ସ୍ୱାଧୀନତା ସମ୍ପର୍କରେ କଙ୍ଗନାଙ୍କ ମନ୍ତବ୍ୟକୁ ନେଇ ଥମୁନି ବିବାଦ : ତେଜିଲା ପଦ୍ମଶ୍ରୀ ପୁରସ୍କାର ଫେରାଇବା ଦାବି

136

କନକ ବ୍ୟୁରୋ : ସ୍ୱାଧୀନତା ସମ୍ପର୍କରେ କଙ୍ଗନାଙ୍କ ମନ୍ତବ୍ୟକୁ ନେଇ ଥମୁନି ବିବାଦ । କଙ୍ଗନାଙ୍କୁଠାରୁ ପଦ୍ମଶ୍ରୀ ପୁରସ୍କାର ଫେରାଇ ନେବା ପାଇଁ ରାଷ୍ଟ୍ରପତିଙ୍କୁ ଚିଠି ଲେଖିଛନ୍ତି ଦିଲ୍ଲୀ ମହିଳା କମିସନ ସ୍ୱାତୀ ମାଲିୱାଲ୍ । କଙ୍ଗନା ସୁସ୍ଥ ମସ୍ତିକରେ ନଥିବା ଅଭିଯୋଗ ଆଣି କଙ୍ଗନାଙ୍କ ଠାରୁ ପଦ୍ମଶ୍ରୀ ଫେରାଇ ନେବାକୁ ଚିଠିରେ ଅନୁରୋଧ କରିଛନ୍ତି ସ୍ୱାତୀ । ଏଥିସହ ତାଙ୍କ ବିରୋଧରେ ଦେଶଦ୍ରୋହ ମାମଲା ରୁଜୁ କରିବାକୁ ସେ ଦାବି କରିଛନ୍ତି ।

ପଦ୍ମଶ୍ରୀ ପୁରସ୍କାର ପାଇବା ପରେ ଏକ ଘରୋଇ ଗଣମାଧ୍ୟମକୁ ସାକ୍ଷାତକାର ଦେଇ କଙ୍ଗନା କହିଥିଲେ, ଭାରତକୁ ୧୯୪୭ରେ ଭିକ୍ଷାରେ ମିଳିଥିଲା ସ୍ୱାଧୀନତା । ମୋଦି ସରକାର କ୍ଷମତାକୁ ଆସିବା ପରେ ଦେଶକୁ ପ୍ରକୃତ ସ୍ୱାଧୀନତା ମିଳିଥିଲା । କଙ୍ଗନାଙ୍କ ଏଭଳି ମନ୍ତବ୍ୟକୁ ନେଇ ସାରାଦେଶରେ ଝଡ ଉଠିଛି । ତାଙ୍କଠାରୁ ପଦ୍ମଶ୍ରୀ ଫେରାଇ ନେବାକୁ ଦାବି ବଢ଼ିବାରେ ଲାଗିଛି । ପଦ୍ମଶ୍ରୀ ଫେରାଇ ନେବା ଦାବି ଜୋର ଧରିବା ପରେ କଂଗନା କହିଛନ୍ତି, ଦେଶ ସ୍ୱାଧୀନ ପାଇବା ବେଳେ ଇଂରେଜ ମାନେ ଅନେକ ଅପରାଧ କରିଛନ୍ତି ।

ହେଲେ ତାଙ୍କୁ ଉତରଦାୟୀ ନକରିବା ଆମ ସ୍ୱାଧୀନତା ସଂଗ୍ରାମୀଙ୍କ ପାଇଁ ଅପମାନ । ଦେଶ ବିଭାଜନ ବେଳେ ଇଂରେଜ ମାନେ ଯେଉଁ ସର୍ତ ରଖିଥିଲେ ସେଥିରେ କେବଳ କଂଗ୍ରେସ ଏବଂ ମୁସଲିମ ଲିଗର ସଦସ୍ୟ ଥିଲେ । ବିଭାଜନ ବେଳେ ପ୍ରାୟ ୧୦ ଲକ୍ଷ ଲୋକ ପ୍ରାଣ ହରାଇଛନ୍ତି । ଏପରି ସ୍ଥିତି ପାଇଁ କଂଗ୍ରେସ କିମ୍ବା ଇଂରେଜ ଉତରଦାୟୀ ରହିବେ ନାହିଁ କାହିଁକି ।