ଦିନିକିଆ ବିଶ୍ୱକପ ଦଳରେ କିଏ ପାଇବ ସ୍ଥାନ ? ସୂର୍ଯ୍ୟ ଓ ଶ୍ରେୟସଙ୍କ ଲଢେଇ ଭିତରେ ବାଜି ମାରିନେବେନି ତ ରାହାଣେ ।

605

କନକ ବ୍ୟୁରୋ : ବିଶ୍ୱ ଟେଷ୍ଟ ଚାମ୍ପିୟନସିପ ଫାଇନାଲ ମୁକାବିଲା ପାଇଁ ଭାରତୀୟ ଦଳରେ ସ୍ଥାନ ପାଇଛନ୍ତି ଆଜିଙ୍କ୍ୟ ରାହାଣେ । ଦୀର୍ଘ ଦିନ ପରେ ରାହାଣେ ପୁଣିଥରେ ଭାରତୀୟ ଟିମକୁ କମବ୍ୟାକ୍ କରିଛନ୍ତି । ଆଇପିଏଲରେ ଦମଦାର ପ୍ରଦର୍ଶନ ହିଁ ରାହାଣେଙ୍କ ପାଇଁ ଟିମ୍ ଇଣ୍ଡିଆର ରାସ୍ତା ଖୋଲିଛି । ଯେହେତୁ ବ୍ୟାଟର ଶ୍ରେୟସ ଆୟର ଆହତ ହୋଇଛନ୍ତି ତେଣୁ ତାଙ୍କ ସ୍ଥାନରେ ରାହାଣେଙ୍କୁ ସୁଯୋଗ ମିଳିଛି । ଆୟର ଆହତ ହେବା କାରଣରୁ ଅନୁଭବୀ ରାହାଣେ ପୁଣିଥରେ ଟିମ୍ ଇଣ୍ଡିଆର ସ୍କ୍ୱାର୍ଡକୁ ଫେରିଛନ୍ତି ।

ଚଳିତ ଆଇପିଏଲରେ ରାହାଣେ ଯେଉଁଭଳି ପ୍ରଦର୍ଶନ କରୁଛନ୍ତି ଦିନିକିଆ ଫର୍ମାଟରେ ମଧ୍ୟ ତାଙ୍କ ପାଇଁ ପୁଣିଥରେ ସୁଯୋଗ ସୃଷ୍ଟି ହୋଇପାରେ । ଏପରିକି ବିଶ୍ୱକପ ଦଳରେ ସ୍ଥାନ ପାଇବାକୁ ରାହାଣେ ଦୃଢ ଦାବିଦାର ରହିବେ । କାରଣ ଚଳିତ ବର୍ଷର ଶେଷ ଆଡକୁ ଭାରତରେ ଦିନିକିଆ ବିଶ୍ୱକପ ଖେଳାଯିବ । ତେଣୁ ଘରୋଇ ମାଟିରେ ରାହାଣେଙ୍କୁ ଏହି ସୁଯୋଗ ଦେଇପାରନ୍ତି ଚୟନକର୍ତ୍ତା ଟିମ୍ ।

ଟି-୨୦ରେ ଦମଦାର ପ୍ରଦର୍ଶନ ବଳରେ ସୂର୍ଯ୍ୟକୁମାର ଯାଦବ ଭାରତୀୟ ଦିନିକିଆ ଦଳରେ ସ୍ଥାନ ପାଇଥିଲେ । କିନ୍ତୁ ସୂର୍ଯ୍ୟକୁମାରଙ୍କ ପ୍ରଦର୍ଶନ ଦିନିକିଆ ଫର୍ମାଟରେ ବେଶ ନିରାଶଜନକ ରହିଥିଲା । ଗୋଟିଏ ପଟେ ଶ୍ରେୟସ ଆହତ ହେବା ଏବଂ ଅନ୍ୟପଟେ ସୂର୍ଯ୍ୟକୁମାର ଯାଦବ ଫ୍ଲପ୍ ହେବା ରାହାଣେଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ ସୃଷ୍ଟି କରିଛି । ଭାରତୀୟ ଟିମ୍ ବିଶ୍ୱକପ ପୂର୍ବରୁ ୱେଷ୍ଟଇଣ୍ଡିଜ ଓ ଅଷ୍ଟ୍ରେଲିଆ ବିପକ୍ଷରେ ଦିନିକିଆ ସିରିଜ ଖେଳିବ । ସେହିଭଳି ସେପ୍ଟେମ୍ବରରେ ଏସିଆ କପ ମଧ୍ୟ ଖେଳିବ । ତେଣୁ ଏହିସବୁ ଟିମରେ ରାହାଣେଙ୍କୁ ଯଦି ସୁଯୋଗ ମିଳେ ତେବେ ସୂର୍ଯ୍ୟ ଓ ଶ୍ରେୟସଙ୍କ ପାଇଁ ଦଳରେ ସ୍ଥାନ ବଜାୟ ରଖିବା କଷ୍ଟକର ହୋଇପାରେ । କିନ୍ତୁ ଆଇପିଏଲର ପ୍ରଦର୍ଶନ ଆଧାରରେ ବିଶ୍ୱକପ ପାଇଁ ଏବଂ ଏସିଆ କପ୍ ପାଇଁ ଦଳ ଚୟନ ହେବ ତାହାର ସମ୍ଭାବନା କମ ।