କନକ ବ୍ୟୁରୋ: ତୃତୀୟ ଲିଙ୍ଗଙ୍କ ଅଧିକାରର ସୁରକ୍ଷା ପାଇଁ ବଡ ପଦକ୍ଷେପ ନେଇଛନ୍ତି ସୁପ୍ରିମକୋର୍ଟ । ଫଳରେ ସମଲିଙ୍ଗୀ ବିବାହକୁ ନ୍ୟାୟିକ ମାନ୍ୟତା ମିଳିବା ନେଇ ଆଶା ସୃଷ୍ଟି ହୋଇଛି । ଆଜି ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତି କ୍ରମେ ଏ ସମ୍ପର୍କିତ ସମସ୍ତ ଆଦେବନକୁ ବିଚାର ପାଇଁ ଗ୍ରହଣ କରିଛନ୍ତି କୋର୍ଟ । ଏଥିସହ ଫେବ୍ରୁଆରୀ ୧୫ ତାରିଖ ସୁଦ୍ଧା ନିଜର ମତାମତ ରଖିବା ପାଇଁ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।
- ଦେଶର ବିଭିନ୍ନ ହାଇକୋର୍ଟରେ ଏକାଧିକ ପିଟିସନ୍ ହୋଇଥିଲା
- ସମଲିଙ୍ଗୀ ବିବାହକୁ ମାନ୍ୟତା ଦେବା ପାଇଁ ଅନୁରୋଧ କରାଯାଇଥିଲା
- ଏକାଠି ସମସ୍ତ ମାମଲାକୁ ବିଚାର ପାଇଁ ଗ୍ରହଣ କରିଛନ୍ତି ସୁପ୍ରିମକୋର୍ଟ
- ପ୍ରଧାନ ବିଚାରପତି ଜଷ୍ଟିସ ଡିୱାଇ ଚନ୍ଦ୍ରଚୂଡ, ବିଚାରପତି ପିଏସ ନରସିଂହା ଓ ଜେପି ପର୍ଦ୍ଦିୱାଲାଙ୍କ ଖଣ୍ଡପୀଠ
- କେନ୍ଦ୍ର ମତାମତ ରଖିବା ପରେ ମାର୍ଚ୍ଚରେ ଶୁଣାଣି କରିପାରନ୍ତି ସୁପ୍ରିମକୋର୍ଟ
ସୁପ୍ରିମକୋର୍ଟ କହିଛନ୍ତି, ଯଦି କେହି ଆବେଦନକାରୀ କୋର୍ଟକୁ ଆସିନପାରନ୍ତି ତେବେ ଭର୍ଚୁଆଲ ମୋଡ୍ରେ ନିଜର ମତାମତ ରଖିପାରିବେ । ସେହିପରି ଏ ସମ୍ପର୍କିତ ସମସ୍ତ ଆଇନ କାନୁନକୁ ଏକାଠି କରି ଉପସ୍ଥାପନ କରିବେ ସରକାରୀ ଓକିଲ ।
ମାମଲାର ଶୁଣାଣିବେଳେ କୋର୍ଟଙ୍କୁ ଦୁଇଟି ପ୍ରସ୍ତାବ ଦେଇଥିଲେ ସଲିସିଟର ଜେନେରାଲ
- ଏ ସମ୍ପର୍କିତ ଏକ ମାମଲାରେ ଦିଲ୍ଲୀ ହାଇକୋର୍ଟଙ୍କ ଚୂଡାନ୍ତ ରାୟକୁ ଅପେକ୍ଷା କରିପାରିବେ ସୁପ୍ରିମକୋର୍ଟ
- କିମ୍ବା ବିଭିନ୍ନ ହାଇକୋର୍ଟରେ ଥିବା ଏକାଧିକ ମାମଲାକୁ ନିଜ ପାଖକୁ ଆଣି ସୁପ୍ରିମକୋର୍ଟ ଏକାଠି ଶୁଣାଣି କରିପାରିବେ
ସୁପ୍ରିମକୋର୍ଟ ଶେଷରେ ସମସ୍ତ ମାମଲାକୁ ଏକାଠି କରି ନିଜେ ଶୁଣାଣି କରିବାକୁ ରାଜି ହୋଇଛନ୍ତି ଏବଂ କେନ୍ଦ୍ର ସରକାରଙ୍କ ମତାମତ ଲୋଡିଛନ୍ତି ସୁପ୍ରିମକୋର୍ଟ । ହେଲେ ପୂର୍ବରୁ ଦିଲ୍ଲୀ ହାଇକୋର୍ଟରେ ଥିବା ଏ ସମ୍ପର୍କିତ ଏକ ମାମଲାରେ ନିଜର ଆଭିମୁଖ୍ୟ ସ୍ପଷ୍ଟ କରିସାରିଛନ୍ତି କେନ୍ଦ୍ର ସରକାର । ସମଲିଙ୍ଗୀ ବିବାହକୁ ବିରୋଧ କରିବା ସହ ଏହା ବର୍ଷବର୍ଷ ଧରି ଭାରତୀୟ ପରମ୍ପରାରେ ଚଳି ଆସୁଥିବା ରୀତିନୀତି, ବିଶ୍ୱାସ, ସଂସ୍କୃତି ଓ ସାମାଜିକ ମୂଲ୍ୟବୋଧର ବିରୋଧାଚରଣ କରୁଥିବା କୋର୍ଟଙ୍କୁ ଜଣାଇଥିଲେ । ତେଣୁ ସୁପ୍ରିମକୋର୍ଟରେ କଣ ମତ ରଖୁଛନ୍ତି କେନ୍ଦ୍ର ସରକାର ତା ଉପରେ ନିର୍ଭର କରିବ ସମଲିଙ୍ଗୀ ବିବାହକୁ ନ୍ୟାୟିକ ସ୍ୱିକୃତୀ ପ୍ରସଙ୍ଗ ।
Follow Us