ଦ୍ୱିତୀୟ ପର୍ଯ୍ୟାୟରେ ମୁଖ୍ୟମନ୍ତ୍ରୀ ନବୀନ ଦେବେ ନିର୍ବାଚନ ପରୀକ୍ଷା! ପୁଣିଥରେ ହିଞ୍ଜିଳି ମୈଦାନରୁ ଦେବେ ରଣହୁଙ୍କାର ?

345

କନକ ବ୍ୟୁରୋ : ଉଭୟ ଲୋକସଭା ଓ ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା ପରେ ଉଷ୍ମ ହୋଇଛି ରାଜ୍ୟ ରାଜନୀତି । ରାଜ୍ୟରେ ମୋଟ ୪ଟି ପର୍ଯ୍ୟାୟରେ ନିର୍ବାଚନ ହେବାକୁ ଥିବା ବେଳେ ଏପ୍ରିଲ ୧୧ରେ ପ୍ରଥମ ପର୍ଯ୍ୟାୟରେ ୪ଟି ଲୋକସଭା ଓ ୨୮ଟି ବିଧାନସଭା ଆସନ ପାଇଁ ହେବ ମତଦାନ । ସେହିଭଳି ଦ୍ୱିତୀୟ ପର୍ଯ୍ୟାୟରେ ୫ଟି ଲୋକସଭା ଓ ୩୫ଟି ବିଧାନସଭା ଆସନ ପାଇଁ ଏପ୍ରିଲ ୧୮ ତାରିଖରେ ନିର୍ବାଚନ ହେବ । ତେବେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ଉପରେ ସମସ୍ତଙ୍କର ନଜର ରହିବ କାରଣ ଏପ୍ରିଲ ୧୮ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦେବେ ଅଗ୍ନିପରୀକ୍ଷା ।

ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନରେ ଆସ୍କା ସମେତ ଅନ୍ୟ ୪ଟି ସଂସଦୀୟ କ୍ଷେତ୍ର ପାଇଁ ଭୋଟ ଗ୍ରହଣ ହେବ । ଆସ୍କା ଅଧିନରେ ଆସୁଥିବା ୭ଟି ବିଧାନସଭା ନିର୍ବାଚନମଣ୍ଡଳୀ ମଧ୍ୟରୁ ହିଞ୍ଜିଳି ଆସନ ଉପରେ ସମସ୍ତଙ୍କର ଫୋକସ ରହିବ । କାରଣ ଏହି ଆସନରେ ପୁଣି ଥରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜର ଭାଗ୍ୟ ପରୀକ୍ଷା କରିବେ ବୋଲି ଚର୍ଚ୍ଚା ହେଉଛି । ଲଗାତାର ୪ ଥର ଏହି ଆସନରୁ ବିଜୟୀ ହୋଇ ମୁଖ୍ୟମନ୍ତ୍ରୀ ଆସନ ଅଳଙ୍କୃତ କରିଥିବା ନବୀନ ଚଳିତ ଥର ମଧ୍ୟ ଏହି ଆସନରୁ ପ୍ରତିଦ୍ୱନ୍ଦିତା କରିବେ । ନବୀନଙ୍କ ପାଇଁ ଏହି ଆସନ ଦୀର୍ଘ ୧୯ ବର୍ଷ ଧରି ଫେଭରିଟ ରହି ଆସିଛି । କଂଗ୍ରେସର ଗଡ ଥିବା ହିଞ୍ଜିଳିରେ ୨୦୦୦ ମସିହାରୁ ନବୀନ ଶଙ୍ଖ ଫୁଙ୍କି ଆସୁଛନ୍ତି ।

ରାଜ୍ୟରେ ୪ଟି ପର୍ଯ୍ୟାୟରେ ହେବ ନିର୍ବାଚନ :
ପ୍ରଥମ ପର୍ଯ୍ୟାୟ ଭୋଟ – ଏପ୍ରିଲ ୧୧ରେ ଅନୁଷ୍ଠିତ ହେବ । ଏହି ଦିନ ଓଡ଼ିଶାର ୪ଟି ଲୋକସଭା ଓ ଏହା ଅନ୍ତର୍ଗତ ୨୮ଟି ବିଧାନସଭା ପାଇଁ ନିର୍ବାଚନ ହେବ । ସେହିଭଳି ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ – ଏପ୍ରିଲ ୧୮ ତାରିଖରେ ହେବ । ୫ଟି ଲୋକସଭା ଓ ଏହା ଅନ୍ତର୍ଗତ ୩୫ଟି ବିଧାନସଭା ଆସନରେ ଭୋଟ ହେବ । ସେହିପରି ତୃତୀୟ ପର୍ଯ୍ୟାୟ ମତଦାନ – ଏପ୍ରିଲ ୨୩ରେ ଅନୁଷ୍ଠିତ ହେବ । ଓଡ଼ିଶାର ୬ଟି ଲୋକସଭା ଓ ଏହା ଅନ୍ତର୍ଗତ ୪୨ଟି ବିଧାନସଭା ଆସନରେ ନିର୍ବାଚନ ହେବ ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ – ଏପ୍ରିଲ ୨୯ରେ ଭୋଟ । ୬ ଲୋକସଭା ଓ ଏହା ଅନ୍ତର୍ଗତ ୪୨ ବିଧାନସଭା ପାଇଁ ମତଦାନ ହେବ ।

ନିର୍ବାଚନ ବିଜ୍ଞପ୍ତି ପ୍ରକାଶ କରିବା ସହ ଆଦର୍ଶ ଆଚରଣ ବିଧି ଲାଗୁ କରିଛନ୍ତି ନିର୍ବାଚନ କମିଶନ । ସୋସିଆଲ ମିଡିଆରେ ମଧ୍ୟ ଏହି ଆଚରଣ ବିଧି ମଧ୍ୟ ଲାଗୁ କରାଯିବ । ଗଣତନ୍ତ୍ରର ଏହି ମହାପର୍ବରେ ୯୦ କୋଟି ଭୋଟର ମତଦାନ କରିବେ । ୧୦ ଲକ୍ଷ ବୁଥରେ ଗଣତାନ୍ତ୍ରିକ ଅଧିକାର ସାବ୍ୟସ୍ତ କରିବେ ମତଦାତା । ସବୁ ନିର୍ବାଚନ କେନ୍ଦ୍ରରେ ଇଭିଏମ୍ ମେସିନ୍ ସହ ଭିଭିପାଟ୍ ବ୍ୟବହାର କରାଯିବ । ଇଭିଏମରେ ନିର୍ବାଚନ ଚିହ୍ନ ସହ ସବୁ ପ୍ରାର୍ଥୀଙ୍କ ଫଟୋ ରହିବ ବୋଲି କହିଛନ୍ତି ମୁଖ୍ୟ ନିର୍ବାଚନ କମିଶନର ।