କନକ ବ୍ୟୁରୋ : ଆମ ରକ୍ତ ଗରମ ହୋଇ ଉଠୁଛି, କାଶ୍ମୀରକୁ ଆମେ ପାକିସ୍ତାନ ସହ ମିଶାଇବୁ ନିଶ୍ଚୟ । ଏଭଳି ବୟାନ କେଉଁ ଦେଶରୁ ଆସିଥିବ ତାହା ତ ଆପଣ ଜାଣିଥିବେ । କିନ୍ତୁ କିଏ ଏଭଳି ବୟାନ ଦେଇଥିଲେ ତାହା ଜାଣିଲେ ଆଶ୍ଚର୍ଯ୍ୟ ହେବେ । ଇମ୍ରାନ ସରକାର ଗାଦିଚ୍ୟୁତ ହେବା ପରେ ଏବେ ପାକିସ୍ତାନର ନୂଆ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବାକୁ ଥିବା ଶହବାଜ ସରିଫଙ୍କର ଭାରତ ପ୍ରତି ଥିବା ଆଭିମୁଖ୍ୟ । ୨୦୧୮ରେ ଏକ ନିର୍ବାଚନୀ ସଭାରେ ଶହବାଜ ଏଭଳି ଏକ ବୟାନ ଦେଇଥିଲେ । ଆଉ ସେତେବେଳେ ପ୍ରଧାନମନ୍ତ୍ରୀ ପଦ ପାଇଁ ଲଢୁଥିଲେ ଶହବାଜ । ଆଉ ଶହବାଜଙ୍କୁ ନେଇ ଶାନ୍ତିର ପରିକଳ୍ପନା କରିବା ମରୁଭୂମିରେ ଜଳ ଖୋଜିବା ସଦୃଶ । କାରଣ ଏହାପୂର୍ବରୁ ଅନେକଥର କାଶ୍ମୀର ପ୍ରସଙ୍ଗ ଉଠାଇ ଭାରତକୁ ଟାର୍ଗେଟ କରି ଆସିଛନ୍ତି ଶହବାଜ । ଏପରିକି ଇମ୍ରାନ ସରକାର ଭଙ୍ଗ ହେବା ପରେ ଶହବାଜ କହିଛନ୍ତି, ଆମେ ବି ଭାରତ ସହ ଶାନ୍ତି ଚାହୁଁଛୁ କିନ୍ତୁ କାଶ୍ମୀର ପ୍ରସଙ୍ଗକୁ ନେଇ କୌଣସି ସମାଧାନ ନ ବାହାରିବା ପର୍ଯ୍ୟନ୍ତ ଶାନ୍ତି ସମ୍ଭବ ନୁହେଁ ।
ଅନ୍ୟପଟେ ଭାରତ ପକ୍ଷରୁ ମଧ୍ୟ ପୂର୍ବରୁ ସ୍ପଷ୍ଟ କରାଯାଇଛି ଯେ, ଯେତେବେଳ ଯାଏଁ ଆତଙ୍କବାଦ ଉପରେ ଆଲୋଚନା ହୋଇନାହିଁ ସେତେବେଳ ଯାଏଁ କାଶ୍ମୀର ଓ ଶାନ୍ତି ପ୍ରସଙ୍ଗକୁ ନେଇ ପାକିସ୍ତାନ ସହ କୌଣସି ଆଲୋଚନା ହେବ ନାହିଁ । କିନ୍ତୁ ଆତଙ୍କବାଦ ପ୍ରସଙ୍ଗରେ ଆଲୋଚନା କରିବାକୁ ପାକିସ୍ତାନର କୌଣସି ନେତା ସାହସ ଜୁଟାଇ ପାରୁ ନାହାନ୍ତି । ଏହାପୂର୍ବରୁ ଇମ୍ରାନ ସରକାର ସମୟରେ ମଧ୍ୟ ପାକିସ୍ତାନ ସହ ଭାରତ ସମ୍ପର୍କ ସେତେଟା ଭଲ ନଥିଲା । କାରଣ ଇମ୍ରାନ ସରକାର ବାରମ୍ବାର କାଶ୍ମୀର ପ୍ରସଙ୍ଗ ଉଠାଇ ଭାରତ ଉପରେ ପ୍ରଶ୍ନ ଛିଡା କରିଥିଲେ । କିନ୍ତୁ ଇମ୍ରାନ ସରକାରର ପତନ ପରେ ଶହବାଜ ପ୍ରଧାନମନ୍ତ୍ରୀ ହେବା ସହ ସରକାର ଗଢିବାକୁ ଯାଉଛନ୍ତି । ଆଉ ଏହା ଭାରତ ପାଇଁ ଶୁଭ ସଂକେତ ନୁହେଁ । କାରଣ ଭାରତ ପ୍ରତି ଶହବାଜଙ୍କ ଆଭିମୁଖ୍ୟ ପୂରା ବିଶ୍ୱକୁ ଜଣା । ଏହାଛଡା ଶହବାଜଙ୍କ ସହ ମୁମ୍ବାଇ ଆକ୍ରମଣର ମାଷ୍ଟରମାଇଣ୍ଡ ଆତଙ୍କବାଦୀ ହାଫିଜ ସଇଦଙ୍କ ସହ ଭଲ ବନ୍ଧୁତା ମଧ୍ୟ ରହିଛି । ଏପରିକି ଶହବାଜ ଯେତେବେଳେ ପଞ୍ଜାବ ପ୍ରାନ୍ତର ମୁଖ୍ୟମନ୍ତ୍ରୀ ଥିଲେ ସେତେବେଳେ ବନ୍ଧୁ ହାଫିଜ ସଇଦଙ୍କୁ କୋଟି କୋଟି ଟଙ୍କା ପ୍ରଦାନ କରିଛନ୍ତି । ଏହାଛଡା ତାଙ୍କ ଆତଙ୍କବାଦୀ ସଙ୍ଗଠନକୁ ମଧ୍ୟ ସହାୟତା କରି ଆସିଛନ୍ତି ଶହବାଜ । ତେଣୁ ଶହବାଜ ସରକାରଙ୍କ କାର୍ଯ୍ୟକାଳରେ ଆତଙ୍କବାଦୀ ଗତିବିଧି ଓ କାର୍ଯ୍ୟକଳାପ ବଢିପାରେ ବୋଲି କୁହାଯାଉଛି ।
ଗୋଟିଏ ପଟେ ଶହବାଜ ପ୍ରଧାନମନ୍ତ୍ରୀ ହେବା ଭାରତ ପାଇଁ ଆଦୌ ଶୁଭ ସଂକେତ ନୁହେଁ କିନ୍ତୁ ଚୀନ୍ ଏଥିପାଇଁ ଭାରି ଖୁସି । ଇମ୍ରାନ ସରକାରର ପତନ ସହ ଚୀନ୍ ନିଜର ସ୍ୱର ବଦଳାଇଛି । ଚୀନର ସରକାରୀ ଗଣମାଧ୍ୟମ ଗ୍ଲୋବାଲ ଟାଇମ୍ସ ଅନୁଯାୟୀ, ଇମ୍ରାନ ସରକାର ଅପେକ୍ଷା ଶହବାଜ ସରିଫଙ୍କ କାର୍ଯ୍ୟକାଳ ସମୟରେ ଚୀନ୍ ଓ ପାକିସ୍ତାନ ସମ୍ପର୍କ ଆହୁରି ସୁଦୃଢ ହେବ । ପାକିସ୍ତାନରେ ଦେଖାଦେଇଥିବା ରାଜନୈତିକ ପରିବର୍ତ୍ତନର ପ୍ରଭାବ ଉଭୟ ଦେଶର ସମ୍ପର୍କ ଉପରେ ପଡିବନି ବୋଲି ଚୀନ୍ କହିଛି । ଏହାସହ ଗ୍ଲୋବାଲ ଟାଇମ୍ସରେ କୁହାଯାଇଛି, ଇମ୍ରାନଙ୍କ ପରେ ପାକିସ୍ତାନର ମଙ୍ଗ ଧରିବାକୁ ଯାଉଥିବା ଶହବାଜ ସରିଫ ସେହି ପରିବାରରୁ ଆସୁଛନ୍ତି ଯେଉଁମାନେ ସବୁବେଳେ ଚୀନ-ପାକିସ୍ତାନର ସମ୍ପର୍କକୁ ସମର୍ଥନ କରି ଆସିଛନ୍ତି । ତେଣୁ ଆଗାମୀ ଦିନରେ ମଧ୍ୟ ଏହା ଜାରି ରହିବ ।