କନକ ବ୍ୟୁରୋ : ଆଇପିଏଲ ମହାନିଲାମୀ ଶେଷ ହୋଇଛି । ଦୁଇ ଦିନ ଧରି ଚାଲିଥିବା ଆଇପିଏଲ ମହାନିଲାମୀରେ ଅନେକ ବଡ ଚେହେରା ଅଲୋଡା ହୋଇଥିବା ବେଳେ ଅନେକ ଅଜଣା ଚେହେରା କୋଟି କୋଟି ଟଙ୍କାରେ ବିକ୍ରି ହୋଇ ନୂଆ ରେକର୍ଡ କରିଛନ୍ତି । ଏହାଛଡା ଚଳିତ ମହାନିଲାମୀ ମଧ୍ୟ ଆଇପିଏଲର ଲୋକପ୍ରିୟ ଯୋଡିଙ୍କୁ ଅଲଗା କରିଛି । ଅଥାର୍ତ ୪ ଲୋକପ୍ରିୟ ଯୋଡିଙ୍କୁ ଏଥର ଆଉ ଏକାଠି ଖେଳୁଥିବାର ଦେଖିବାକୁ ମିଳିବନି । ଯେଉଁମାନଙ୍କ ମଧ୍ୟରେ ରହିଛି ରୈନା-ଧୋନୀ, ପାଣ୍ଡ୍ୟା-ପୋଲାର୍ଡ, କୋହଲି-ଡିଭିଲିୟର୍ସ, ରସିଦ-ୱାର୍ଣ୍ଣରଙ୍କ ଯୋଡି ।
ଚଳିତ ଆଇପିଏଲ ମହାନିଲାମୀରେ ସୁରେଶ ରୈନାଙ୍କୁ କୌଣସି ଫ୍ରାଞ୍ଚାଇଜ କିଣିନାହାନ୍ତି । ବେସ୍ ପ୍ରାଇସ ୨ କୋଟି ଥିଲେ ମଧ୍ୟ କୌଣସି ଦଳ ରୈନାଙ୍କୁ କିଣିନାହାନ୍ତି । ଯାହାଦ୍ୱାରା ଧୋନୀ-ରୈନାଙ୍କ ଲୋକପ୍ରିୟ ଯୋଡିକୁ ଆଉ ଏକାଠି ଖେଳୁଥିବାର ଦେଖିବାକୁ ପାଇବେନି କ୍ରିକେଟପ୍ରେମୀ । ଧୋନୀଙ୍କୁ ଚେନ୍ନାଇ ୧୨ କୋଟି ଟଙ୍କା ଦେଇ କିଣିଥିବା ବେଳେ ଦୀର୍ଘଦିନ ଧରି ଦଳରେ ଥିବା ରୈନାଙ୍କ ହାତ ଛାଡିଛି ଚେନ୍ନାଇ ।
ସେହିଭଳି ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରର ପୂର୍ବତନ ଅଧିନାୟକ କୋହଲିଙ୍କୁ ୧୫ କୋଟି ଟଙ୍କାରେ ଦଳ ରିଟେନ କରିଥିବା ବେଳେ ଡିଭିଲିୟର୍ସଙ୍କୁ ଚଳିତ ଆଇପିଏଲରେ ଆଉ ଖେଳୁଥିବାର ଦେଖିବାକୁ ମିଳିବନି । ଚଳିତ ମହାନିଲାମୀରେ ଡିଭିଲିୟର୍ସ ନିଜ ନାଁ ସାମିଲ କରିନଥିଲେ । କାରଣ କ୍ରିକେଟର ସବୁ ଫର୍ମାଟରୁ ସନ୍ନ୍ୟାସ ନେଇଛନ୍ତି ଡିଭିଲିୟର୍ସ । ଏହାପୂର୍ବରୁ କୋହଲି ଓ ଡିଭିଲିୟର୍ସ ଦୀର୍ଘ ବର୍ଷ ଧରି ଆରସିବି ପକ୍ଷରୁ ଖେଳୁଥିଲେ, କିନ୍ତୁ ଚଳିତ ସିଜିନରେ ଉଭୟଙ୍କୁ ଆଉ ଏକାଠି ଖେଳୁଥିବାର ଦେଖିବାକୁ ମିଳିବନି ।
ମୁମ୍ବାଇ ଇଣ୍ଡିଆନ୍ସର ଲୋକପ୍ରିୟ ଯୋଡି ପାଣ୍ଡ୍ୟା-ପୋଲାର୍ଡଙ୍କୁ ମଧ୍ୟ ଆଉ ଏକାଠି ଖେଳୁଥିବାର ଦେଖିବାକୁ ମିଳିବନି । ମହାନିଲାମୀ ପୂର୍ବରୁ ମୁମ୍ବାଇ ପୋଲାର୍ଡଙ୍କୁ ରିଟେନ ରଖିଥିବା ବେଳେ ହାର୍ଦ୍ଦିକଙ୍କୁ ରିଲିଜ କରିଥିଲା । ଆଉ ହାର୍ଦ୍ଦିକଙ୍କୁ ମହାନିଲାମୀ ପୂର୍ବରୁ ହିଁ ଗୁଜୁରାଟ ଟାଇଟନ୍ସ ଦଳରେ ସାମିଲ କରିବା ସହ ଅଧିନାୟକ କରିଛି । ସେହିଭଳି ଦୀର୍ଘବର୍ଷ ଧରି ସନରାଇଜର୍ସ ହାଇଦ୍ରାବାଦ ପାଇଁ ଖେଳୁଥିବା ଲୋକପ୍ରିୟ ଯୋଡି ଡେଭିଡ ୱାର୍ଣ୍ଣର ଓ ରସିଦ ଖାନଙ୍କୁ ମଧ୍ୟ ଏଥର ଏକାଠି ଗୋଟିଏ ଦଳରୁ ଖେଳୁଥିବାର ଦେଖିବାକୁ ମିଳିବନି । କାରଣ ମହାନିଲାମୀ ପୂର୍ବରୁ ଉଭୟ ରସିଦ ଓ ୱାର୍ଣ୍ଣରଙ୍କୁ ରିଲିଜ କରିଥିଲା ସନରାଇଜର୍ସ ହାଇଦ୍ରାବାଦ । ମହାନିଲାମୀ ପୂର୍ବରୁ ରସିଦଙ୍କୁ ଲକ୍ଷ୍ନୌ ସୁପର ଜାଏଣ୍ଟଓ ନିଜ ଦଳରେ ସାମିଲ କରିଥିବା ବେଳେ ମହାନିଲାମୀରେ ୱାର୍ଣ୍ଣରଙ୍କୁ କିଣିଛି ଦିଲ୍ଲୀ କ୍ୟାପିଟାଲ୍ସ ।