କନକ ବ୍ୟୁରୋ : ଋଷ-ୟୁକ୍ରେନ୍ ଯୁଦ୍ଧକୁ ୩ ସପ୍ତାହ ବିତିଗଲାଣି । କିନ୍ତୁ ଯୁଦ୍ଧ ଶେଷ ହେବା ନେଇ ଏଯାବତ ସଂକେତ ମିଳୁନାହିଁ । ଏପରିକି ଆଗକୁ ସ୍ଥିତି କଣ ହେବ ତାହାର ପୂର୍ବାନୁମାନ କରିବା ମଧ୍ୟ କଷ୍ଟକର । ଆଉ ଏସବୁ ଭିତରେ ୟୁକ୍ରେନ୍ ଅଭିଯୋଗ ଆଣିଛି ଯେ, ଯୁଦ୍ଧରେ ଋଷ ଫସଫରସ ବୋମା ବ୍ୟବହାର କରୁଛି । ଏହି ଫସଫରସ ବୋମା ବେଶ ଘାତକ ହୋଇଥିବା ବେଳେ ଏହାର ସଂସ୍ପର୍ଶରେ ଆସିଲେ ବଞ୍ଚିବା ସମ୍ଭାବନା କ୍ଷୀଣ । ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ, ଋଷ ପୂର୍ବ ଲୁହାନସ୍କର ଏକ ସହରରେ ରାତିର ଅନ୍ଧକାରରେ ହ୍ୱାଇଟ ଫସଫରସ ବୋମା ପକାଇଥିବା ନେଇ ଅଭିଯୋଗ କରିଛି ୟୁକ୍ରେନ୍ । ଯୁଦ୍ଧରେ ଏହି ବୋମା ପକାଇବା ପାଇଁ ଅନୁମତି ଥିଲେ ମଧ୍ୟ ଜନବସତି ଅଞ୍ଚଳରେ ଏହି ବୋମା ବ୍ୟବହାର କରିବା ଉପରେ ପ୍ରତିବନ୍ଧକ ଲାଗିଛି ।

Advertisment

କେତେ ଘାତକ ଫସଫରସ ବୋମା?
ଇଣ୍ଟରନ୍ୟାସନାଲ କମିଟି ଅଫ୍ ଦ ରେଡ କ୍ରସ୍ ମୁତାବିକ ହ୍ୱାଇଟ ଫସଫରସ ବୋମା ବିସ୍ଫୋରଣ ହେବା କ୍ଷଣି ଚତୁଃପାଶ୍ୱର୍କୁ ଫସଫରସ ଛାଡିଥାଏ । ଆଉ ଏହି ଜଳୁଥିବା ଫସଫରସର ତାପମାତ୍ରା ୮୦୦ ଡିଗ୍ରୀରୁ ମଧ୍ୟ ଅଧିକ ହୋଇଥାଏ । ଯଦି କୌଣସି ଖୋଲା ସ୍ଥାନରେ ଫସଫରସ ବୋମା ପକାଯାଏ ତେବେ ଏହା କିଲୋମିଟର କିଲୋମିଟର ଯାଏଁ ପରିବ୍ୟାପ୍ତ ହୋଇଥାଏ । ଏହି ଫସଫରସ ସେତେବେଳ ପର୍ଯ୍ୟନ୍ତ ଜଳିଥାଏ ଯେତେବେଳ ଯାଏଁ ଏହା ଶେଷ ହୋଇନଥାଏ କିମ୍ବା ଅକ୍ସିଜେନ ଶେଷ ହୋଇନଥାଏ । ଏହାର ସଂସ୍ପର୍ଶରେ ଆସିଲେ ପ୍ରବଳ ମାତ୍ରାରେ ଜଳାପୋଡା ହୋଇଥାଏ । ଏପରିକି ଏଥିରେ ବ୍ୟକ୍ତିଙ୍କର ମୃତ୍ୟୁ ମଧ୍ୟ ହୋଇଥାଏ ।

ଏକ ରିପୋର୍ଟ ଅନୁଯାୟୀ, ବିସ୍ଫୋରଣ ପରେ ନିର୍ଗତ ହେଉଥିବା ଫସଫରସ ଶରୀରର ମାଂସରେ ଲାଗି ଯାଇଥାଏ । ଯାହାଦ୍ୱାରା ଜଳାପୋଡା ଆହୁରି ଅଧିକ ହୋଇଥାଏ । ଚର୍ମ ସଂସ୍ପର୍ଶରେ ଆସିବା ଦ୍ୱାରା ଏହା କେମିକାଲ ପ୍ରସ୍ତୁତ କରିବାର ସମ୍ଭାବନା ରହିଥାଏ । ଆଉ ଏହି କେମିକାଲ ଜଳ ସଂସ୍ପର୍ଶରେ ଆସିବା ପରେ ଫସଫରିକ ଏସିଡ ସୃଷ୍ଟି କରିଥାଏ, ଯାହା ଆହୁରି ଘାତକ । ଏହାର ସଂସ୍ପର୍ଶରେ ଆସିବା ପରେ ସୁସ୍ଥ ହେବାକୁ ମଧ୍ୟ ଯଥେଷ୍ଟ ଅଧିକ ସମୟ ଲାଗିଥାଏ । କାରଣ ଶରୀରର ବିଭିନ୍ନ କୋଷକୁ ଏହା ନଷ୍ଟ କରିଦେଇଥାଏ । ଯାହାଦ୍ୱାରା ଏହା ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିଙ୍କର ମୃତ୍ୟୁ ହୋଇଥାଏ ନଚେତ ଶରୀରର ବିଭିନ୍ନ ଅଙ୍ଗ ପ୍ରତ୍ୟଙ୍ଗ ଜଳି ପୋଡି ଯାଇଥାଏ ।

୧୯୭୭ରେ କେମିକାଲ ଯୁଦ୍ଧାସ୍ତ୍ର ବ୍ୟବହାର ନେଇ ଆସିଥିବା ଆଇନରେ ସ୍ପଷ୍ଟ ଭାବେ ଦର୍ଶାଯାଇଥିଲା ଯେ, ଏହାକୁ ଯଦି ଜନବସତି ଅଞ୍ଚଳରେ ବ୍ୟବହାର କରାଯାଏ ତେବେ ଏହାକୁ ରସାୟନ ଅସ୍ତ୍ରର ବ୍ୟବହାର ବୋଲି ଧରି ନିଆଯିବ । ଆଉ ଏହି ଆଇନରେ ଋଷ ମଧ୍ୟ ହସ୍ତାକ୍ଷର କରିଛି ।

କେବେ ହୋଇଛି ହ୍ୱାଇଟ ଫସଫରସର ବ୍ୟବହାର?
ହ୍ୱାଇଟ ଫସଫରସ ବୋମାର ବ୍ୟବହାର ପ୍ରଥମ ଓ ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ହୋଇଥିଲା । ପ୍ରଥମ ବିଶ୍ୱଯୁଦ୍ଧ ସମୟରେ ବ୍ରିଟିଶ ସେନା ରକେଟ, ଗ୍ରେନେଡ ଓ ବୋମା ଜରିଆରେ ଜାପାନ ଉପରେ ଏହି ବୋମାର ବ୍ୟବହାର କରିଥିଲା । ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ମଧ୍ୟ ଏହି ବୋମାର କିଛି ମାତ୍ରାରେ ବ୍ୟବହାର ହୋଇଥିଲା । ଇରାକ ବିରୋଧରେ ହୋଇଥିବା ଯୁଦ୍ଧରେ ଆମେରିକା ମଧ୍ୟ ଏହି ବୋମାର ବ୍ୟବହାର କରିଥିଲା ।
ସେହିଭଳି ୨୦୦୬ରେ ଯେତେବେଳେ ଇସ୍ରାଏଲ ଓ ଲେବାନନ ମଧ୍ୟରେ ଯୁଦ୍ଧ ହୋଇଥିଲା, ସେତେବେଳେ ଇସ୍ରାଏଲ ସୈନ୍ୟ ଶିବିର ଉପରେ ଫସଫରସ ବୋମା ପକାଇ ଟାର୍ଗେଟ କରିଥିଲା । ସେହିଭଳି ୨୦୦୯ରେ ଗାଜା ଯୁଦ୍ଧରେ ମଧ୍ୟ ଇସ୍ରାଏଲ ଫସଫରସ ବୋମା ପକାଇଥିଲା । ଆଫଗାନିସ୍ତାନରେ ଆମେରିକା ଓ ତାଲିବାନ ମଧ୍ୟରେ ହୋଇଥିବା ସଂଘର୍ଷରେ ମଧ୍ୟ ଆମେରିକା ତାଲିବାନ ଅଧିକୃତ ବିଭିନ୍ନ ଅଞ୍ଚଳରେ ଉପରେ ଏହି ବୋମା ପକାଇଥିବା ନେଇ ଅଭିଯୋଗ ହୋଇଥିଲା । ସେହିଭଳି ସିରିଆରେ ହୋଇଥିବା ଗୃହଯୁଦ୍ଧରେ ମଧ୍ୟ ଏହି ଫସଫରସ ବୋମାର ବ୍ୟବହାର କରାଯାଇଥିବା ନେଇ ଅଭିଯୋଗ ହୁଏ । ତେଣୁ ୟୁକ୍ରେନ୍ ପକ୍ଷରୁ ଯେଉଁ ଦାବି କରାଯାଇଛି ତାହା ଯଦି ସତ ହୁଏ ତେବେ ଆଗକୁ ସ୍ଥିତି ଆହୁରି ସଙ୍ଗୀନ ହୋଇପାରେ ଓ ଅନେକ ଲୋକ ପ୍ରାଣ ହରାଇପାରନ୍ତି ।