ବିଜେଡି ଯିବେ ନା କଂଗ୍ରେସରେ ରହିବେ, ଦୋ’ଛକିରେ ପୂର୍ବତନ ସାଂସଦ ପ୍ରଦୀପ ମାଝୀ । ରାଜ୍ୟସଭା ଆସନକୁ ନେଇ ଅଙ୍କ ଛିଣ୍ଡୁନଥିବାରୁ ଝୁଲି ରହିିଛି କି ନିଷ୍ପତ୍ତି ।

259

କନକ ବ୍ୟୁରୋ : ନେତାଙ୍କ ଦଳ ଡିଆଁ, ରାଜନୀତିରେ କିଛି ନୂଆ କଥା ନୁହେଁ । କିନ୍ତୁ କଂଗ୍ରେସ ନେତା ପ୍ରଦୀପ ମାଝୀଙ୍କ କ୍ଷେତ୍ରରେ ଚର୍ଚ୍ଚା ଅନେକ ହେଉଛି ପୁଣି ଅଟକି ଯାଉଛି । ଗତକାଲି ରାହୁଲ ଗାନ୍ଧୀଙ୍କୁ ଭେଟି ଆଲୋଚନା କରିବା ପରେ ସେ ଦେଇଥିବା ବୟାନକୁ ନେଇ ରାଜନୈତିକ ସ୍ତରରେ ସମୀକ୍ଷା ଆରମ୍ଭ ହୋଇଛି । ବିଜେଡିକୁ ଯିବା ନେଇ ସବୁ ପ୍ରକାର କଥାବାର୍ତ୍ତା ସରିଥିବା ବେଳେ ପ୍ରଦୀପଙ୍କ ବୟାନ ପ୍ରମାଣିତ କରୁଛି ନିଷ୍ପତି ନେବା ବେଳେ ଦ୍ୱନ୍ଦ୍ୱରେ ପଡି ଯାଇଛନ୍ତି ।

କଂଗ୍ରେସରେ ରହିବେ ନା’ ବିଜେଡିରେ ମିଶିବେ ? ଦୋ’ଛକିରେ ପ୍ରଦୀପ ମାଝୀ । ଗୋଟିଏ ଦଳ ଛାଡି ଅନ୍ୟ ଦଳରେ ମିଶିବା ନେତାଙ୍କ ପାଇଁ ନୂଆ ନୁହେଁ । ହେଲେ କଂଗ୍ରେସ ନେତା ପ୍ରଦୀପ ମାଝୀଙ୍କ କଥା ଓ କାମ, ରାଜନୀତିରେ ଏକ ନାଟକୀୟ ସ୍ଥିତି ସୃଷ୍ଟି କରିଛି । ପିପିଲି ଉପନିର୍ବାଚନ ପରେ ପଞ୍ଚାୟତ ନିର୍ବାଚନ ଘୋଷଣା ପୂର୍ବରୁ ଦକ୍ଷିଣ ଓଡ଼ିଶାର ପ୍ରଭାବଶାଳୀ ନେତା ପ୍ରଦୀପ ମାଝୀ, କଂଗ୍ରେସ ଛାଡି ବିଜେଡିରେ ମିଶିବେ ବୋଲି ଜୋରଦାର ଚର୍ଚ୍ଚା ହେଉଥିଲା । କିନ୍ତୁ ତାହା ନାଟକୀୟ ମୋଡ ନେଇଛି, ଯେତେବେଳେ ଦିଲ୍ଲୀରେ ରାହୁଲ ଗାନ୍ଧୀଙ୍କୁ ଭେଟିଛନ୍ତି ପ୍ରଦୀପ ।

ରାହୁଲ ଗାନ୍ଧୀଙ୍କୁ ଭେଟିବା ପରେ ଗଣମାଧ୍ୟମକୁ ପ୍ରଦୀପ ମାଝୀ କହିଛନ୍ତି, କଂଗ୍ରେସରେ ଥିଲେ ଓ କଂଗ୍ରେସରେ ଆଗକୁ ରହିବେ । ତେବେ ପ୍ରଦୀପ ମାଝୀଙ୍କ କଂଗ୍ରେସ ଛାଡିବା ଯୋଜନାରେ କିଛି ପରିବର୍ତ୍ତନ ହୋଇନଥିବା ରାଜନୈତିକ ମହଲରେ ଆଲୋଚନା ହେଉଛି । ନବରଙ୍ଗପୁର ସଂସଦୀୟ କ୍ଷେତ୍ରରେ ପ୍ରଦୀପ ମାଝୀଙ୍କ କିଛି ଅନୁଗତ ନେତା ଦଳ ଛାଡିଛନ୍ତି । ଆଉ କିଛି ନେତା ଦଳ ଛାଡିବା ନେଇ ପ୍ରସ୍ତୁତ ହୋଇ ରହିଛନ୍ତି । ଯାହା ସ୍ୱଷ୍ଟ ସଂକେତ ଦେଉଛି, କଂଗ୍ରେସରେ ଆଉ ଅଧିକ ଦିନ ରହିନପାରନ୍ତି ପ୍ରଦୀପ ମାଝୀ ।

ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ବିଜେଡି ଓ ପ୍ରଦୀପଙ୍କ ମଧ୍ୟରେ ରାଜ୍ୟସଭାକୁ ନେଇ ବଡ଼ ଧରଣର ଡିଲ୍ ହୋଇଛି । ଆସନ୍ତା ବର୍ଷ ଖାଲି ପଡିବାକୁ ଥିବା ଆସନ ଉପରେ ପ୍ରଦୀପଙ୍କ ନଜର ରହିଥିବା ବେଳେ ଦକ୍ଷିଣ ଓଡ଼ିଶାର କିଛି ବିଜେଡି ନେତା ଏଥିରେ ବାଧକ ସାଜିଛନ୍ତି । ଯେଉଁଥିପାଇଁ ପୂରା ପ୍ରକ୍ରିୟା ଟିକେ ଆଗଉଛି, ଟିକେ ପଛାଉଛି । ସେପଟେ ସୁର ରାଉତରାୟ କହିଛନ୍ତି, ଦଳରେ ରହିବାର ଅଛି ଯଦି ରୁହ ନହେଲେ ଛାଡିକି ଯାଅ ।

ପ୍ରଦୀପ ମାଝୀ, ପ୍ରଦେଶ କଂଗ୍ରେସ କମିଟି କାର୍ଯ୍ୟକାରୀ ସଭାପତି । ତେବେ କଂଗ୍ରେସ ଛାଡିବା ନେଇ ଚର୍ଚ୍ଚା ବହୁଦିନ ଧରି ଲାଗିରହିଛି । ନବ ଦାସଙ୍କ ଭଳି ଫର୍ମୁଲା ଆପଣାଇ ପ୍ରଦୀପ ଗୋଟି ଚାଳନା କରୁଛନ୍ତି ବୋଲି ଚର୍ଚ୍ଚା ହେଉଛି । ଏବେ ପ୍ରଶ୍ନ ଉଠୁଛି, ଯଦି ପ୍ରଦୀପ ମାଝୀ ଦଳ ଛାଡୁଛନ୍ତି, ତେବେ ଦିଲ୍ଲୀ ଯାଇ ରାହୁଲ ଗାନ୍ଧୀଙ୍କୁ କାହିଁକି ଭେଟିଲେ ? ଦଳ ଛାଡୁନାହାନ୍ତି ବୋଲି କାହିଁକି ଗଣମାଧ୍ୟମରେ କହିଲେ ପ୍ରଦୀପ ମାଝୀ ? ଦଳ ଛାଡ଼ିବା ଚର୍ଚ୍ଚା ଭିତରେ କଂଗ୍ରେସ ସହ କରୁଛନ୍ତି କି ମୂଲଚାଲ ? ଯଦି ପରବର୍ତ୍ତୀ ସମୟରେ ବିଜେଡିରେ ମିଶନ୍ତି, ତେବେ ନେତାଙ୍କ କଥା ଉପରେ ଜନସାଧାରଣ ଭରସା କରିବେ ତ ?