ପୁଣି କଂଗ୍ରେସର ମଙ୍ଗ ଧରିପାରନ୍ତି ରାହୁଲ ଗାନ୍ଧୀ । ସିଡବ୍ଲୁସି ବୈଠକରେ କହିଲେ, ଅଧ୍ୟକ୍ଷ ପଦ ପାଇଁ କରିବି ବିଚାର…

146

କନକ ବ୍ୟୁରୋ: ପୁଣି କଂଗ୍ରେସର ମଙ୍ଗ ଧରିପାରନ୍ତି ରାହୁଲ ଗାନ୍ଧୀ । ଶନିବାର କଂଗ୍ରେସ ସିଡବ୍ଲୁସି ବୈଠକ ବସିଥିବାବେଳେ ଏହି ବୈଠକରେ ଏନେଇ ସଙ୍କେତ ମିଳିଛି । ଆଜି କଂଗ୍ରେସର ସିନିୟର ନେତାମାନେ ପୁଣି ରାହୁଲଙ୍କୁ କଂଗ୍ରେସ ଅଧ୍ୟକ୍ଷ ପଦ ସମ୍ଭାଳିବାକୁ ପ୍ରସ୍ତାବ ଦେଇଥିଲେ, ଯାହାର ଉତ୍ତର ରଖି ରାହୁଲ କହିଥିଲେ ସେ ନେଇ ବିଚାର କରିବେ । ଯାହାପରେ ସେ ପୁଣି କଂଗ୍ରେସ ଅଧ୍ୟକ୍ଷ ପଦକୁ ଫେରିପାରନ୍ତି ବୋଲି ରାଜନୀତି କରିଡରରେ ଚର୍ଚ୍ଚା ହେଉଛି ।

ଆଜି ଦିଲ୍ଲୀରେ ବସିଥିବା କଂଗ୍ରେସ କାର୍ଯ୍ୟକାରୀ କମିଟିର ବୈଠକରେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ କଂଗ୍ରେସ ଅଧ୍ୟକ୍ଷ ପଦ ପାଇଁ ରାହୁଲ ଗାନ୍ଧୀଙ୍କ ନାମ ସୁପାରିଶ କରିଥିଲେ । ଯାହାକୁ ଅନ୍ୟ ସଦସ୍ୟମାନେ ମଧ୍ୟ ଗ୍ରହଣ କରିବା ସହିତ ଏଥିରେ ସହମତି ପ୍ରକାଶ କରିଥିଲେ । ତେବେ ରାହୁଲ ଗାନ୍ଧୀ କଂଗ୍ରେସ ନେତୃତ୍ୱ ନେବା ନେଇ ବିଚାର କରିବେ ବୋଲି କହିଛନ୍ତି । ଏହି ବୈଠକ ପରେ କଂଗ୍ରେସର ବରିଷ୍ଠ ନେତା ଅମ୍ବିକା ସୋନୀ କହିଛନ୍ତି, ରାହୁଲ ଗାନ୍ଧୀଙ୍କୁ କଂଗ୍ରେସ ଅଧ୍ୟକ୍ଷ କରାଯିବା ନେଇ ବୈଠକରେ ସହମତି ପ୍ରକାଶ ପାଇଛି । ହେଲେ ସେ ଏହି ଦାୟିତ୍ୱରେ ରହିବେ କି ନାହିଁ ତାହା ସମ୍ପୂର୍ଣ୍ଣ ରୂପେ ତାଙ୍କ ଉପରେ ନିର୍ଭର କରୁଛି । ହେଲେ ସବୁ ନେତା ରାହୁଲ ଗାନ୍ଧୀଙ୍କୁ ପାର୍ଟିର ଅଧ୍ୟକ୍ଷ କରିବାକୁ ଚାହୁଛନ୍ତି ବୋଲି ସେ କହିଛନ୍ତି ।

ଅନ୍ୟପଟେ ଏହି ବୈଠକରେ ସୋନିଆ ଗାନ୍ଧୀ ଜି-୨୩ର ନେତାଙ୍କୁ କଡା ବାଣୀ ଶୁଣାଇଛନ୍ତି । ସେ ହିଁ କଂଗ୍ରେସର ପୂର୍ଣ୍ଣକାଳୀନ ସଭାପତି ବୋଲି ସୋନିଆ ଗାନ୍ଧୀ କହିଛନ୍ତି । ତା ସହିତ ତାଙ୍କ ସହିତ କଥା ହେବାକୁ ଦଳର ନେତାମାନେ ଗଣମାଧ୍ୟମର ସାହାଯ୍ୟ ନିଅନ୍ତୁ ନାହିଁ ବୋଲି ଆଜି ଜି-୨୩ ନେତାଙ୍କୁ ଟାର୍ଗେଟ କରି କହିଛନ୍ତି ସୋନିଆ । ତେବେ ଦଳରେ ରହିବାକୁ ହେଲେ ଅନୁଶାସନ ଏବଂ ନିୟମ ମାନିବାକୁ ହେବ ବୋଲି ସେ ସ୍ପଷ୍ଟ କରିଛନ୍ତି ।

ସୂଚନାଯୋଗ୍ୟ ଯେ, ୨୦୧୯ ସାଧାରଣ ନିର୍ବାଚନରେ କଂଗ୍ରେସ ଶୋଚନୀୟ ପରାଜୟ ବରଣ କରିଥିଲା । ଏହାପରେ ଏହି ପରାଜୟ ପାଇଁ ନିଜକୁ ଦାୟୀ କରି କଂଗ୍ରେସ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଥିଲେ ରାହୁଲ ଗାନ୍ଧୀ । ଏହାପରଠାରୁ ସୋନିଆ ଗାନ୍ଧୀ ଦଳର ଅନ୍ତରୀଣ ଅଧ୍ୟକ୍ଷ ପଦରେ ଅଛନ୍ତି । ତେବେ ପୁଣିଥରେ ଏହି ପଦ ରାହୁଲ ଗାନ୍ଧୀଙ୍କ ପାଖକୁ ଫେରିପାରେ ବୋଲି ଚର୍ଚ୍ଚା ହେଉଛି।