ପ୍ରାର୍ଥୀ ଘୋଷଣା ପରେ ବଢୁଛି ଅସନ୍ତୋଷ । ଦଳ ଡେଇଁବାକୁ ପ୍ରସ୍ତୁତ ହେଉଛନ୍ତି ନେତା । ସନ୍ତୋଷ ସିଂ ସାଲୁଜା ବିଜେଡିରେ ମିଶିବା ଚର୍ଚ୍ଚା

864

କନକ ବ୍ୟୁରୋ : ବିଜେଡି-ବିଜେପି ଭଳି ନିର୍ବାଚନ ପୂର୍ବରୁ କଂଗ୍ରେସର ବି ଚାଲିଛି ମିଶ୍ରଣ ପର୍ବ । ନେତାଙ୍କ ଚାଲିଛି ଦଳଡିଆଁ ପର୍ବ ବିଜେପି ଛାଡି ପୁଣି ଘରବାହୁଡା କରିଛନ୍ତି ସୋନାଲି ସାହୁ । ୫ ବର୍ଷ ତଳେ କଂଗ୍ରେସ ଛାଡି ସେ ବିଜେପି ଯାଇଥିଲେ । କିନ୍ତୁ ଠିକ ନିର୍ବାଚନ ପୂର୍ବରୁ କଂଗ୍ରେସରେ ସାମିଲ ହୋଇଛନ୍ତି । କିଛି ଦିନ ପୂର୍ବର୍ରୁ ବିଜେପି ପାର୍ଟି ଅଫିସରେ ସୋନାଲିଙ୍କୁ ଅସମ୍ମାନ କରାଯାଇଥିବା ଭିଡିଓ ସାମ୍ନାକୁ ଆସିଥିଲା । ବିଜେପିକୁ ପଠାଇଥିବା ଇସ୍ତଫା ପତ୍ରରେ ସେ ଅଭିଯୋଗ କରିଥିଲେ, ବିଜେପିରେ ନାରୀକୁ ଅସମ୍ମାନ କରାଯାଉଛି । ଆଜି କଂଗ୍ରେସ ଭବନରେ ପିସିସି ସଭାପତିଙ୍କ ଉପସ୍ଥିତିରେ ସୋନାଲି କଂଗ୍ରେସରେ ମିଶିଛନ୍ତି । ଶରତ ପଟ୍ଟନାୟକ କହିଛନ୍ତି, ଆଗକୁ ବଡ ମିଶ୍ରଣ ବହୁ ବିଜେଡି ନେତା କଂଗ୍ରେସରେ ମିଶିବେ । ବିଜେଡିରୁ ଇସ୍ତଫା ଦେଇଥିବା ଭଦ୍ରକର ଯୁବନେତା ଅସିତ ପଟ୍ଟନାୟକ ବି କଂଗ୍ରେସରେ ଯୋଗଦେବେ ବୋଲି ସୂଚନା ରହିଛି । ସେ ଭଦ୍ରକ ବିଧାନସଭାରୁ କଂଗ୍ରେସର ପ୍ରାର୍ଥୀ ହୋଇପାରନ୍ତି ।

ରାଜନୈତିକ ମହଲରେ ଚର୍ଚ୍ଚା ଜୋର । ଟିକେଟ ଫେରାଇ ବିଜେଡିରେ ମିଶିବେ କି ସାଲୁଜା?

କୁହାଯାଉଛି, କଂଟାବାଞ୍ଜି ବିଧାୟକ ସନ୍ତୋଷ ସିଂ ସାଲୁଜା ଖୁବଶୀଘ୍ର ବିଜେଡିରେ ମିଶିପାରନ୍ତି । କଂଗ୍ରେସର ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକାରେ କଂଟାବାଞ୍ଜିରୁ ସନ୍ତୋଷ ସିଂ ସାଲୁଜାଙ୍କୁ ଟିକେଟ ମିଳିଛି । କିନ୍ତୁ ଟିକେଟ ଫେରାଇ ସେ ବିଜେଡିରେ ମିଶି ବିଜେଡି ଟିକେଟରେ ଲଢିବା ଚର୍ଚ୍ଚା ହେଉଛି । କିନ୍ତୁ ଏ ବାବଦରେ ସାଲୁଜା କୌଣସି ମତାମତ ଦେଇନାହାନ୍ତି । କଂଟାବାଞ୍ଜିର ପୂର୍ବତନ ବିଧାୟକ ଆୟୁବ ଖାଁଙ୍କ ପୁଅ ଓ ୨୦୧୯ର ବିଜେଡି ପ୍ରାର୍ଥୀ ଅଜୟ ଦାସ ଟିକେଟ ଆଶାୟୀ ଅଛନ୍ତି । ଅଜୟ ଦାସ ଭିଡିଓ କରି କର୍ମୀଙ୍କୁ ସାଲୁଜା ମିଶିବା କଥା ମିଥ୍ୟା ବୋଲି କହିଛନ୍ତି ।ସେ କହିଛନ୍ତି, ସାଲୁଜାଙ୍କୁ ବିଜେଡି ଗ୍ରହଣ କରିବ ନାହିଁ ।
ଆଗକୁ କଂଗ୍ରେସର ବଡ ମିଶ୍ରଣ ପର୍ବ ହେବ । କୁହାଯାଉଛି, ଏହି ମିଶ୍ରଣରେ ବିଜେଡି ଛାଡିଥିବା ସୋର ବିଧାୟକ ପର୍ଶୁରାମ ଧଡା, ବିଜେଡି ନେତ୍ରୀ ସିପ୍ରା ମଲ୍ଲିକ କଂଗ୍ରେସରେ ମିଶିପାରନ୍ତି । ଆଜି ହିଁ ବିଜେଡିରୁ ଇସ୍ତଫା ଦେଇଥିବା ପୂର୍ବତନ ଉପବାଚସ୍ପତି ରାମଚନ୍ଦ୍ର ପଣ୍ଡା ବି କଂଗ୍ରେସ ସହ ଯୋଗାଯୋଗରେ ଥିବା ସୂଚନା ମିଳିଛି ।