କରୋନା ସଂକ୍ରମଣକୁ ନେଇ ଡିଏମଇଟିଙ୍କ ପ୍ରତିକ୍ରିୟା । କହିଲେ, ସଚେତନ ନ ହେଲେ ଆସିପାରେ ତୃତୀୟ ଲହର

138

କନକ ବ୍ୟୁରୋ : ସଂକ୍ରମଣ କମି ଥିଲେ ବି ସତର୍କ ରହିବାକୁ ପଡିବ ବୋଲି କହିଛନ୍ତି ଡିଏମଇଟି ରମାରମଣ ମହାନ୍ତି । ସେ କହିଛନ୍ତି, କରୋନା ସଂକ୍ରମଣ କମିଥିଲେ ବି ଢିଲା ହେବା ଉଚିତ ନୁହେଁ। ସମସ୍ତେ ସତର୍କ ରହିବା ଉଚିତ। କୋଭିଡ ନିୟମ ମାନିବା ଉଚିତ। ବାହାର ଦେଶରେ ସଂକ୍ରମଣ ସହ ମୃତ୍ୟୁସଂଖ୍ୟା ବି ବଢୁଛି । ବଢିବାର ବିଭିନ୍ନ କାରଣ ହୋଇପାରେ । ସେଦୃଷ୍ଟିରୁ ଯେ କୌଣସି ସ୍ଥିତିର ମୁକାବିଲା ପାଇଁ ସରକାର ବେଡ୍, ଚିକିତ୍ସା ସୁବିଧା ସହ ଅକ୍ସିଜେନ ମହଜୁଦ ରଖିଛନ୍ତି । ପ୍ରତି ଦୁଇ ତିନି ଦିନରେ ସମୀକ୍ଷା କରାଯାଉଛି ।

ପୂର୍ବରୁ ଆମର ଡେ଼ଲ୍ଟା ଭାଇରସ ମୁକାବିଲା ନେଇ ଅଭିଜ୍ଞତା ଅଛି । ତେଣୁ ଜନସାଧାରଣ ଭୟଭୀତ ହେବାର କାରଣ ନାହିଁ । ବର୍ତ୍ତମାନ ସ୍ଥିତିରେ ଉନ୍ନତି ଆସୁଛି, କିନ୍ତୁ ରିଲାକ୍ସ ହେବା କଥା ନୁହେଁ । ଆଶ୍ବସ୍ତିକର ରହିଛି ବର୍ତ୍ତମାନର ସଂକ୍ରମଣ, କିନ୍ତୁ ସାବଧାନ ରହିବା ଉଚିତ । ତୃତୀୟ ଲହର ଆସିପାରେ । ଏଦୃଷ୍ଟିରୁ ସତର୍କ ରହିବା ଉଚିତ, ଯାହା ଫଳରେ ଆମେ ତାକୁ ପ୍ରତିହତ କରିପାରିବା ।

ସେପଟେ, ରାଜ୍ୟରେ ଗତ ୨୪ ଘଂଟାରେ ୧୭୦ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ୧୮ ବର୍ଷରୁ କମ୍ ଆକ୍ରାନ୍ତ ରହିଛି ୨୪ ଜଣ । ସଂଗରୋଧରୁ ୯୮ ଜଣ ଥିବା ବେଳେ ୭୨ ଜଣ ସ୍ଥାନୀୟ ସଂକ୍ରମିତ । ଖୋର୍ଦ୍ଧାରୁ ୬୧, କଟକରୁ ୧୯, କେନ୍ଦ୍ରାପଡ଼ା, ବାଲେଶ୍ୱରରୁ ୧୧ ଲେଖାଁଏ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ୫୫ ହଜାର ୭୪୩ ଜଣଙ୍କ ନମୁନା ପରୀକ୍ଷା ହୋଇଥିବା ବେଳେ ପଜିଟିଭ ହାର ରହିଛି ଶୂନ ଦଶମିକ ୩୦ ପ୍ରତିଶତ ।

ରାଜ୍ୟର ମୋଟ ସଂକ୍ରମିତଙ୍କ ସଂଖ୍ୟା ୧୦ ଲକ୍ଷ ୪୨ ହଜାର ୯୪୩ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ୨୪ ଘଂଟାରେ ସୁସ୍ଥ ହୋଇଛନ୍ତି ୪୪୭ ଜଣ । ମୋଟ ସୁସ୍ଥ ସଂଖ୍ୟା ରହିଛି ୧୦ ଲକ୍ଷ ୩୦ ହଜାର ୮୮୯ଜଣ । ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ୩ ହଜାର ୬୫୧ । ଗୋଟିଏ ଦିନରେ କରୋନାରେ ୩ଜଣଙ୍କ ମୃତ୍ୟୁ ହୋଇଛି । ୨୪ ଘଂଟାରେ ୧୧ ଜିଲ୍ଲାର ସଂକ୍ରମିତ ଚିହ୍ନଟ ହୋଇ ନାହାନ୍ତି । ୨୩ ମାର୍ଚ୍ଚ ପରେ ରାଜ୍ୟରେ କରୋନା କମିଛି । ସେହି ସମୟରେ ୧୭୦ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । ସାଢ଼େ ୭ମାସ ପରେ ଆଜି ୧୭୦ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।