ବଦଳିବେ କି ପିସିସି ସଭାପତି ? ପୁଣି କଂଗ୍ରେସରେ ତେଜିଲା କନ୍ଦଳ ।

153

କନକ ବ୍ୟୁରୋ : ପୁଣି କଂଗ୍ରେସରେ ତେଜିଲା କନ୍ଦଳ । ବଦଳିବେ କି ପିସିସି ସଭାପତି ? ରାଜ୍ୟ କଂଗ୍ରେସରେ ଘଡ଼ିକେ ଘୋଡା ଛୁଟୁଛି । ପିସିସି ସଭାପତି ବଦଳାଇବା ପାଇଁ ପୁଣିଥରେ ଅଣ୍ଟା ଭିଡିଛନ୍ତି କିଛି କଂଗ୍ରେସ ନେତା । ଦିଲ୍ଲୀରେ ପୁଣିଥରେ ଆରମ୍ଭ ହୋଇଛି ଜୋରଦାର ଲବି । ଶୁଣିବାକୁ ମିଳୁଛି, ନିରଞ୍ଜନ ପଟ୍ଟନାୟକଙ୍କୁ ବଦଳାଇ ଭକ୍ତ ଦାସଙ୍କୁ ପିସିସି ସଭାପତି କରିବା ପାଇଁ ରାହୁଲ ଗାନ୍ଧୀଙ୍କୁ ଅନୁରୋଧ କରିଥିଲେ ପ୍ରଦୀପ ମାଝୀ ।

ବିଶ୍ୱସ୍ତ ସୂୂତ୍ରରୁ ମିଳିଥିବା ସୂଚନା ଅନୁସାରେ ପ୍ରଦୀପ ମାଝୀ ଓ ଭକ୍ତ ଦାସ ଦିଲ୍ଲୀରେ ରାହୁଲ ଗାନ୍ଧୀଙ୍କୁ ଭେଟି, ରାଜ୍ୟରେ କଂଗ୍ରେସର ସ୍ଥିତି ତଳକୁ ତଳକୁ ଯାଉଛି, ତେଣୁ ପରିବର୍ତନ ଆବଶ୍ୟକ ବୋଲି ବୁଝାଇବାକୁ ଚେଷ୍ଟା କରିଥିଲେ । ଭକ୍ତ ଦାସ ବିହାର ଦାୟିତ୍ୱରେ ଥିବାରୁ ତାଙ୍କୁ ପିସିସି ସଭାପତି କରିବା ପ୍ରସ୍ତାବରେ ରାଜି ହୋଇନଥିଲେ ରାହୁଲ । ବିଶ୍ୱସ୍ତ ସୂତ୍ରରୁ ସୂଚନା ମିଳିଛି, ପୂର୍ବତନ ପିସିସି ସଭାପତି ଜୟଦେବ ଜେନା ମଧ୍ୟ ରାହୁଲ ଗାନ୍ଧୀଙ୍କୁ ନିକଟରେ ଭେଟିଛନ୍ତି । ଆଉ ଏହା ପରେ ପିସିସି ସଭାପତି ପଦରୁ ହଟିଯିବା ପାଇଁ ନିରଞ୍ଜନଙ୍କୁ କହିଛି ଏଆଇସିସି । ଶୁଣିବାକୁ ମିଳୁଛି, ନିରଞ୍ଜନ ପଟ୍ଟନାୟକ ତାଙ୍କ ଇସ୍ତଫା ପତ୍ର ସୋନିଆ ଗାନ୍ଧୀଙ୍କ ନିକଟକୁ ପଠାଇ ଦେଇଛନ୍ତି । ଏବଂ କଂଗ୍ରେସ ଭବନରେ ଥିବା ତାଙ୍କର କିଛି ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ନେଇ ଯାଇଛନ୍ତି ।

ପିସିସି ସଭାପତି ପଦରେ ରହିବେ କି ହଟିବେ, ଏ ନେଇ ନିରଞ୍ଜନ କିଛି ସ୍ପଷ୍ଟ ଭାବେ କହିନଥିଲେ ବି ତାଙ୍କର ବୟାନରୁ ଜଣା ପଡୁଛି ରାଜ୍ୟ କଂଗ୍ରେସ ସଂଗଠନରେ ସବୁ କିଛି ଠିକ୍ ଚାଲିନାହିଁ । ଏପଟେ କଂଗେସ ଭବନ ଆଗରେ ମଧ୍ୟ ନିରଞ୍ଜନଙ୍କୁ ହଟାଇବା ଲାଗି ନାରାବାଜି ହୋଇଛି ।

ପଞ୍ଜାବ ହେଉ କି ଛତିଶଗଡ଼, ରାଜସ୍ଥାନ ହେଉ କି ବିହାର, ସବୁଠି ଲାଗିରହିଛି କଂଗ୍ରେସ ଦଳରେ କନ୍ଦଳ । ବିହାରରେ ଦଳ କ୍ଷମତାରେ ନଥିଲେ ବି ଦଳର ପ୍ରଭାରୀ ଭକ୍ତ ଦାସଙ୍କ ବିରୋଧରେ ରାସ୍ତାକୁ ଓହ୍ଲାଇଛନ୍ତି ନେତା ଓ କର୍ମୀ । ସେମାନଙ୍କ ଅଭିଯୋଗ, ଟଙ୍କା ନେଇ ସଂଗଠନର ପଦପଦବୀ ବାଣ୍ଟୁଛନ୍ତି ଭକ୍ତ ଦାସ ।