କନକ ବ୍ୟୁରୋ : ନିର୍ବାଚନ ରାଲି ବଢ଼ାଇବ କି ଦେଶରେ ଓମିକ୍ରନ ସଂକ୍ରମଣର ସଂଖ୍ୟା । ତୃତୀୟ ଲହର ଆଣିବାରେ ରାଜନୈତିକ ଦଳମାନେ ଏକ ପ୍ରମୁଖ କାରଣ ହୋଇପାରନ୍ତି ବୋଲି କୁହାଯାଉଛି । ଦ୍ୱିତୀୟ ଲହର ବେଳେ ପଶ୍ଚିମବଙ୍ଗର ନିର୍ବାଚନ ସାଂଘାତିକ ସ୍ଥିତି ସୃଷ୍ଟି କରିଥିଲା । ଯେଉଁ ସମୟରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ବଡ଼ ଧରଣର ରାଲି, ସଭା, ସମାବେଶ ଓ ସମାଗମ ଉପରେ କଟକଣା ଲଗାଇବାକୁ କହୁଛି, ଠିକ୍ ସେତେବେଳେ ଏସବୁ କଥାର ଖୋଲାଖୋଲି ଉଲ୍ଲଂଘନ ହେଉଛି । ଆଗାମୀ ଦିନରେ ଉତ୍ତରପ୍ରଦେଶ ସମେତ ଦେଶର ୫ଟି ରାଜ୍ୟରେ ବିଧାନସଭା ନିର୍ବାଚନ ଓ ଓଡ଼ିଶାରେ ପଞ୍ଚାୟତ ନିର୍ବାଚନ ହେବାକୁ ଯାଉଥିବା ବେଳେ ଏହା ସଂକ୍ରମଣ ବଢ଼ାଇପାରେ ବୋଲି ଆଶଙ୍କା ରହିଛି ।
ମହାମାରୀ କାଳରେ ନିର୍ବାଚନ । ତୀବ୍ର ରାଜନୈତିକ ପ୍ରତିଦ୍ୱନ୍ଦ୍ୱିତା ଦ୍ୱିତୀୟ ଲହର ଆଣିଲା । ମାରାତ୍ମକ ଡେଲଟା ଭୂତାଣୁ ଦେଶରେ ଆତଙ୍କ ଖେଳାଇଦେଲା । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ବାରଣ ସତ୍ତେ୍ୱ ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ଆୟୋଜିତ ହୋଇଥିଲା ସଭା ଓ ଶୋଭାଯାତ୍ରା । ଆଉ ଯେଉଁଠାରେ ଦେଖିବାକୁ ମିଳିଥିଲା କରୋନା ନିୟମର ଖୋଲାଖୋଲି ଉଲଂଘନ ।
ଦିଲ୍ଲୀ ସିଂହାସନର ରାସ୍ତା କୁହାଯାଉଥିବା ଉତ୍ତପ୍ରଦେଶର ନିର୍ବାଚନ ପ୍ରଚାର ବେଳର ଦୃଶ୍ୟ । ହଜାର ହଜାର ଲୋକଙ୍କ ସମାଗମ ଆଉ ଏଥିରେ ନେତାଙ୍କ ଶକ୍ତି ପ୍ରଦର୍ଶନ । ଓମିକ୍ରନକୁ ନେଇ ସମସ୍ତ କଟକଣା, ପରାମର୍ଶ ଏଠି ଯେମିତି ଲାଗୁ ହେଉନାହିଁ । ପୁରା ବେଖାତିର୍ ମନୋଭାବ ଆଉ ଏକ ବିପଦ ଆଣିବା ଅନୁମାନ କରାଯାଉଛି । ମାସ୍କ ବ୍ୟବହାର ଓ ସାମାଜିକ ଦୂରତାକୁ କରୋନା ସଂକ୍ରମଣ ରୋକିବାର ମହଷୋଧି କୁହାଯାଇଥାଏ । କିନ୍ତୁ ଆମ ଦେଶରେ ନିର୍ବାଚନ ଶୋଭାଯାତ୍ରାରେ ଏହି ନିୟମର ଖୋଲାଖୋଲି ଉଲଂଘନ ହେବା ଦେଖାଯାଉଛି ।
ବିଶେଷଜ୍ଞଙ୍କ ଆକଳନ ଅନୁସାରେ ଆସନ୍ତା ଦୁଇ ମାସ ଭାରତ ପାଇଁ ଅତ୍ୟନ୍ତ ସମ୍ବେଦନଶୀଳ । ଦେଶରେ ଏହି ସମୟରେ କରୋନା ଭୂତାଣୁର ନୂଆ ପ୍ରଜାତି ଓମିକ୍ରନ ତାହାର କାୟା ବିସ୍ତାର କରିବାର ଯଥେଷ୍ଟ ସମ୍ଭାବନା ଅଛି । କିନ୍ତୁ ଏପଟେ ସଂଯୋଗ ବଶତଃ ଫେବୃଆରୀରେ ଓଡିଶାରେ ପଂଚାୟତ ନିର୍ବାଚନ ହେବାର ଅଛି । ତେଣୁ ଏ ସମୟରେ ନିର୍ବାଚନ ହେଲେ ଯଦି କୋଭିଡ ନିୟମ ପାଳନ ନହୁଏ ତେବେ ସଂକ୍ରମଣ ବଢିବା ନିଶ୍ଚିତ ବୋଲି କୁହାଯାଉଛି ।
ସଂକ୍ରମଣ ବଢିଲେ ସରକାର କରୋନା କଟକଣା ଲଗାଇଥାନ୍ତି । ଯାନିଯାତ୍ରା, ପର୍ବପର୍ବାଣୀ ଠାରୁ ଆରମ୍ଭ କରି ବିବାହ ଅନ୍ତ୍ୟେଷ୍ଟିକ୍ରିୟା ଉପରେ ମଧ୍ୟ ଲଗାମ ଲଗାଯାଇଥାଏ । ବ୍ୟବସାୟ ବାଣିଜ୍ୟ ପ୍ରଭାବିତ ହୁଏ । ହେଲେ ଏସବୁ ନିୟମ ଯେମିତି ରାଜନୈତିକ ଦଳଙ୍କ ଉପରେ ଲାଗୁ ହୁଏନି । ନିର୍ବାଚନୀ ସଭା ଓ ଶୋଭାଯାତ୍ରାରେ କରୋନା ନିୟମର ଉଲ୍ଲଂଘନକୁ ନେଇ ସମସ୍ତେ ପ୍ରତିବାଦ କରୁଛନ୍ତି, ହେଲେ ଏହାର ପ୍ରଭାବ କିନ୍ତୁ ଶୂନ୍ ।