ଇନ୍ଦିରାଙ୍କ ସଫଳତା ଦୋହରାଇବେ କି ରାହୁଲ? ସାଂସଦ ପଦ ରଦ୍ଦ ପରେ ବଢିଲା ଚର୍ଚ୍ଚା ।

1,483

କନକ ବ୍ୟୁରୋ: ରାହୁଲ ଗାନ୍ଧୀଙ୍କ ମନ୍ତବ୍ୟକୁ ନେଇ ଦଣ୍ଡବିଧାନ ହେବା ଓ ତା ପରେ ତାଙ୍କର ଲୋକସଭା ସଭ୍ୟ ପଦ ଯିବା ପରେ ଜୋର ଧରିଛି ଆକ୍ଷେପ ପ୍ରତିଆକ୍ଷେପ । ଶାସକ ବିଜେପି ଓ କଂଗ୍ରେସ ନେତାମାନଙ୍କ ମଧ୍ୟରେ ଜାରି ରହିଛି ବୟାନବାଜି । ଆଉ ଚର୍ଚ୍ଚାକୁ ଫେରିଛି ପୂର୍ବରୁ ବିଜେପି ନେତା ଓ ରାହୁଲ ଗାନ୍ଧୀ ଦେଇଥିବା କିଛି ବିବାଦୀୟ ବୟାନ । ଅନ୍ୟପଟେ ଏହା ଦ୍ୱାରା କଂଗ୍ରେସର ଲାଭ ହେବ ନା କ୍ଷତି ହେବ ତାକୁ ନେଇ ଭିନ୍ନ ଭିନ୍ନ ଆକଳନ କରାଯାଉଛି ।

ରାହୁଲଙ୍କ ସଭ୍ୟ ପଦ ଯିବା ପରେ, ଚର୍ଚ୍ଚାକୁ ଫେରିଛି କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର ଦେଇଥିବା ଏକ ବୟାନ । ୨୦୨୦ରେ ଦିଲ୍ଲୀର ଏକ ନିର୍ବାଚନୀ ସଭାରେ ଏକ ବୟାନ ଦେଇଥିଲେ ଅନୁରାଗ ଠାକୁର । ଯେଉଁଥିରେ ଅନୁରାଗ ଠାକୁର ଏକ ଜନସଭାକୁ ସମ୍ବୋଧନ କରି କହିଥିଲେ, ଦେଶଦ୍ରୋହୀଙ୍କୁ… ଆଉ ସେହି ସଭାରେ ଉପସି୍ଥତ ଥିବା ଲୋକମାନେ କହିଥିଲେ ଗୁଳିମାର.. । ତାପରେ ଅନୁରାଗ ଠାକୁର ଖୁସିରେ ତାଳି ମାରିଥିଲେ ।

ଜଣେ କେନ୍ଦ୍ରମନ୍ତ୍ରୀ ଏଭଳି ଉସୁକାଇବା ଭଳି ଭାଷଣ ବିରୋଧରେ ଆପତ୍ତି ଉଠାଇଥିଲେ ବିରୋଧୀ । ଅନୁରାଗଙ୍କ ବିରୋଧରେ କୋର୍ଟରେ ଅଭିଯୋଗ ବି କରିଥିଲେ । ତେବେ ଦିଲ୍ଳୀ ହାଇକୋର୍ଟ ମାମଲାର ଶୁଣାଣି କରି କହିଥିଲେ, ନିର୍ବାଚନ ସମୟରେ ଦିଆଯାଉଥିବା ଭାଷଣ ଓ ଅନ୍ୟ ସମୟରେ ଦିଆଯାଉଥିବା ଭାଷଣରେ ତଫାତ୍ ରହିଛି । ଯଦି ଜଣେ ହସି ହସି କିଛି ବୟାନ ଦେଉଛନ୍ତି, ତାହା ଅପରାଧ ନୁହେଁ ବୋଲି ।

ସେହିପରି ରାହୁଲ ଗାନ୍ଧୀ ଏକ ଜନସଭାକୁ ସମ୍ବୋଦ୍ଧିତ କରିବା ସମୟରେ ଦେଇଥିବା ଆଉ ଏକ ବିବାଦୀୟ ବୟାନ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଯେଉଁଥିରେ ରାହୁଲ ଗାନ୍ଧୀ ମୋଦୀ ସରକାରଙ୍କୁ ଟାର୍ଗେଟ କରିବାକୁ ଯାଇ କହିଥିଲେ, ମେକ୍ ଇନ ଇଣ୍ଡିଆକୁ ନୁହେଁ ଭାରତ ରେପ୍ ଇଣ୍ଡିଆ ପାଲଟି ଯାଇଛି । ତେବେ କେବଳ ରାହୁଲ ଓ ଅନୁରାଗଙ୍କ ବୟାନ ନୁହେଁ ବିଜେପି ଓ ବିରୋଧୀ ଦଳ ନେତାଙ୍କ ଏକାଧିକ ବିବାଦୀୟ ବୟାନ ଚର୍ଚ୍ଚାକୁ ଫେରିଛି । ଏଥିସହ ଚର୍ଚ୍ଚାକୁ ଫେରିଛି ରାହୁଲଙ୍କ ଭଳି ପୂର୍ବରୁ ଆଉ କେଉଁ କେଉଁ ନେତାଙ୍କ ସଭ୍ୟପଦ ଯାଇଥିଲା ।

ରାହୁଲ ଗାନ୍ଧୀଙ୍କ ଭଳି ଇନ୍ଦିରା ଗାନ୍ଧୀ ଓ ସୋନିଆ ଗାନ୍ଧୀ ମଧ୍ୟ ସଦସ୍ୟତା ହରାଇଥିଲେ । ୨୦୦୬ରେ ଅଫିସ ଅଫ୍ ପ୍ରଫିଟ୍ ମାମଲାରେ ସୋନିଆ ଗାନ୍ଧୀଙ୍କ ସଦସ୍ୟ ପଦ ବି ଯାଇଥିଲା । ସେହିପରି ୧୯୭୮ରେ ଇନ୍ଦିରା ଗାନ୍ଧୀଙ୍କ ସଭ୍ୟ ପଦ ଯାଇଥିଲା । ନିର୍ବାଚନରେ କ୍ଷମତାର ଦୂରୁପଯୋଗ ଓ ସରକାରୀ ଅଧିକାରୀଙ୍କୁ ଅପମାନିତ କରିବା ଅଭିଯୋଗରେ ସ୍ୱାଧୀକାର କମିଟିର ରିପୋର୍ଟ ଅନୁସାରେ ଇନ୍ଦିରାଙ୍କ ପଦ ଯାଇଥିଲା । ହେଲେ, ୧୯୮୦ ଇନ୍ଦିରା ଗାନ୍ଧି ପୁଣି ଥରେ ବିପୁଳ ଜନସମର୍ଥନ ମିଳିଥିଲା । ଆଉ ଏବେ ପ୍ରଶ୍ନ ଉଠୁଛି ଜେଜେ ମା’ଙ୍କ ପରି କଂଗ୍ରେସକୁ କ୍ଷମତାସୀନ କରାଇପାରିବେ କି ରାହୁଲ ?

ଅନ୍ୟପଟେ ରାହୁଲଙ୍କ ସଭ୍ୟ ପଦ ଯିବା ପରେ ଦେଶର ବିଭିନ୍ନ ସ୍ଥାନରେ କଂଗ୍ରେସ କର୍ମୀ ପ୍ରତିବାଦ ଜାରି ରଖିଛନ୍ତିି । ଏଥିସହ ଅଧିକାଂଶ ବିରୋଧୀ ଦଳ ନେତା କେନ୍ଦ୍ର ସରକାରଙ୍କ ଏଭଳି ନିଷ୍ପତିକୁ ନିନ୍ଦା କରିଛନ୍ତି । ତେବେ ଏସବୁ ଭିତରେ ଜନପ୍ରତିିନିଧି ଆଇନକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରାଯାଇଛି । ଯେଉଁ ଅଧିନିୟମ ବଳରେ, ରାହୁଲ ଗାନ୍ଧୀଙ୍କ ସଭ୍ୟ ପଦ ଯାଇଛି, ସେହି ଅଧିନିୟମକୁ ଚାଲେଞ୍ଜ କରି ସୁପ୍ରିମକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର ହୋଇଛି ।