ନଭେମ୍ବର ୮ରେ ମୁଖ୍ୟମନ୍ତ୍ରୀଙ୍କ କଳାହାଣ୍ଡି ଗସ୍ତ । ଦିବ୍ୟଶଙ୍କରଙ୍କ ସହ ଗୋଟିଏ ମଞ୍ଚରେ ବସିବେ କି ନବୀନ?

153

କନକ ବ୍ୟୁରୋ: ମମିତା ମେହେର ହତ୍ୟା ମାମଲାରେ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ବହିଷ୍କାର ଦାବିରେ ଆନ୍ଦୋଳନ ଥମିବାର ନାଁ ଧରୁନି । ସେପଟେ ସ୍ମାର୍ଟ ହେଲଥ କାର୍ଡ ବଣ୍ଟନ ପାଇଁ ଆସନ୍ତା ୮ ତାରିଖରେ କଳାହାଣ୍ଡି ଗସ୍ତ କରୁଛନ୍ତି ମୁଖ୍ୟମନ୍ତ୍ରୀ । ପୂରା ଟିମ୍କୁ ନେଇ କଳାହାଣ୍ଡି ଯାଉଛନ୍ତି ନବୀନ । ଏହି ଗସ୍ତ ବିଜେଡି ରାଜନୀତି ପାଇଁ ବେଶ ଗୁରୁତ୍ୱପୂର୍ଣ୍ଣ, କାରଣ ଆଗକୁ ଆସୁଛି ପଞ୍ଚାୟତ ନିର୍ବାଚନ । ବିବାଦରେ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ଫସିଥିବାରୁ କଳାହାଣ୍ଡି ରାଜନୀତିରେ ବ୍ୟାକଫୁଟକୁ ଆସିଯାଇଛି ଶାସକ ଦଳ । ଆଉ ଏହାର ଫାଇଦା ନେବାକୁ ଜୋରଦାର ଉଦ୍ୟମ କରୁଛନ୍ତି ବିରୋଧୀ ।

ଅନ୍ୟପଟେ ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ବିରୋଧ କରିବ ବୋଲି ଘୋଷଣା କରିଛି ବିଜେପି । ଏପଟେ କଂଗ୍ରେସ ନେତା ଭକ୍ତଚରଣ ଦାସ ମଧ୍ୟ ୮ ତାରିଖ ଦିନ କଳାହାଣ୍ଡିରେ ଜନତା କର୍ଫ୍ୟୁ ପାଇଁ ଆହ୍ୱାନ ଦେଇଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ଭାବମୂର୍ତ୍ତି ମଳିନ ହେବ ବୋଲି ମୟୁରଭଞ୍ଜ କାର୍ଯ୍ୟକ୍ରମରେ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ନାଁ ଥିଲେ ବି ଶେଷ ମୁହୂର୍ତ୍ତରେ ତାଙ୍କୁ ବାଦ ଦିଆଯାଇଥିଲା । ତେବେ କଳାହାଣ୍ଡି କାର୍ଯ୍ୟକ୍ରମ ପାଇଁ କ୍ୟାପଟେନଙ୍କୁ ଗ୍ରୀନ ସିଗନାଲ ଦିଆଯାଇଥିବା ଚର୍ଚ୍ଚା ହେଉଛି । ମୁଖ୍ୟମନ୍ତ୍ରୀଙ୍କ ସହ କ୍ୟାପଟେନ ଗୋଟିଏ ଷ୍ଟେଜରେ ବସିଲେ, ଭିନ୍ନ ବାର୍ତ୍ତା ଯିବା ଆଶଙ୍କା ରହିଛି ।