କନକ ବ୍ୟୁରୋ : ଭୁବନେଶ୍ୱର ଲିଙ୍ଗିପୁର ଏଟିଏମ ଲୁଟ୍ ଘଟଣାରେ କମିଶନରେଟ୍ ପୁଲିସ ମୁଖିଆ ମିଛ କହିବା ଖବର ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ଏମିତି ମିଛ କହିବା ପଛର କାରଣ କଣ ସେ ନେଇ ସମସ୍ତଙ୍କ ମନରେ ଏବେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଅନ୍ୟପଟେ ପୁଲିସର ଏହି ମିଛ ଅଭିଯୁଙ୍କ ପାଇଁ ବରଦାନ ହୋଇପାରେ । ଏପରିକି ପ୍ରମାଣ ଅଭାବରୁ ଖସିଯାଇପାରନ୍ତି ଅଭିଯୁକ୍ତ ।
କମିସନରେଟ ପୁଲିସ ଗଣମାଧ୍ୟମକୁ ଶୁଣାଇଥିବା କାହାଣୀ କୌଣସି ବଲିଉଡ ଫିଲ୍ମଠାରୁ କମ ନଥିଲା । କାହାଣୀର ସ୍କ୍ରିପଟିଙ୍ଗ, ସ୍ୱିକ୍ୱେନ୍ସ ଆଉ କ୍ଲାଇମେକ୍ସ ଥିଲା ଜବରଦସ୍ତ । ଏ କାହାଣୀକୁ ପୁଲିସ ଏତେ ସୁନ୍ଦର ଭାବେ ଉପସ୍ଥାପନ କଲା ଯେ ଯେକୌଣସି ଫିଲ୍ମର ନିର୍ଦ୍ଦେଶକ ବି ହାର ମାନିଯିବେ । ହେଲେ ଗଣମାଧ୍ୟମକୁ ଗପ ଶୁଣାଇବା ପରେ ଫରୱାର୍ଡିଂ ଲେଟର ପୁଲିସର ସବୁ ଚାଲକୁ ଧରାପକାଇ ଦେଇଥିଲା । ହେଲେ ପ୍ରଶ୍ନ ଉଠୁଛି - ଏସବୁ ପଛର ରହସ୍ୟ କଣ ଥିଲା? ଏହି ଗପ ପଛର ଅସଲ ଉଦ୍ଦେଶ୍ୟ କଣ? ଏହାଦ୍ୱାରା କିଏ ଲାଭବାନ ହେବ?
ପୁଲିସ ଦୁଇ ବାଂଲାଦେଶୀ ଲୁଟେରାଙ୍କୁ ବାଙ୍ଗାଲୋରରୁ ଧରିଲା, କିନ୍ତୁ ସେମାନଙ୍କୁ ଭୁବନେଶ୍ୱରରୁ ଗିରଫ କରିଥିବା ଫରୱାର୍ଡିଂ ଲେଟରରେ ଦେଖାଇଲା । ହେଲେ ପ୍ରଶ୍ନ ଉଠୁଛି, ଏହାକୁ କିଭଳି କୋର୍ଟରେ ପ୍ରମାଣିତ କରିବ । ଏକଥା ଏଇଥି ପାଇଁ କୁହାଯାଉଛି, କାହିଁକି ନା ନଜିର ରହିଛି, ସାକ୍ଷ୍ୟ ପ୍ରମାଣ ଅଭାବରୁ ବିଭିନ୍ନ ମାମାଲରେ ଅଭିଯୁକ୍ତମାନେ ନିର୍ଦ୍ଦୋଷରେ ଖଲାସ ହୋଇଯାନ୍ତି । ଏହି ଭଳି ଏକ ହାଇ ପ୍ରୋଫାଇଲ ଘଟଣାରେ ଅନ୍ତର୍ଜାତୀୟ ଲୁଟେରାଙ୍କ ପାଇଁ ଭୁବନେଶ୍ୱରରେ କିଭଳି ସାକ୍ଷ୍ୟ ପ୍ରମାଣ ଯୋଗାଡ କରିବ ତାହା ଏକ ବଡ ପ୍ରଶ୍ନ । ପୁଲିସର ଏହି ମିଛ ଅପରାଧୀମାନଙ୍କୁ ଖସେଇ ଦେବାରେ ସାହାଯ୍ୟ କରିପାରେ ବୋଲି ଆଇନଜୀବୀ ମତ ପ୍ରକାଶ କରିଛନ୍ତି ।
ଲିଙ୍ଗିପୁରରୁ ଏଟିଏମ ମେସିନ ତାଡି ନେବା ଘଟଣାରେ ଦକ୍ଷ ପୁଲିସ ଅଫିସରଙ୍କୁ ଏକାଠି କରି ଏକ ସ୍ୱତନ୍ତ୍ର ଟିମ ଗଠନ କରିିଥିଲା କମିସନରେଟ ପୁଲିସ । ଆଉ ତଦନ୍ତ ପରେ ସ୍ୱତନ୍ତ୍ର ଟିମର ରିପୋର୍ଟ ପୁରା କମିସନରେଟ ପୁଲିସକୁ ଅଡୁଆରେ ପକାଇ ଦେଇଛି । ପୁଲିସ ମୁଖିଆଙ୍କ ମୁହଁରେ ମିଛ କୁହାଇଥିବା ଅଫିସରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ କି ?