ମମିତାଙ୍କ ପରିବାରକୁ ମିଛ କହୁଥିଲା କି ପୋଲିସ, ପ୍ରମାଣ ନଷ୍ଟ ପାଇଁ ଦିଆଯାଇଥିଲା କି ସୁଯୋଗ? ପୋଲିସର ପ୍ରେସମିଟ୍ ଆପଣଙ୍କୁ ଲାଗୁଛି କି କାହାଣୀ ଭଳି?

266

କନକ ବ୍ୟୁରୋ : ମମିତା ହତ୍ୟାକାଣ୍ଡ ଉପରୁ ପରଦା ହଟିଛି । ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ ଗିରଫ ହେବାର ମାତ୍ର କେଇ ଘଣ୍ଟା ମଧ୍ୟରେ ହତ୍ୟାକାଣ୍ଡର କାରଣ ସମ୍ପର୍କରେ ସ୍ପଷ୍ଟ କରିଛି ପୋଲିସ । ଗୋବିନ୍ଦଙ୍କ ପରକୀୟା ପ୍ରୀତି ସମ୍ପର୍କ ବାବଦରେ ଜାଣିଥିବାରୁ ମମିତାଙ୍କୁ ହତ୍ୟା କରାଯାଇଥିବା କହିଛି ପୋଲିସ । କିନ୍ତୁ ପୋଲିସର ଏହି ଥିଓରୀକୁ ନେଇ ସନ୍ତୁଷ୍ଟ ନୁହଁନ୍ତି ସାଧାରଣ ଲୋକେ । କାରଣ ମମିତା ନିଖୋଜ ହେବା ପରଠାରୁ ଏକ ଭିନ୍ନ ଦିଗକୁ ନେଇ ଚର୍ଚ୍ଚା ହେଉଥିଲା । ଗୋବିନ୍ଦ ସାହୁଙ୍କ ମହାଲିଙ୍ଗ କଲେଜରେ ଅନୈତିକ କାର୍ଯ୍ୟ ଚାଲୁଥିବା ନେଇ ଅଭିଯୋଗ କରିଥିଲେ ସ୍ଥାନୀୟ ଲୋକେ । କିନ୍ତୁ ଏହି ଦିଗକୁ ନେଇ ତଦନ୍ତ କରିନାହିଁ ପୋଲିସ । ବରଂ ମମିତାଙ୍କ ପରିବାର ପକ୍ଷରୁ ଯେଉଁ ନିଖୋଜ ଅଭିଯୋଗ ହୋଇଥିଲା ସେହି ଆଧାରରେ ତଦନ୍ତକୁ ଆଗକୁ ବଢାଇବା ସହ ଘଟଣା ଉପରୁ ପରଦା ହଟାଇଥିବା କହିଛି ପୋଲିସ ।  ଯାହା ପୋଲିସର ତଦନ୍ତ ପ୍ରକ୍ରିୟା ଉପରେ ପ୍ରଶ୍ନ ଉଠାଇଛି । ଚର୍ଚ୍ଚା ହେଉଛି, ମମିତା ହତ୍ୟାକାଣ୍ଡକୁ ନେଇ ପୋଲିସ କାହାଣୀ ଶୁଣାଉଛି?

ଏଭଳି ଚର୍ଚ୍ଚା ହେବା ପଛର ବଡ କାରଣ ମଧ୍ୟ ରହିଛି । କାରଣ ମମିତା ନିଖୋଜ ହେବା ପରଠାରୁ ଗୋବିନ୍ଦ ସାହୁଙ୍କ କଲେଜକୁ ନେଇ ଭିନ୍ନ ଭିନ୍ନ ତଥ୍ୟ ସାମ୍ନାକୁ ଆସିଥିଲା ।  ଗୋବିନ୍ଦଙ୍କ କଲେଜରେ ଅନୈତିକ କାର୍ଯ୍ୟ ଚାଲୁଥିବା ନେଇ ସ୍ଥାନୀୟ ଲୋକ କହିଥିଲେ । ଏପରିକି ଖୋଦ୍ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ଏହି କଲେଜକୁ ବାରମ୍ବାର ଆସୁଥିବା ନେଇ କହିଛନ୍ତି ସ୍ଥାନୀୟ ଲୋକେ । ଆଉ ଭାଇରାଲ ହୋଇଥିବା ଅଡିଓରେ, କଲେଜରେ ଗୁପ୍ତ କୋଠରୀ ଥିବା କଥା ସାମ୍ନାକୁ ଆସିଥିଲା । ମମିତାଙ୍କ ପାଖରେ କିଛି ଭିଡ଼ିଓ ଥିବା ନେଇ ଅଡିଓରେ କହୁଥିଲେ ତାଙ୍କର ବାନ୍ଧବୀ । କିନ୍ତୁ ପୋଲିସ ପ୍ରେସମିଟରେ ପରକୀୟା ପ୍ରୀତିର କାହାଣୀ ଶୁଣାଇଛି । ଗୋବିନ୍ଦଙ୍କ କଲେଜ ବାବଦରେ ପଦୁଟିଏ ମଧ୍ୟ କହିନାହିଁ । ଅନ୍ୟପଟେ ପୋଲିସ ମମିତାଙ୍କ ଘରୁ ଯେଉଁ ଲାପଟପ ସିଜ୍ କରିଥିଲା ସେଥିରେ କଣ ରହିଛି ସେ ବାବଦରେ ମଧ୍ୟ ଉଲ୍ଲେଖ କରିନାହିଁ । ଏପରିକି ମାଟି ତଳୁ ମମତାଙ୍କ ପାଉଁଜି ଓ ସୁନା ଚେନ ମିଳିଥିବା ବେଳେ ମୋବାଇଲ ଫୋନ୍ କୁଆଡେ ଗଲା?  ଯେଉଁଥିପାଇଁ ପୋଲିସର ପରକୀୟା ଥିଓରୀକୁ କାହାଣୀ ବୋଲି କହିଛନ୍ତି ସାଧାରଣ ଲୋକେ ।

ଏହାବାଦ୍ ଯେତେବେଳେ ମମିତାଙ୍କ ନିଖୋଜ ନେଇ ପରିବାର ଲୋକେ ଥାନାରେ ଏତଲା କରିଥିଲେ ସେତେବେଳେ ପୋଲିସ ପରିବାର ଲୋକଙ୍କୁ ଆଶ୍ୱସ୍ତ କରିଥିଲା ଯେ ମମିତା ଜୀବିତ ଅଛନ୍ତି । ମୋବାଇଲ ଫୋନ୍ ଟ୍ରାକିଂ କରି ଜଣାଇଥିଲା, ମମିତା ରାୟପୁରରେ ରହିଛନ୍ତି । କିନ୍ତୁ ଆଜି ପ୍ରେସମିଟରେ ଉତ୍ତରାଞ୍ଚଳ ଡିଆଇଜି ସ୍ପଷ୍ଟ କରିଥିଲେ ଯେ, ମମିତାଙ୍କୁ ୮ ତାରିଖରେ ହିଁ ହତ୍ୟା କରିଛି ଗୋବିନ୍ଦ ସାହୁ? ଏଭଳି ସ୍ଥଳେ ପ୍ରଶ୍ନ ଉଠୁଛି ପୋଲିସ ମମିତାଙ୍କ ପରିବାରକୁ କାହିଁକି ମିଛ କହୁଥିଲା? ମମିତାଙ୍କ ମୃତ୍ୟୁ ୮ ତାରିଖରୁ ହୋଇସାରିଥିବା ବେଳେ ସେ ଜୀବିତ ଥିବା କଥା କିଭଳି କହୁଥିଲା ପୋଲିସ? ଏଭଳି କହି ମମିତାଙ୍କ ପରିବାରକୁ ଅନ୍ଧାରରେ ରଖିବା ସହ ପ୍ରମାଣ ନଷ୍ଟ କରିବାକୁ ଉଦ୍ୟମ କରାଯାଉଥିଲା କି? କାହା ଇଙ୍ଗିତରେ ଏଭଳି କରୁଥିଲା ପୋଲିସ? ୯ ତାରିଖରେ ମମିତାଙ୍କ ପରିବାର ପକ୍ଷରୁ ଅଭିଯୋଗ ହୋଇଥିଲେ ମଧ୍ୟ ଗୋବିନ୍ଦଙ୍କୁ ଥାନାକୁ ଆଣିବାକୁ ୧୪ ତାରିଖ ପର୍ଯ୍ୟନ୍ତ କାହିଁକି ଅପେକ୍ଷା କରିଥିଲା ପୋଲିସ? ଏଥିପାଇଁ ପୋଲିସ ଉପରେ ଅଦୃଶ୍ୟ ଚାପ ପଡୁଥିଲା କି? ନା ପ୍ରମାଣ ନଷ୍ଟ ପାଇଁ ପ୍ଲଟ ପ୍ରସ୍ତୁତ ହେଉଥିଲା । ଏଭଳି ଅନେକ ଅସମାହିତ ପ୍ରଶ୍ନ ଏବେ ଲୋକଙ୍କ ମନରେ ଉଠୁଥିବା ବେଳେ ପୋଲିସର ଉତ୍ତର ସାଧାରଣ ଲୋକଙ୍କୁ କାହାଣୀ ଭଳି ଲାଗୁଛି ।

ଏସବୁବ୍ୟତୀତ  ମମିତା ନିଖୋଜ ହେବା ପରଠାରୁ ଅନେକ ଅଡ଼ିଓ ଭାଇରାଲ ହୋଇଛି । ମମିତାଙ୍କ ସମ୍ପର୍କୀୟଙ୍କ ସହ ଫୋନ କଲରେ ଗୃୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ନାଁ ନେଇ କଥାବାର୍ତା ହୋଇଥିଲେ ଗୋବିନ୍ଦ । ମନ୍ତ୍ରୀ ଫୋନ ଉଠାଉ ନାହାନ୍ତି ଏବଂ ସେ ଭବାନୀପାଟଣାରେ ଅଛନ୍ତି କି ନାହିଁ ସେ ଜାଣିନାହାନ୍ତି । ତେବେ ଘଟଣା ସମ୍ପର୍କରେ ତାଙ୍କୁ ଅବଗତ କରାଯାଇଛି । ସେ ଝିଅକୁ ଖୋଜି ବାହାର କରିବା ପାଇଁ ରାଜ୍ୟସ୍ତରରେ ଚେଷ୍ଟା କରିବେ ବୋଲି କହିଥିଲେ ଗୋବିନ୍ଦ ସାହୁ । ମିଳିଥିବା ସୂଚନା ଅନୁସାରେ ମମିତା ନିଖୋଜ ହେବା ପରେ ଗୋବିନ୍ଦ ସାହୁ ତାଙ୍କ ସମ୍ପର୍କୀୟଙ୍କୁ ଫୋନ କରି ଏଭଳି କିଛି କଥାବାର୍ତା କରିଥିଲେ । ଏବଂ ଝିଅକୁ ଖୋଜି ବାହାର କରିଦେବେ ବୋଲି ମନ୍ତ୍ରୀଙ୍କ ନାଁ ନେଇଥିଲେ । ତେବେ ସର୍ମ୍ପକୀୟଙ୍କ କହିବା ଅନୁଯାୟୀ, ମମିତା ତାଙ୍କ ମା’ଙ୍କୁ ୯ଟା ୩୦ରେ ହଷ୍ଟେଲରେ ପହଞ୍ଚିଥିବା କଥା ଫୋନ୍ କରି କହିଥିଲେ , କିନ୍ତୁ ପୋଲିସ କହୁଛି କାର ଭିତରେ ହିଁ ମମିତାଙ୍କୁ ହତ୍ୟା କରାଯାଇଛି । ତେଣୁ ପ୍ରଶ୍ନ ଉଠୁଛି କିଏ କହୁଛି ସତ, ପୋଲିସ ନା ମମିତାଙ୍କ ମା’?