ଓଡ଼ିଶାରେ ଦ୍ୱିତୀୟ ରାଜଧାନୀର ଆବଶ୍ୟକତା ଅଛି କି? ଭକ୍ତ ଦାସଙ୍କ ଦାବି ଆଜିର ଦିନରେ କେତେ ପ୍ରାସଙ୍ଗିକ? ସତରେ କ’ଣ ଏହା ବାସ୍ତବବାଦୀ ଯୁକ୍ତି?

635

କନକ ବ୍ୟୁରୋ :  ଓଡ଼ିଶାରେ ଦ୍ୱିତୀୟ ରାଜଧାନୀ ପ୍ରତିଷ୍ଠା ଦାବିର ପ୍ରାସଙ୍ଗିକତା କ’ଣ? ବାସ୍ତବତା ସହ ଏହି ଦାବିର କୌଣସି ସଂଯୋଗ ଅଛି କି? ଏ ସଂପର୍କରେ ବିସ୍ତୁତ ଆଲୋଚନା କରିବା ପୂର୍ବରୁ ଆମ ସାମ୍ନାରେ ଥିବା କିଛି ତଥ୍ୟ ଉପରେ ବିଚାର କରାଯାଉ ।

ଦୁଇ ଦିନ ତଳେ ଭାରତର ତୃତୀୟ ରାଜ୍ୟ ଭାବେ ଦ୍ୱିତୀୟ ରାଜଧାନୀ ପାଇଛି ଉତ୍ତରାଖଣ୍ଡ । ଗୈରସେଣକୁ ଖରାଦିନିଆ ସ୍ଥାୟୀ ରାଜଧାନୀ ଭାବେ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ । ଅର୍ଥାତ୍ ଡେରାଡୁନ୍ ବ୍ୟତୀତ ଏହି ସହରରେ ବିଧାନସଭାର ଅଧିବେଶନ ବସିବ, ସଚିବାଳୟର ଶାଖା ପରିଚାଳିତ ହେବ । ଅବଶ୍ୟ ପୂର୍ବରୁ ବି ଗୈରସେଣରେ ବେଳେ ବେଳେ ବିଧାନସଭାର ଅଧିବେଶନ ବସୁଥିଲା । ଆଉ ଏବେ ଏହାକୁ ଖରାଦିନିଆ ସ୍ଥାୟୀ ରାଜଧାନୀ ଭାବେ ଘୋଷଣା କରାଯାଇଛି ।

ମହାରାଷ୍ଟ୍ର ରାଜଧାନୀ ମୁମ୍ବାଇ ସମସ୍ତେ ଜାଣନ୍ତି । ଏହା ବ୍ୟତୀତ ନାଗପୁରକୁ ମହାରାଷ୍ଟ୍ରର ଦ୍ୱିତୀୟ ରାଜଧାନୀ କୁହାଯାଏ । ନାଗପୁରରେ ବିଧାନସଭାର ଶୀତ ଅଧିବେଶନ ବସୁଥିବା ବେଳେ ମୁମ୍ବାଇରେ ଗ୍ରୀଷ୍ମକାଳୀନ ଅଧିବେଶନ ବସେ । ନାଗପୁରକୁ ମହାରାଷ୍ଟ୍ରର ଟାଇଗର୍ କ୍ୟାପିଟାଲ ବି କୁହାଯାଏ ।

ହିମାଚଳ ପ୍ରଦେଶରେ ବି ଏକା କଥା । ୨୦୧୭ ମସିହାରେ ଧର୍ମଶାଳାକୁ ହିମାଚଳ ପ୍ରଦେଶର ଦ୍ୱିତୀୟ ରାଜଧାନୀ ଭାବେ ଘୋଷଣା କରାଯାଇଥିଲା । ହିମାଚଳ ପ୍ରଦେଶର ମୁଖ୍ୟ ରାଜଧାନୀ ବାଦେ ଧର୍ମଶାଳା ସହର ବି ରାଜ୍ୟର କ୍ଷମତାର ଦ୍ୱିତୀୟ କେନ୍ଦ୍ର ଭାବେ ପରିଚାଳିତ ହେଉଛି । ଜମ୍ମୁ-କାଶ୍ମୀର କେନ୍ଦ୍ରଶାସିତ ରାଜ୍ୟ ହେବା ପୂର୍ବରୁ ଶ୍ରୀନଗର ଏବଂ ଜମ୍ମୁ ଦୁଇଟି ରାଜଧାନୀ ଭାବେ କାମ କରୁଥିଲା । ଶ୍ରୀନଗରରେ ଗ୍ରୀଷ୍ମକାଳୀନ ଅଧିବେଶନ ବସୁଥିଲା ଏବଂ ଜମ୍ମୁରେ ଶୀତକାଳୀନ ଅଧିବେଶନ ।

ଇଏ ତ ଗଲା ଗୋଟିଏ ରାଜ୍ୟ ଦୁଇଟି ରାଜଧାନୀ କଥା । ଏମିତି ଦୁଇଟି ସହରର ଉଦାହରଣ ଅଛି, ଯେଉଁଠି ଗୋଟିଏ ସହର, ଦୁଇଟି ରାଜ୍ୟର ରାଜଧାନୀ । ଚଣ୍ଡିଗଡ଼ ହେଉଛି ଉଭୟ ପଂଜାବ ଓ ହରିୟାଣା ରାଜ୍ୟର ରାଜଧାନୀ । ସେହିପରି ହାଇଦ୍ରାବାଦ ଏବେ ବି ଉଭୟ ଆନ୍ଧ୍ର ପ୍ରଦେଶ ଓ ତେଲେଙ୍ଗାନା ରାଜ୍ୟର ରାଜଧାନୀ । ଅବଶ୍ୟ ଅମରାବତୀ ସହରକୁ ଆନ୍ଧ୍ରର ନୂଆ ରାଜଧାନୀ ଭାବେ ଗଢ଼ିବାକୁ ପ୍ରୟାସ ଜାରି ରହିଛି । ନୂଆ ରାଜ୍ୟ ଗଠନ ହେବାର ୧୦ବର୍ଷ ଭିତରେ ଅର୍ଥାତ୍ ୨୦୨୪ ଭିତରେ ସଂପୂର୍ଣ୍ଣ କାର୍ଯ୍ୟକ୍ଷମ ରାଜଧାନୀ ଠିଆ କରିବାକୁ ବାଧ୍ୟ ।

ଏସବୁ ଭିତରେ ଆନ୍ଧ୍ର ପ୍ରଦେଶର ବର୍ତ୍ତମାନର ମୁଖ୍ୟମନ୍ତ୍ରୀ ଜଗନମୋହନ ରେଡ୍ଡୀ ଏଭଳି ଏକ ନିଷ୍ପତି ନେଇଛନ୍ତି, ଯାହା ଏହି ରାଜଧାନୀ ଗଠନ ପ୍ରସଙ୍ଗରେ ବେଶ ପ୍ରଯୁଜ୍ୟ । ଗୋଟିଏ କି ଦୁଇଟି ନୁହେଁ ଆନ୍ଧ୍ରରେ ୩ଟି ରାଜଧାନୀ ଗଠନ କରିବାକୁ ନିଷ୍ପତି ହୋଇଛି । ଅମରାବତୀକୁ ପ୍ରଶାସନିକ ରାଜଧାନୀ, ବିଶାଖାପାଟଣାକୁ କାର୍ଯ୍ୟପାଳିକା ରାଜଧାନୀ ଏବଂ କୁର୍ଣ୍ଣୁଲକୁ ନ୍ୟାୟିକ ରାଜଧାନୀ ଭାବେ ଗଢ଼ି ତୋଳିବାକୁ ନିଷ୍ପତି ହୋଇଛି । ଅର୍ଥାତ୍ ଅମରାବତୀରେ ସଚିବାଳୟ, ବିଶାଖାପାଟଣାରେ ବିଧାନସଭା ଏବଂ କୁର୍ଣ୍ଣୁଲରେ ହାଇକୋର୍ଟ ନିର୍ମାଣର କଥା ହୁଏତ କହୁଛନ୍ତି ଜଗନମୋହନ ରେଡ୍ଡୀ ।

ଇଏ ତ ଗଲା ରାଜ୍ୟ ରାଜଧାନୀ କଥା । ଆପଣ ହୁଏତ ଶୁଣିଥିବେ, ଅତୀତରେ ଦକ୍ଷିଣ ଭାରତରେ ଦେଶର ଦ୍ୱିତୀୟ ରାଜଧାନୀ ଗଠନ କରିବାକୁ ଦାବି ଜୋର ଧରିଥିଲା । ଅର୍ଥାତ୍ ଦିଲ୍ଲୀ ବାହାରେ ଏମିତି ଏକ କ୍ଷମତାକେନ୍ଦ୍ର ଯେଉଁଠିକୁ ସହଜରେ ଦକ୍ଷିଣ ଭାରତୀୟ ଲୋକମାନେ ପହଂଚିପାରୁଥିବେ । ଏମିତି କି ସୁପ୍ରିମକୋର୍ଟର ଏକ ସ୍ଥାୟୀ ଶାଖା ଦକ୍ଷିଣ ଭାରତରେ ଖୋଲିବାକୁ ମଧ୍ୟ ଅନେକ ସମୟରେ ଦାବି ହୁଏ ।

ଭାରତ ସ୍ୱାଧୀନତା ହେବାର ଦୁଇ ବର୍ଷ ପରେ ୧୯୪୯ ମସିହାରେ, ଯେତେବେଳେ ଓଡ଼ିଶା ନୂଆ ରାଜଧାନୀ ପାଇଲା । ସେତେବେଳେ ବି ଏମିତି ଅନେକ ଆଲୋଚନା ହୋଇଥିଲା । ଓଡ଼ିଶାର ପୁରୁଣା ରାଜଧାନୀ କଟକ ବଦଳରେ ଭୁବନେଶ୍ୱର ରାଜଧାନୀ ହେଲା । ଆଉ ନୂଆ ରାଜଧାନୀ ନିର୍ମାଣ ପୂର୍ବରୁ ଓଡ଼ିଶାର କେନ୍ଦ୍ରସ୍ଥଳରେ ନୂଆ ରାଜଧାନୀ ନିର୍ମାଣ ନେଇ ଚର୍ଚ୍ଚା ହୋଇଥିଲା ।

ଏହି ସମସ୍ତ ଉଦାହରଣ ରଖିବାର ଉଦ୍ଦେଶ୍ୟ ହେଉଛି- ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ବିଧାୟକ ଭକ୍ତ ଦାସ ରଖିଥିବା ବୟାନ ଅବାସ୍ତବ ନୁହେଁ । ଭକ୍ତ ଦାସ ରଖିଥିବା ମତାମତ ସହ ସଂଯୋଗ ରଖୁଥିବା ଅନେକ ନଜିର ଆମ ସାମ୍ନାରେ ଉପଲବ୍ଧ ରହିଛି । ତେବେ ପ୍ରଶ୍ନ ହେଉଛି- ଭକ୍ତ ଦାସ ରଖିଥିବା ବୟାନ- ବର୍ତମାନ ସମୟରେ ଓଡ଼ିଶା ପାଇଁ କେତେ ପ୍ରାସଙ୍ଗିକ?

କ୍ଷମତାର ବିକେନ୍ଦ୍ରୀକରଣ ହିଁ ଆମ ସଂସଦୀୟ ଗଣତନ୍ତ୍ର ବ୍ୟବସ୍ଥାର ଅନ୍ୟତମ ପ୍ରତୀକ କହିଲେ ଭୁଲ ହେବ ନାହିଁ । ତାହା ହୋଇନଥିଲେ, ରାଜ୍ୟ ଗଠନ, କେନ୍ଦ୍ର ଶାସିତ ଅଂଚଳ ଗଠନ, ସ୍ପେଶାଲ ଫୋକସ୍ ରାଜ୍ୟ ଆଦି କିଛି ନଥାନ୍ତା । ଜାତିର ପିତା ମହାତ୍ମାଗାନ୍ଧୀ ଗାନ୍ଧୀ ଗ୍ରାମ ସ୍ୱରାଜ କିମ୍ବା କ୍ଷମତାର ବିକେନ୍ଦ୍ରୀକରଣର କଥା କେବେ ଉଠାଇନଥାନ୍ତେ ।

ଆପଣଙ୍କର ମନେ ଥିବ ନିକଟରେ ଭୁବନେଶ୍ୱର ବାହାରେ ପ୍ରଥମ ଥର ପାଇଁ ପୁରୀରେ ରାଜ୍ୟ କ୍ୟାବିନେଟର ବୈଠକ ବସିଥିଲା । ଯଦି ଭୁବନେଶ୍ୱର ବାହାରେ, କ୍ୟାବିନେଟ ବୈଠକ ବସିବା ସମ୍ଭବ, ତେବେ ବିଧାନସଭା ଅଧିବେଶନ ବସିବାରେ ଅସୁବିଧା କେଉଁଠି? ଅନ୍ତତଃ ବର୍ଷର ଗୋଟିଏ ଅଧିବେଶନ ଯଦି ଓଡ଼ିଶାର ଅନୁନ୍ନତ ଅଞ୍ଚଳରେ ବସନ୍ତା, ଏହାର ରାଜ୍ୟ ପାଇଁ ଲାଭ ହେବ ନା’ କ୍ଷତି ହେବ ? ସେମିତିରେ ସବୁବେଳେ ପ୍ରଶାସନର କେନ୍ଦ୍ରୀକରଣ ବିରୁଦ୍ଧରେ ଏକ ଜନମତ ରହି ଆସିଛି ।

ଏ ସଂକ୍ରାନ୍ତରେ ଆଉ ଏକ ପ୍ରସଙ୍ଗ ଆଜିର ଦିନରେ ବେଶ ଗୁରୁତ୍ୱ ରଖିଲା ଭଳି ମନେ ହୁଏ । ସମସ୍ତ ସରକାରୀ ମୁଖ୍ୟ ଦପ୍ତର ଭୁବନେଶ୍ୱରରେ ରହିବା କ’ଣ ନିହାତି ଜରୁରୀ । ଧରିନିଅନ୍ତୁ ଚାଷ ଓ ଚାଷୀଙ୍କ ସମସ୍ୟା ଆମ ରାଜ୍ୟରେ ପଶ୍ଚିମାଞ୍ଚଳରେ ଅଧିକ । ଯେଉଁଠି ଜଳ ସେଚନର ସୁବିଧା ନାହିଁ । ନିୟମିତ ବ୍ୟବଧାନରେ ଚାଷୀ ସମସ୍ୟା, ଚାଷୀ ଆତ୍ମହତ୍ୟାର ଖବର, ସେହି ଅଞ୍ଚଳରୁ ଅଧିକ ଆସୁଛି । ଯଦି କୃଷି ବିଭାଗ ଏବଂ ଜଳ ସେଚନ ବିଭାଗ ଭୁବନେଶ୍ୱର ବାହାରେ ଅଧିକ ଆବଶ୍ୟକ କରୁଥିବା ଅଞ୍ଚଳରେ ହୁଏ ତା’ହେଲେ ଅସୁବିଧା କେଉଁଠି ?

ଆଜିକାଲି ହାଇଟେକ୍ ତଥା ଅତ୍ୟାଧୁନିକ ବୈଷୟିକ ଜ୍ଞାନ କୌଶଳ ଯୁଗରେ ଭୁବନେଶ୍ୱର ସହ କିମ୍ବା ମୁଖ୍ୟମନ୍ତ୍ରୀଙ୍କ ସହ ସେହିଭଳି ଅନୁନ୍ନତ ଅଂଚଳରେ ଥାଇ ଯୋଗାଯୋଗ କରିବାରେ ଅସୁବିଧା କେଉଁଠି? ଯଦି ପ୍ରଶାସନର ବରିଷ୍ଠ ଅଧିକାରୀମାନେ ଖୋଦ୍ ଉପସ୍ଥିତ ରହି ସମସ୍ୟାକୁ ସାମ୍ନା କରିବେ ତାହେଲେ ଏହା ଅଧିକ ଫଳପ୍ରଦ ହେବ କି ନାହିଁ ?

ସେହିପରି ଆଦିବାସୀ ବହୁଳ ଆମ ରାଜ୍ୟରେ ଯଦି ଅନୁସୂଚିତ ଜାତି, ଜନଜାତି ବିକାଶ ବିଭାଗଟି ଜୟପୁର କିମ୍ବା ବାରିପଦାରେ ହୁଏ, ତାହେଲେ ତାହା ଓଡ଼ିଶା ପାଇଁ ଅଧିକ ଲାଭଦାୟକ ହେବ କି ନାହିଁ? ମୂଳ କଥାଟି ହେଉଛି, ଯଦି ଲୋକ ସରକାର କିମ୍ବା ପ୍ରଶାସନ ପାଖକୁ ଭୁବନେଶ୍ୱର ଆସି ପାରୁଛନ୍ତି, ତେବେ ସରକାର କିମ୍ବା ପ୍ରଶାସନ ଲୋକଙ୍କ ପାଖକୁ ଯିବ ନାହିଁ କାହିଁକି ?

ସରକାର କେବଳ ଭୁବନେଶ୍ୱରରେ ରହୁଥିବା ଲୋକଙ୍କ ପାଇଁ ନୁହେଁ, ବରଂ ଭୁବନେଶ୍ୱରଠାରୁ ଦୂରରେ, ଥିବା ଲୋକଙ୍କ ପାଖରେ ବି ପହଂଚି ପାରୁଛି ସେ ବିଶ୍ୱାସ ତିଆରି ହେବା ଉଚିତ କି ନୁହେଁ ? ଧାଡ଼ିର ଶେଷରେ ଛିଡ଼ା ହୋଇଥିବା ଲୋକ ପାଖରେ ପ୍ରଶାସନ ପହଂଚିବ ଏବଂ ଏହାକୁ ତଦାରଖ କରିବେ ସରକାର । ଏହା ହିଁ ତ ଆମ ଗଣତନ୍ତ୍ରର ମୂଳ ଆଧାର । ତେଣୁ ଲୋକଙ୍କ ପାଇଁ ସରକାର ଅଛି, ପ୍ରଶାସନ ଅଛି ଏହି ଭାବନାକୁ ଉଦଜୀବିତ କରିବା କ’ଣ ପ୍ରଶାସନ କିମ୍ବା ସରକାର ଦାୟିତ୍ୱ ନୁହେଁ?

ଫେରିବା ମୂଳ ପ୍ରସଙ୍ଗକୁ । ଅର୍ଥାତ୍ ଓଡ଼ିଶା ଦ୍ୱିତୀୟ ରାଜଧାନୀ ଗଠନ ପ୍ରସଙ୍ଗକୁ । ଭକ୍ତ ଦାସ କରୁଥିବା ଦାବି ସତରେ କ’ଣ ଆଜିର ଦିନରେ ପ୍ରାସଙ୍ଗିକ କି? ଏହି ପ୍ରଶ୍ନର ସିଧାସଳଖ ଉତ୍ତର ରଖିବା ହୁଏତ କଷ୍ଟକର । କାରଣ, ଯେଉଁ ଅଂଚଳ କେଉଁ କାରଣରୁ ବୈଷମ୍ୟବାଦର ଶିକାର ହୋଇଛି ବା ହେଉଛି ତାର ବିତର୍କ ହେବା ଜରୁରୀ । କିନ୍ତୁ କ୍ଷମତାର ବିକେନ୍ଦ୍ରୀକରଣ ହେବା ଗଣତନ୍ତ୍ର ପାଇଁ ଶୁଭଙ୍କର ଏହା କହିଲେ ହୁଏତ ଭୁଲ ହେବ ନାହିଁ ।

ଶେଷରେ କେବଳ ଏତିକି କୁହାଯାଇପାରେ ଯେ, କୌଣସି ସହରକୁ ପ୍ରାଧାନ୍ୟ ଦେଲେ ଯେ, ଆଉ ଗୋଟିଏ କୌଣସି ସହରର ଗାରିମା କ୍ଷୁର୍ଣ୍ଣ ହୋଇଯିବ, ଏକଥା କାହିଁକି ଯୁକ୍ତି ସଙ୍ଗତ ଲାଗୁ ନାହିଁ । ଠିକ୍ ସେହିପରି କୌଣସି ସହର ଗାରିମାକୁ ବଜାୟ ରଖିବା ପାଇଁ ଆଉ କୌଣସି ସହର ବା ଅଞ୍ଚଳକୁ ସବୁ ଦିନ ପାଇଁ ଅଣଦେଖା କରିବା ବି ଅନ୍ୟାୟ ବୋଲି କୁହାଯାଇପାରେ ।
ପ୍ରତ୍ୟୁଷ କୁମାର ସା
(ଏହା ବରିଷ୍ଠ ସାମ୍ବାଦିକ ପ୍ରତ୍ୟୁଷ କୁମାର ସାଙ୍କ ବ୍ୟକ୍ତିଗତ ମତ । ଏହା କନକ ନ୍ୟୁଜର ମତ ନୁହେଁ)