ରାଜସ୍ଥାନ କଂଗ୍ରେସକୁ ଲାଗିପାରେ ଝଟକା, ହାତ ଛାଡି ନୂଆ ଦଳ ଗଠନ କରିପାରନ୍ତି ପୂର୍ବତନ ଉପମୁଖ୍ୟମନ୍ତ୍ରୀ ସଚିନ ପାଇଲଟ

849

କନକ ବ୍ୟୁରୋ : ଗତ ସପ୍ତାହରେ ହାତ ମିଶାଇ ମନ ମିଶିଯାଇଛି ବୋଲି ସଂକେତ ଦେଇଥିଲେ । ଲାଗୁଥିଲା କଂଗ୍ରେସ ହାଇକମାଣ୍ଡଙ୍କ ହସ୍ତକ୍ଷେପ ପରେ ବୋଧହୁଏ କଂଗ୍ରେସର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ସଚିନ ପାଇଲଟ ଓ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ ମଧ୍ୟରେ ସବୁ କିଛି ଠିକ୍ ହୋଇଯାଇଛି । କିଛି ଦିନ ନପୁରୁଣୁ ପୁଣି ରାଜସ୍ଥାନ ପ୍ରଦେଶ କଂଗ୍ରେସରୁ ଆସିଛି ବଡ଼ ଖବର । ଚର୍ଚ୍ଚା ହେଉଛି ପାଇଲଟ ଖୁବ ଶିଘ୍ର ଦଳକୁ ଝଟକା ଦେଇ ନୂଆ ଦଳ ଗଠନ କରିପାରନ୍ତି । ଜୁନ ୧୧ରେ ବାପା ରାଜେଶ ପାଇଲଟଙ୍କ ଶ୍ରାଦ୍ଧ ବାର୍ଷିକିରେ ସଚିନ ନୂଆ ଦଳ ଘୋଷଣା କରିବା ନେଇ ଚର୍ଚ୍ଚା ଚାଲିଛି । ଦଳର ନାଁ ପ୍ରଗତିଶୀଳ ବୋଲି କୁହାଯାଉଛି ।

ନିଜ ସରକାରଙ୍କ ବିରୋଧରେ ବିଦ୍ରୋହୀ ସାଜିଛନ୍ତି ପାଇଲଟ । ବିଜେପି ଶାସନ କାଳରେ ହୋଇଥିବା ଦୁର୍ନତୀର ତଦନ୍ତ ଦାବି କରି ଗେହଲଟଙ୍କ ସରକାରଙ୍କ ବିରୋଧରେ ବାରମ୍ବାର ବିଷେଦାଗାର କରୁଛନ୍ତି । ଏଥିପାଇଁ ସରକାରଙ୍କୁ ସେ କିଛି ସମୟ ଦେଇଥିଲେ । ଏହା ଭିତରେ ଯଦି କୌଣସି ସମାଧାନ ନହୁଏ ତେବେ ସେ କଠୋର ନିଷ୍ପତି ନେବେ ବୋଲି ପୂର୍ବରୁ କହିସାରିଥିଲେ । ରାଜ୍ୟ ସରକାର ଦାବି ପୁରଣ ନକରିବାରୁ ସେ ନୂଆ ଦଳ ଗଠନ କରିବାକୁ ଯାଉଥିବା କୁହାଯାଉଛି ।

ଗେହଲଟ ସରକାରଙ୍କ ବିରୋଧରେ ଅଭିଯାନ ବାହାର କରି ଏପ୍ରିଲ ୧୧ରେ ଦିନିକିଆ ଆମରଣ ଅନଶନ କରିଥିଲେ ସଚିନ ପାଇଲଟ । ପରେ ଅଜମୈରଠୁ ଜୟପୁର ପଦଯାତ୍ରା କରି ଗେହଲଟ ସରକାରଙ୍କୁ ଦାବି ଜଣାଇଥିଲେ । ଏହା ମଧ୍ୟରେ ଚର୍ଚ୍ଚା ହୋଇଥିଲା ଏଭଳି ଆଭିମୁଖ୍ୟ ଗ୍ରହଣ କରି ସଚିନ ପାଇଲଟ ଖୁବ ବିଜେପିରେ ସାମିଲ ହେବାକୁ ଯାଉଛନ୍ତି । ବର୍ତମାନ ନୂଆ ଦଳ ଗଢ଼ିବା ଖବର ଉଠିବା ରାଜସ୍ଥାନ ରାଜ୍ୟରାଜନୀତି ସରଗରମ ହୋଇପଡିଛି ।