ଏବେ ଆମେଥି ଉପରେ ନଜର । ପୁଣିଥରେ ପାରମ୍ପାରିକ ଆସନ ଆମେଥିରୁ ଭାଗ୍ୟ ପରୀକ୍ଷା କରିବେ କି ରାହୁଲ?

83

କନକ ବ୍ୟୁରୋ: ଶୁକ୍ରବାର କଂଗ୍ରେସ ଲୋକସଭା ନିର୍ବାଚନ ପାଇଁ ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ପ୍ରକାଶ କରିଛି । ୩୯ ଜଣଙ୍କ ତାଲିକା ପ୍ରକାଶ ପାଇଥିବା ବେଳେ କେରଳର ୱାଏନାଡରୁ ରାହୁଲ ଗାନ୍ଧୀ ପୁଣିଥରେ ନିର୍ବାଚନ ଲଢ଼ିବେ । ଏହାପରେ ଏବେ ଆମେଥି ଆସନକୁ ନେଇ ଚର୍ଚ୍ଚା ବଢ଼ିଛି । ଏବେ ଆମେଥି ଆସନରୁ ରାହୁଲ ଲଢ଼ିବେ କି ନାହିଁ, ତାରି ଉପରେ ନଜର । ଉତ୍ତର ପ୍ରଦେଶର ଆମେଥିକୁ କଂଗ୍ରେସର ଗଡ଼ ବୋଲି କୁହାଯାଏ । ଏହିଠାରୁ କଂଗ୍ରେସ ତଥା ଗାନ୍ଧୀ ପରିବାରର ସଦସ୍ୟ ବାରମ୍ବାର ନିର୍ବାଚନ ଲଢ଼ି ଜିତିଆସିଛନ୍ତି । ହେଲେ ୨୦୧୯ରେ ବଡ଼ ଓଲଟପାଲଟ ହୋଇଥିଲା । କଂଗ୍ରେସ ଯୁବରାଜଙ୍କୁ ପରାସ୍ତ କରିଥିଲେ ବିଜେପିର ସ୍ମୃତି ଇରାନୀ । ୨୦୧୪ ନିର୍ବାଚନରେ ରାହୁଲଙ୍କ ଠାରୁ ସ୍ମୃତି ହାରିଯାଇଥିଲେ । ହେଲେ ୫ ବର୍ଷ ପରେ ସ୍ଥିତି ବଦଳିଯାଇଥିଲା । ୨୦୧୯ରେ ସ୍ମୃତିଙ୍କୁ ମୋଟ୍ ୪ ଲକ୍ଷ ୬୮ ହଜାର ୫୧୪ ଭୋଟ୍ ମିଳିଥିଲା ବେଳେ ରାହୁଲ ଗାନ୍ଧୀଙ୍କୁ ୪ ଲକ୍ଷ ୮ ହଜାର ୬୫୧ ଭୋଟ୍ ମିଳିଥିଲା । ଆମେଥିରୁ ରାହୁଲଙ୍କ ଏହି ପରାଜୟ ରାଜନୈତିକ ସମୀକ୍ଷକଙ୍କୁ ବି ଆଶ୍ଚର୍ଯ୍ୟ କରିଦେଇଥିଲା । ଏବେ ଉତ୍ତର ପ୍ରଦେଶରେ ଯୋଗୀରାଜ ଚାଲିଛି । ଯୋଗୀ ଆଦିତ୍ୟନାଥ ୟୁପିରେ ବେଶ୍ ଲୋକପ୍ରିୟ । ଏହାସହ ବିଜେପି ଖୁବ୍ ମଜବୁତ୍ ରହିଛି । ନିକଟରେ ଏକ ସର୍ଭେ କହିଥିଲା ଯେ, ଆମେଥିରେ କଂଗ୍ରେସକୁ ସମର୍ଥନ କରୁଥିବା ଭୋଟରଙ୍କ ସଂଖ୍ୟା ବି ଗତ କିଛି ବର୍ଷରେ କମିଛି । ଏପରି ସ୍ଥିତିରେ ରାହୁଲ ଗାନ୍ଧୀ ପୁଣିଥରେ ଆମେଥିରୁ ଲଢ଼ିବେ କି ନାହିଁ, ତାରି ଉପରେ ସମସ୍ତ ନଜର ଅଟକିଛି ।