କନକ ବ୍ୟୁରୋ: କଂଗ୍ରେସ ଦଳରେ ହେବ କି ପ୍ରଶାନ୍ତ କିଶୋରଙ୍କ ଏଂଟ୍ରି । ୨୦୨୪ ପାଇଁ ଦଳକୁ ମିଳିବ କି ନିର୍ବାଚନ ରଣନୀତିକାର ପିକେଙ୍କ ସହଯୋଗ । ଏନେଇ ଲଗାତାର ତିନି ଦିନ ଧରି ସୋନିଆଙ୍କ ବାସ ଭବନରେ ଚାଲିଛି ଘନଘନ ବୈଠକ । ବରିଷ୍ଠ କଂଗ୍ରେସ ନେତାଙ୍କ ସହ ଆଲୋଚନା କରି ପିକେଙ୍କୁ ନେଇ ହୋଇପାରେ ବଡ ନିଷ୍ପତି ।

Advertisment

ଆସନ୍ତା ୨୦୨୪ ସାଧାରଣ ନିର୍ବାଚନ ପ୍ରସ୍ତୁତି ପାଇଁ ନିର୍ବାଚନ ରଣନୀତିକାର ପ୍ରଶାନ୍ତ କିଶୋରଙ୍କୁ କଂଗ୍ରେସରେ ସାମିଲ କରିବାକୁ ବିଚାର-ବିମର୍ଷ କରୁଛନ୍ତି କଂଗ୍ରେସ ସୁପ୍ରିମୋ ସୋନିଆ ଗାନ୍ଧୀ । ପ୍ରଶାନ୍ତଙ୍କୁ ନିଯୁକ୍ତି ଦେବା ପାଇଁ ଗତ ତିନି ଦିନ ଧରି ଦିଲ୍ଲୀ ୧୦ ଜନପଥ ସୋନିଆଙ୍କ ବାସ ଭବନରେ ଚାଲିଛି ଘନ ଘନ ବୈଠକ । ବରିଷ୍ଠ କଂଗ୍ରେସ ନେତାଙ୍କ ସହ ଆଲୋଚନା କରୁଛନ୍ତି କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧି । ପୁଅ ରାହୁଲ ଓ ଝିଅ ପ୍ରିୟଙ୍କାଙ୍କୁ ନେଇ କରୁଛନ୍ତି ବୈଠକ । ତେବେ ଏହି ବୈଠକରେ ପ୍ରଶାନ୍ତ କିଶୋର ବି ଯୋଗ ଦେଇଥିବା ଚର୍ଚ୍ଚା ହେଉଛି । ଆଉ ୨୦୨୪ ସାଧାରଣ ନିର୍ବାଚନ ପାଇଁ କଂଗ୍ରେସର ପରାମର୍ଶଦାତା ତଥା ରଣନୀତିକାର ଭାବେ ପ୍ରଶାନ୍ତ ଦାୟିତ୍ୱ ନେବା ଏକ ପ୍ରକାର ସ୍ପଷ୍ଟ ହୋଇଥିବା ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି । ତେବେ ଶେଷ ନିଷ୍ପତି ସୋନିଆ ଗାନ୍ଧି ନେବେ ବୋଲି ଜଣା ପଡିଛି ।

ନିର୍ବାଚନ ରଣନୀତିକାର ଭାବେ ପ୍ରଶାନ୍ତ କିଶୋରଙ୍କ ବେଶ ଅଭିଜ୍ଞତା ରହିଛି । ତାଙ୍କର ରଣନୀତି ଫଳରେ ୨୦୧୪ ସାଧାରଣ ନିର୍ବାଚନରେ କେନ୍ଦ୍ରରେ ସରକାର ଗଢିପାରିଥିଲେ ପ୍ରଧାନମନ୍ତ୍ରୀ ମୋଦୀ । ସେହିପରି ବିହାରରେ ନୀତିଶ କୁମାର ମୁଖ୍ୟମନ୍ତ୍ରୀ ହେବା ପଛରେ ବି ରହିଛି ପ୍ରଶାନ୍ତ କିଶୋରଙ୍କ ବଡ ଯୋଗଦାନ । ପଶ୍ଚିମବଙ୍ଗରେ ମମତା ବାନାର୍ଜୀଙ୍କ ବିଜୟ ପଛରେ ବି ରହିଛି ପିକେଙ୍କ ହାତ । ଆଉ ଏବେ ପ୍ରଶାନ୍ତ କିଶୋରଙ୍କୁ ନିଜ ଦଳରେ ସାମିଲ କରିବାକୁ ପ୍ରସ୍ତୁତ ହେଉଛି କଂଗ୍ରେସ । ଶୁଣିବାକୁ ମିଳିଛି କଂଗ୍ରେସର ବରିଷ୍ଠ ନେତାଙ୍କୁ ନେଇ ଏକ ପ୍ୟାନେଲ ଗଠନ ହୋଇଛି । ଯେଉଁମାନେ ପ୍ରଶାନ୍ତ କିଶୋରଙ୍କ ରଣନୀତି ଉପରେ ଆଲୋଚନା କରି ସୋନିଆ ଗାନ୍ଧିଙ୍କୁ ଜଣାଇବେ । ପିକେ ମଧ୍ୟ ୨୦୨୪ ନିର୍ବାଚନ ପାଇଁ କିଛି ଯୋଜନା ପ୍ରସ୍ତୁତ କରି ପ୍ୟାନେଲ ଆଗରେ ରଖିଥିବା ସୂଚନା ମିଳିଛି । ଜାତୀୟ ଗଣମାଧ୍ୟମର ସୂଚନା ଅନୁସାରେ କଂଗ୍ରେସରେ ପ୍ରଶାନ୍ତ କିଶୋର ଯୋଗଦେବା ଏକ ପ୍ରକାର ସ୍ପଷ୍ଟ ହୋଇଛି । ଅପେକ୍ଷା ଅଛି ତ କେବଳ ଘୋଷଣା ହେବାର ।