ପିପିଲି ଉପ-ନିର୍ବାଚନ ପୂର୍ବରୁ କଂଗ୍ରେସ ପ୍ରାର୍ଥୀ ଅଜିତ ମଙ୍ଗରାଜଙ୍କ ଦେହାନ୍ତ । ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ରମନ୍ତ୍ରୀଙ୍କ ସମେତ ବିଶିଷ୍ଟ ବ୍ୟକ୍ତିଙ୍କ ଶୋକ ପ୍ରକାଶ 

149

କନକ ବ୍ୟୁରୋ: ପରଲୋକରେ ପିପିଲି ଉପନିର୍ବାଚନର କଂଗ୍ରେସ ପ୍ରାର୍ଥୀ ଅଜିତ ମଙ୍ଗରାଜ  । କରୋନାରେ ଆକ୍ରାନ୍ତ ହୋଇ ଅଜିତ ଭୁବନେଶ୍ୱରରେ ଆପଲୋ ହସପିଟାଲରେ ଚିକିତ୍ସାଧୀନ ଥିଲେ । ଗତ ସପ୍ତାହରେ  ସେ କରୋନା ଆକ୍ରାନ୍ତ ହୋଇ ଡାକ୍ତରଖାନାରେ ଭର୍ତି ହୋଇଥିଲେ ।  ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କ ମୃତ୍ୟୁ ହୋଇଛି । ମୃତ୍ୟୁ ବେଳକୁ ତାଙ୍କ ୫୨ ବର୍ଷ ବୟସ ହୋଇଥିଲା

ଗତ ୭ ତାରିଖରେ ଅଜିତ ମଙ୍ଗରାଜ ପ୍ରଚାର ପାଇଁ ନିଜ  ଗାଁ ମୋଟରୀକୁ ଯାଇଥିବାବେଳେ ଅସୁସ୍ଥ ହୋଇପଡିଥିଲେ । ତାଙ୍କୁ  ସଙ୍ଗେ ସଙ୍ଗେ  ମେଡିକାଲରେ ଭର୍ତି କରାଯାଇଥିଲା । ପରେ ସେ କରୋନା ଆକ୍ରାନ୍ତ ଥିବା  ଜଣାପଡିଥିଲା । କରୋନାରେ ଆକ୍ରାନ୍ତ ହେବା ପରେ ଅଜିତ ମଙ୍ଗରାଜଙ୍କୁ  ନିମୋନିଆ ହୋଇଥିବା  ଆପୋଲ ହସପିଟାଲ ପକ୍ଷରୁ କୁହାଯାଇଛି ।  ଅଜିତଙ୍କକ ଦେହାନ୍ତ ପରେ ମେଡିକାଲକୁ  ନେତା ଓ ଶୁଭେଚ୍ଛୁଙ୍କ ଲମ୍ବା ଲାଇନ ଲାଗିଥିଲା ।

କଂଗ୍ରେସ ପ୍ରାର୍ଥୀ ଅଜିତ ମଙ୍ଗରାଜଙ୍କ ପରଲୋକ ପରେ  ୧୭ ତାରିଖରେ ହେବାକୁ ଥିବା  ପିପିଲି ଉପନିର୍ବାଚନ ଘୁଂଚିବା ଏକପ୍ରକାର ପକ୍କା ହୋଇଯାଇଛି ।  ଏ ନେଇ ପୁରୀ ରିଟର୍ଣ୍ଣିଂ ଅଫିସର  ରାଜ୍ୟ ନିର୍ବାଚନ ଅଧିକାରୀଙ୍କୁ ରିପୋର୍ଟ ଦେବେ । ଏହି ରିପୋର୍ଟକୁ ନିର୍ବାଚନ କମିଶନଙ୍କ ନିକଟକୁ ପଠାଯିବ । ଏହା ପରେ ନିର୍ବାଚନ କମିଶନ ସାନି ତାରିଖ  ଘୋଷଣା କରିବେ ।

ଅଜିତଙ୍କ ଦେହାନ୍ତ ପରେ ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ, କେନ୍ଦ୍ରମନ୍ତ୍ରୀଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଶୋକପ୍ରକାଶ କରିଛନ୍ତି । ଶୋକବାର୍ତାରେ  ରାଜ୍ୟପାଳ  ଅଜିତଙ୍କ ପରିବାରକୁ  ସମବେଦନା ଜଣାଇଛନ୍ତି । ମୁଖ୍ୟମନ୍ତ୍ରୀ ମଧ୍ୟ ଶୋକପ୍ରକାଶ କରିବା ସହ ଅମର ଆତ୍ମାର ସଦଗତି କାମନା କରିଛନ୍ତି ।  କେନ୍ଦ୍ରମନ୍ତ୍ରୀ  ଧର୍ମେନ୍ଦ୍ର ପ୍ରଧାନ ହସପିଟାଲ ଯାଇ ଶୋକ ସନ୍ତପ୍ତ ପରିବାରକୁ ସମବେଦନା ଜଣାଇଥିଲେ । ପିସିସି ସଭାପତି ନିରଞ୍ଜନ  ପଟ୍ଟନାନାୟକ ଶୋକପ୍ରକାଶ କରିବା ସହ  କହିଛନ୍ତି, ଅଜିତଙ୍କ ପରଲୋକ ଦଳୀୟ କର୍ମୀଙ୍କୁ ମର୍ମାହତ କରିଛି ।

ଅଜିତ ମଙ୍ଗରାଜଙ୍କ ପରଲୋକରେ  ପିପିଲିରେ ବି କର୍ମୀ ଓ ନେତାଙ୍କ ମଧ୍ୟରେ ବି ଶୋକର ଛାୟା ଖେଳିଯାଇଛିା  ୨୦୧୯ ବିଧାନସଭା ନିର୍ବାଚନରେ  କଂଗ୍ରେସ ପ୍ରାର୍ଥୀ ହୋଇ ୯ ହଜାରରୁ ଅଧିକ ଭୋଟ ପାଇଥିଲେ । ଏବେ  ଅଜିତଙ୍କ ପରଲୋକ ପରେ ପିପିଲି ପାଇଁ  ସାନି ତାରିଖ ଘୋଷଣା ଉପରେ ସମସ୍ତଙ୍କ ନଜର ରହିଛି ।