ବଦଳିବ କି ଆରସିବିର ମାଲିକାନା? ୭ ମ୍ୟାଚରୁ ୬ ପରାଜୟ ପରେ ଖେଳାଳି ଚୟନକୁ ନେଇ ଉଠିଲା ପ୍ରଶ୍ନ

587

କନକ ବ୍ୟୁରୋ: ଚଳିତ ଆଇପିଏଲରେ ୭ ମ୍ୟାଚରୁ ୬ ଟି ପରାଜୟ ପରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଳୁରର ମାଲିକାନାକୁ ନେଇ ପ୍ରଶ୍ନ ଉଠିଛି । ସୋମବାର ଚିନ୍ନାସ୍ୱାମୀ ଷ୍ଟାଡିୟମରେ ସନସାଇଜର ହାଇଦ୍ରାବାଦ ବେଙ୍ଗାଳୁର ବିପକ୍ଷରେ ୨୭୮ ରନ କରିବା ପରେ ଦଳର ବୋଲିଂକୁ ନେଇ ମଧ୍ୟ ଆପତ୍ତି ଉଠାଇଛନ୍ତି ପ୍ରଶଂସକ । ଓଭର ପିଛା ୧୪.୩୫ ହାରରେ ୨୮୭ ରନ କରିବା ସହ ଆଇପିଏଲ୍ ଇତିହାସରେ ସର୍ବାଧିକ ରନର ରେକର୍ଡ କରିଥିଲା ହାଇଦ୍ରାବାଦ ।

ଦଳର ଟପ୍ ବୋଲର ମହମ୍ମଦ ସିରାଜଙ୍କ ଅନୁପସ୍ଥିତିରେ ବେଙ୍ଗାଳୁର ପଡିଆକୁ ଓହ୍ଲାଇଥିବା ବେଳେ କୌଣସି ବୋଲର ହାଇଦ୍ରାବାଦ ବ୍ୟାଟରଙ୍କୁ ବିଟ୍ କରିପାରିନଥିଲେ । କିନ୍ତୁ ବେଙ୍ଗାଳୁର ବ୍ୟାଟିଂରେ ଭଲ ପଦର୍ଶନ କରିବା ସହ ମାତ୍ର ୨୫ ରନରେ ମ୍ୟାଚ ହାରିଯାଇଥିଲା । ଆଉ ଏହାପରେ ଦଳର ଖେଳାଳୀ ଚୟନକୁ ନେଇ ପ୍ରଶ୍ନ ଉଠାଇଛନ୍ତି ପ୍ରଂଶସକ ଏବଂ ଟେନିସ୍ ଖେଳାଳୀ ମହେଶ ଭୂପତି । ମହେଶ ଭୂପତି କହିଛନ୍ତି, କ୍ରୀଡ଼ା, ଆଇପିଏଲ, ପ୍ରଶଂସକ ଏବଂ ଖେଳାଳିଙ୍କ ହିତ ଲାଗି ବିସିସିଆଇ ଆରସିବିର ମାଲିକାନା ପରିବର୍ତ୍ତନ କରିବାର ଆବଶ୍ୟକତା ରହିଛି । ଆର୍ସିବିକୁ ବିକ୍ରି କରି ତା’ର ମାଲିକାନା ନୂଆ ମାଲିକଙ୍କ ଦିଆଯାଉ, ଯିଏ ଅନ୍ୟ ଫ୍ରାଞ୍ଚାଇଜ୍ ଭଳି ଭଲ ଟିମ୍ ଗଠନ କରିପାରିବେ ।

  • ଖେଳାଳି ଚୟନକୁ ନେଇ ଉଠିଲା ପ୍ରଶ୍ନ
  • ଏଥର ପ୍ଲେ-ଅଫ୍ରୁ ବାଦ୍ ପଡିବ ଆରସିବି!

ଭଲ ବ୍ୟାଟିଂ ଲାଇନ ଅପ୍ ଥିବା ଆରସିବି ଏଥର ଖରାପ ବୋଲିଂ ଯୋଗୁ ମ୍ୟାଚ ହାରିଥିବାର ନଜିର ରହିଛି । ସୋମବାର ମ୍ୟାଚ ହାରିବା ପରେ ବେଙ୍ଗାଳୁର ଅଧିନାୟକ ଫାଫ୍ ଡୁପ୍ଲେସିସ୍ ମଧ୍ୟ ଖରାପ ବୋଲିଂକୁ ଦାୟୀ କରିଛନ୍ତି । ଏହାରି ଭିତରେ ଦଳରେ ଖେଳାଳୀ ଚୟନକୁ ନେଇ ପ୍ରଶ୍ନ ଉଠାଇଛନ୍ତି ପ୍ରଶଂସକ । ଗତ ଡିସେମ୍ବରରେ ହୋଇଥିବା ଆଇପିଏଲ ନିଲାମୀରେ ଠିକ୍ ଭାବେ ଖେଳାଳୀ ଚୟନ କରାଯାଇନଥିବା କୁହାଯାଉଛି ।

ଆଇପିଏଲର ୧୦ ଟିମ୍ ମଧ୍ୟରୁ ବେଙ୍ଗାଳୁରର ବୋଲିଂ ସବୁଠୁ ଦୁର୍ବଳ ଥିବା କୁହାଯାଉଛି । ସେପଟେ ଟୁର୍ଣ୍ଣମେଣ୍ଟର ବିରାଟ କୋହଲି ସର୍ବାଧିକ ରନ କରିଥିଲେ ମଧ୍ୟ ଦଳ ପ୍ଲେ-ଅଫ୍ ଆଶା ମଉଳି ଯାଇଛି । ଆରସିବି ୭ଟିରୁ ୬ ଟି ମ୍ୟାଚ ହାରିଥିବା ବେଳେ ବାକି ୭ଟି ମ୍ୟାଚରୁ ୪ଟି ମ୍ୟାଚ୍ ଚାମ୍ପିୟନ ଟିମଙ୍କ ସହ ଅଛି । ଯଦି ବେଙ୍ଗାଳୁର ବାକି ୭ ମ୍ୟାଚରୁ ୭ ଟି ବିଜୟୀ ହୁଏ, ତେବେ ପ୍ଲେ-ଅଫକୁ ଯିବାର ସୁଯୋଗ ରହିଛି । ଆଇପିଏଲର ୧୬ ଟି ସିଜିନରେ ବେଙ୍ଗାଳୁର ସବୁ ସିଜିନରେ ଖେଳିଥିଲେ ମଧ୍ୟ ଦଳ ଚାମ୍ପିୟନ ହୋଇପାରିନାହିଁ । ଏଥର ମଧ୍ୟ ଦଳର ପ୍ଲେ-ଅଫର ଆଶା କମଥିବାରୁ ଆରସିବି ଏବଂ ବିରାଟ କୋହଲିଙ୍କ ପ୍ରଶଂସକଙ୍କୁ ପୁଣି ଥରେ ନିରାଶ ହେବାକୁ ପଡିପାରେ ।