ନିର୍ଭୟାଙ୍କୁ କ’ଣ ନ୍ୟାୟ ନାହିଁ? ନୀରିହ ଝିଅ ନିର୍ଭୟାର ସର୍ବନାଶ କରିଥିବା ସୈତାନଙ୍କୁ ସଜ୍ଜା ଦେବାକୁ ଗଡିଲାଣି ୭ ବର୍ଷ, ଏବେବି ବଦଳୁଛି ତାରିଖ ।

294

କନକ ବ୍ୟୁରୋ : ନିର୍ଭୟାଙ୍କୁ କ’ଣ ନ୍ୟାୟ ନାହିଁ ? ଏ ପ୍ରଶ୍ନ ଆମର ନୁହେଁ, ସାରା ଭାରତ ବର୍ଷରେ ଆଜି ଏମିତି କିଛି ପ୍ରଶ୍ନ ଗୁଞ୍ଜରିତ ହେଉଛି । ନୀରିହ ଝିଅ ନିର୍ଭୟାର ସର୍ବନାଶ କରିଥିବା ସୈତାନଙ୍କୁ ସଜ୍ଜା ଦେବାକୁ ୭ ବର୍ଷ ବିତିସାରିଲାଣି । ଏବେ ବି ଗଡିଚାଲିଛି ତାରିଖ ପରେ ତାରିଖ ।

ଅନ୍ୟପଟେ ୭ ବର୍ଷ ବିଳମ୍ବ ହେଉ ପଛେ, ଯେତେବେଳେ ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟାକାରୀଙ୍କୁ ଫାଶୀ ଦଣ୍ଡାଦେଶ ହୋଇଥିଲା, ସେତେବେଳେ ଏହି ନିଷ୍ପତ୍ତିକୁ ପ୍ରଂଶସା କରିଥିଲେ ଦେଶବାସୀ । ବିଳମ୍ବରେ ହେଉ ପଛେ, ନିର୍ଭୟାଙ୍କୁ ନ୍ୟାୟ ମିଳିବା ନେଇ ସମସ୍ତେ ଆଶାବାଦୀ ଥିଲେ । କିନ୍ତୁ ଆଜି ପୁଣି ଥରେ ଫାଶୀର ତାରିଖ ଘୁଞ୍ଚିବା ପରେ ନ୍ୟାୟିକ ବ୍ୟବସ୍ଥା ଉପରେ ବଡ ପ୍ରଶ୍ନଚିହ୍ନ ସୃଷ୍ଟି ହୋଇଛି ।

୧୬ ଡିସେମ୍ବର ୨୦୧୨ରୁ, ୭ ଜାନୁଆରୀ ୨୦୨୦ । ଦୀର୍ଘ ୭ ବର୍ଷର ଅପେକ୍ଷା ପରେ ନିର୍ଭୟା ଗଣଦୁଷ୍କର୍ମ ଘଟଣାର ୪ ନରରାକ୍ଷସଙ୍କ ବିରୋଧରେ ମୃତ୍ୟୁ ପରୱାନା ଜାରି କରିଥିଲେ କୋର୍ଟ । ଆଉ ଶୁଣାଣୀ ହୋଇଥିଲା ଜାନୁଆରୀ ୨୨ ତାରିଖରେ ଫାଶୀ ଖୁଣ୍ଟରେ ଝୁଲିବେ ଦୁଷ୍କର୍ମକାରୀ । କିନ୍ତୁ ଦୋଷୀଙ୍କ ପିଟିସନ୍ ଦାୟରକୁ ନେଇ ଏହି ତାରିଖକୁ ଫେବୃଆରୀ ୧ ତାରିଖକୁ ଘୁଞ୍ଚାଇ ଦିଆଯାଇଥିଲା । ଆଉ ଆଜି ପୁଣି ଥରେ ପରବର୍ତ୍ତୀ ନିର୍ଦ୍ଦେଶ ଯାଏଁ ଡେଥ୍ ୱାରେଣ୍ଟରେ ରୋକ୍ ଲଗାଇଛନ୍ତି ଦିଲ୍ଲୀ ପଟିଆଲ୍ଲା ହାଉସକୋର୍ଟ ।

ନ୍ୟାୟ ପାଇବା ପାଇଁ ଯେଉଁ ଦେଶରେ ଦଶନ୍ଧି ଦଶନ୍ଧି ଅପେକ୍ଷା କରିବାକୁ ପଡୁଛି ସେଠାରେ ୭ ବର୍ଷରେ ନ୍ୟାୟ ଆଶା କରିବା ବା କେମିତି ? କିନ୍ତୁ ଦିଲ୍ଲୀ ଗଣଦୁଷ୍କର୍ମ ଭଳି ସମ୍ବେଦନଶୀଳ ଘଟଣାରେ ନ୍ୟାୟିକ ପ୍ରକ୍ରିୟା ବିଳମ୍ବିତ ହେଉଥିବା ବେଳେ ଏହାକୁ ନେଇ ଅନେକ ଥର ପ୍ରଶ୍ନ ଉଠିଛି । ନ୍ୟାୟ ପାଇଁ ପୀଡିତାଙ୍କ ପରିବାର ୭ ବର୍ଷ ସଂଘର୍ଷ କରିବା ଆମର ନ୍ୟାୟିକ ପ୍ରକ୍ରିୟା ଉପରେ ପ୍ରଶ୍ନର ପାହାଡ ଛିଡା କରୁଛି । କେଉଁଠି ନା କେଉଁଠି ଆମ ନ୍ୟାୟ ବ୍ୟବସ୍ଥାରେ ଟିକିଏ ଢିଲା ରହିଛି ଆଉ ଯାହାର ଫାଇଦା ଉଠାଉଛନ୍ତି ଏହିଭଳି ନରପିଶାଚ ।

ଯେଉଁଥିପାଇଁ ହାଇଦ୍ରାବାଦ ଯୁବତୀଙ୍କୁ ଗଣଦୁଷ୍କର୍ମ ଓ ହତ୍ୟା ପରେ ଲୋକେ ନ୍ୟାୟିକ ବ୍ୟବସ୍ଥା ଉପରେ ବିଶ୍ୱାସ କରିବା ବଦଳରେ ଅପରାଧୀଙ୍କୁ ଯଥାଶୀଘ୍ର ଦଣ୍ଡ ଦେବାକୁ ଦାବି କରୁଥିଲେ । ଏପରିକି ଏନକାଉଣ୍ଟରରେ ଅଭିଯୁକ୍ତଙ୍କ ମୃତ୍ୟୁକୁ ନେଇ ଦେଶବାସୀ ସେଲିବ୍ରେସନ କରିବାକୁ ପଛାଇ ନଥିଲେ । ତଦନ୍ତ ତାତି କମିବା ପୂର୍ବରୁ ନରରାକ୍ଷସଙ୍କୁ ନିପାତ କରିଥିବାରୁ ପୋଲିସକୁ ଧନ୍ୟବାଦ ଜଣାଇଥିଲେ । ଏହାପଛରେ ଲୋକଙ୍କ ମନରେ ଗୋଟିଏ ଧାରଣା ରହିଥିଲା ଯେ, ଦୁଷ୍କର୍ମକାରୀଙ୍କୁ ଏଭଳି ଦଣ୍ଡ ଦିଆଗଲେ ହୁଏତ ନାରୀଙ୍କୁ ଆଖି ଉଠାଇବା ପୂର୍ବରୁ ବାରମ୍ବାର ଭାବିବେ ନରରାକ୍ଷସ । କାରଣ ଆଇନର ଗଳାବାଟ ଦେଇ ଅନେକ ଅପରାଧୀ ଖସି ଯାଉଥିବା ବେଳେ ଅନେକ କ୍ଷେତ୍ରରେ ନ୍ୟାୟ ମିଳିବା ବେଳକୁ ବର୍ଷ ବର୍ଷ ବିତି ଯାଉଥିଲା ।

ସେଥିପାଇଁ ତ ହାଇଦ୍ରାବାଦ ଗଣଦୁଷ୍କର୍ମ ଅଭିଯୁକ୍ତଙ୍କୁ ଏନକାଉଣ୍ଟର ନିଷ୍ପତିକୁ ପ୍ରଂଶସା କରିଥିଲେ ଅଧିକାଂଶ ଦେଶବାସୀ । କାରଣ ନ୍ୟାୟିକ ପ୍ରକ୍ରିୟାରେ ଯାଇଥିଲେ ନ୍ୟାୟ ପାଇବା ପାଇଁ ହୁଏତ ନିର୍ଭୟାର ପରିବାର ଭଳି ଦିଶାର ପରିବାରକୁ ମଧ୍ୟ ବର୍ଷ ବର୍ଷ ଧରି ଏହିଭଳି ଅପେକ୍ଷା କରିବାକୁ ପଡିଥାନ୍ତା । ସେଥିପାଇଁ ତ ନ୍ୟାୟିକ ପ୍ରକ୍ରିୟା ଅପେକ୍ଷା ପୋଲିସ ଏନକାଉଣ୍ଟରକୁ ପ୍ରଂଶସା କରିଥିଲେ ଦିଶାର ପରିବାର ।