଜୟ ଦାସବର୍ମା । ସତ୍ୟବାଦୀର ଶହେରୁ ଅଧିକ ନେତା ଓ କର୍ମୀଙ୍କୁ ନେଇ ଏହି ବୈଠକ ଆୟୋଜନ ହୋଇଥିଲା । ଉପସ୍ଥିତ ଥିଲେ, କଣାସ କ୍ଲକ ଅଧ୍ୟକ୍ଷଙ୍କ ସ୍ୱାମୀ ସୁଶୀଲ ରାଉତ, ସତ୍ୟବାଦୀ ବ୍ଲକର ପୂର୍ବତନ ଅଧ୍ୟକ୍ଷ ତଥା ମହୁର ପଞ୍ଚାୟତ ନୋମିନି ପ୍ରେମାନନ୍ଦ ବେହେରା, ବଳରାମପୁରଗଡ଼ ପଞ୍ଚାୟତର ପୂର୍ବତନ ନୋମିନିଙ୍କ ସମେତ ବିଜେଡି କର୍ମୀ । ପ୍ରଶ୍ନ ଉଠୁଛି, ଅଚାନକ୍ କାହିଁକି ସତ୍ୟବାଦୀର ନେତା ଓ କର୍ମୀଙ୍କୁ ଧରି ବୈଠକ କଲେ ସଂଜୟ? ବ୍ରହ୍ମଗିରି ଛାଡ଼ି ସତ୍ୟବାଦୀରୁ ଲଢ଼ିବା ପାଇଁ ସଂଜୟ ଦାସବର୍ମାଙ୍କୁ ମିଳିଛି କି ଗ୍ରୀନ ସିଗନାଲ୍?

ସେପଟେ ସତ୍ୟବାଦୀ ବିଧାୟକ ଉମା ସାମନ୍ତରାୟଙ୍କ କ’ଣ ହେବ, ତାକୁ ନେଇ ଚର୍ଚ୍ଚା ଆରମ୍ଭ ହେଇଛି । ଦୁଇ ଦିନ ତଳେ କର୍ମୀ ସମ୍ମିଳନୀ କରି, ସତ୍ୟବାଦୀରୁ ନିର୍ବାଚନ ଲଢ଼ିବେ ବୋଲି କହିଥିଲେ ଉମା । ଏପରିକି କର୍ମୀ ସମ୍ମିଳନୀ ସମୟରେ ଭାବବିହ୍ୱଳ ହୋଇ କାନ୍ଦି ପକାଇଥିଲେ । ଯାହା ତାଙ୍କ ନିର୍ବାଚନୀ କ୍ଷେତ୍ର ପରିବର୍ତନ ନେଇ ସଙ୍କେତ ଦେଉଥିବା କୁହାଯାଉଛି । ୨୦୧୪ ମସିହାରେ ସ୍ୱାଧୀନ ପ୍ରାର୍ଥୀ ଭାବେ ଲଢ଼ି ସତ୍ୟବାଦୀରୁ ବିଜୟୀ ହୋଇଥିଲେ ଉମା ସାମନ୍ତରାୟ । ଏହା ପରେ ୨୦୧୫ରେ ବିଜେଡିରେ ଯୋଗ ଦେବା ସହ ୨୦୧୯ରେ ସତ୍ୟବାଦୀରୁ ବିଜେଡି ଟିକେଟରେ ନିର୍ବାଚିତ ହୋଇଥିଲେ । ଏବେ ସତ୍ୟବାଦୀ ଛାଡ଼ି ଉମା କେଉଁଠି ଭାଗ୍ୟ ପରୀକ୍ଷା କରିବେ ତାକୁ ନେଇ ଆକଳନ ଆରମ୍ଭ ହୋଇଛି ।