କନକ ବ୍ୟୁରୋ : ବିଶ୍ୱକପ୍ ୨୦୨୩ ଶେଷ ହେଉ ହେଉ ଏବେ ଆଇପିଏଲକୁ ନେଇ ଆସିଛି ବଡ ଖବର । ଆସନ୍ତା ଡିସେମ୍ବର ୧୯ ତାରିଖରେ ହୋଇପାରେ ଆଇପିଏଲ ନିଲାମୀ । ଚଳିତଥର ଦୁବାଇରେ ହେବ ନିଲାମୀ । ତେବେ ଆଇପିଏଲରେ ନିଲାମୀ ପୂର୍ବରୁ ଖୋଲିଛି ଟ୍ରେଡିଙ୍ଗ ୱିଣ୍ଡୋ ବା ଟ୍ରାନ୍ସଫର ୱିଣ୍ଡୋ । ଏହାଦ୍ୱାରା ଫ୍ରାଞ୍ଚାଇଜ ଗୁଡିକ ନିଜ ଭିତରେ ଆଲୋଚନା କରି ମନପସନ୍ଦର ଖେଳାଳୀଙ୍କୁ ଟ୍ରେଡ କରିପାରିବେ । କିନ୍ତୁ ଏଥିପାଇଁ ଫ୍ରାଞ୍ଚାଇଜକୁ ଖେଳାଳୀଙ୍କ ଠାରୁ ଅନୁମତି ନେବାକୁ ପଡିଥାଏ ।

Advertisment

୨୦୨୪ ଆଇପିଏଲ ପାଇଁ ନିଲାମୀ ଆରମ୍ଭ ପୂର୍ବରୁ ସବୁଠୁ ବଡ ଟ୍ରେଡ ହୋଇପାରେ । ଏହି ଟ୍ରେଡ ଗୁଜୁରାଟ ଟାଇଟନ୍ସ ଓ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ହୋଇପାରେ । ଗୁଜୁରାଟ ଟାଇଟନ୍ସର ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ଓ ମୁମ୍ବାଇ ଇଣ୍ଡିଆନ୍ସର ଅଧିନାୟକ ରୋହିତ ଶର୍ମାଙ୍କୁ ନେଇ ଏହି ଟ୍ରେଡ ହେବାର ସମ୍ଭାବନା ରହିଛି । ହାର୍ଦ୍ଦିକ ପାଣ୍ଡ୍ୟା ପୁଣିଥରେ ନିଜର ପୁରୁଣା ଦଳକୁ ଫେରିପାରନ୍ତି । ଅଥାର୍ତ ହାର୍ଦ୍ଦିକ ପାଣ୍ଡ୍ୟା ମୁମ୍ବାଇ ଇଣ୍ଡିଆନ୍ସରେ ପୁଣିଥରେ ଯୋଗ ଦେଇପାରନ୍ତି ବୋଲି ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି । ସେହିଭଳି ରୋହିତ ଶର୍ମା ଗୁଜୁରାଟ ଟିମରେ ସାମିଲ ହୋଇପାରନ୍ତି । ଯଦି ଟ୍ରେଡ ସଫଳ ହୁଏ ତେବେ ଉଭୟ ଦଳର ଅଧିନାୟକ ଅଦଳବଦଳ ହୋଇପାରନ୍ତି । ରୋହିତଙ୍କ ନେତୃତ୍ୱରେ ମୁମ୍ବାଇ ସର୍ବାଧିକ ୫ ଥର ଆଇପିଏଲ ଟ୍ରଫି ଜିତିଥିବା ବେଳେ ହାର୍ଦ୍ଦିକଙ୍କ ନେତୃତ୍ୱରେ ପ୍ରଥମ ଥରରେ ହିଁ ଗୁଜୁରାଟ ଆଇପିଏଲ ଚାମ୍ପିୟନ ହୋଇଛି । ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ଏହି ଖବର ପଛରେ ସତ୍ୟତା କେତେ ରହିଛି ତାହା ଏଯାଏଁ ସ୍ପଷ୍ଟ ହୋଇନି । କିନ୍ତୁ କ୍ରିକେଟପ୍ରେମୀ ଏହାକୁ ଗୁଜବ ବୋଲି କହୁଛନ୍ତି । ଏପରିକି ରୋହିତଙ୍କୁ ମୁମ୍ବାଇ କୌଣସି ସ୍ଥିତିରେ ବି ଟ୍ରେଡ କରିବାକୁ ଛାଡିବନି ବୋଲି ମୁମ୍ବାଇ ଇଣ୍ଡିଆନ୍ସର ଫ୍ୟାନ୍ କହିଛନ୍ତି ।

ନିଲାମୀ ପୂର୍ବରୁ ଦୁଇଟି ଟ୍ରେଡ ସଫଳ ମଧ୍ୟ ହୋଇଛି । ନଭେମ୍ବର ୩ ତାରିଖରେ ୨୦୨୪ ଆଇପିଏଲ ସିଜିନର ପ୍ରଥମ ଖେଳାଳୀ ଭାବେ ରୋମାରିଓ ଶେଫର୍ଡ ଟ୍ରେଡ ହୋଇଥିଲେ । ଲକ୍ଷ୍ନୌ ସୁପର ଜାଏଣ୍ଟସ ଦଳରେ ଥିବା ଶେଫର୍ଡଙ୍କୁ ୫୦ ଲକ୍ଷ ଟଙ୍କାରେ ମୁମ୍ବାଇ ନିଜ ଦଳରେ ସାମିଲ କରିଛି । ସେହିଭଳି ଦ୍ୱିତୀୟ ଟ୍ରେଡ୍ ରାଜସ୍ଥାନ ରୟାଲ୍ସ ଓ ଲକ୍ଷ୍ନୌ ସୁପର ଜାଏଣ୍ଟସ ମଧ୍ୟରେ ସଫଳ ହୋଇଛି । ରାଜସ୍ଥାନ ରୟାଲ୍ସ ବାମହାତୀ ବ୍ୟାଟର ଦେବଦତ୍ତ ପାଡିକଲଙ୍କ ବଦଳରେ ଲକ୍ଷ୍ନୌର ଅଭେଶ ଖାନଙ୍କୁ ଦଳରେ ସାମିଲ କରିଛି । ଉଭୟ ଫ୍ରାଞ୍ଚାଇଜ ଏହାକୁ ମଞ୍ଜୁରୀ ଦେଇଥିବା ବେଳେ ବିସିସିଆଇ ମଧ୍ୟ ଏଥିରେ ମୋହର ମାରିଛି । ୨୦୨୨ ମହାନିଲାମୀରେ ଅଭେଶ ଖାନଙ୍କୁ ୧୦ କୋଟି ଟଙ୍କାରେ କିଣିଥିଲା ଲକ୍ଷ୍ନୌ, ସେହିଭଳି ଦେବଦତ୍ତ ପାଡିକଲଙ୍କୁ ୭.୭୫ କୋଟିରେ ଦଳରେ ସାମିଲ କରିଥିଲା ରାଜସ୍ଥାନ । ଉଭୟ ଖେଳାଳୀଙ୍କୁ ଫ୍ରଞ୍ଚାଇଜ ରିଟେନ କରି ରଖିଥିଲା । କିନ୍ତୁ ନିଲାମୀ ପୂର୍ବରୁ ଉଭୟ ଖେଳାଳୀଙ୍କର ଟ୍ରେଡ କରି ସଫଳ ହୋଇଛନ୍ତି ଫ୍ରାଞ୍ଚାଇଜ ।