ମ୍ୟାଚ ହାରିଲା, କିନ୍ତୁ ଭାରତ ସେମିଫାଇନାଲ ରାସ୍ତାକୁ ଟିକେ ସହଜ କଲା ନାମ୍ବିଆ । 

996

କନକ ବ୍ୟୁରୋ : ଟି-୨୦ ବିଶ୍ୱକପ ମୁକାବିଲାରେ ନାମ୍ବିଆ ବିପକ୍ଷରେ ବିଜୟ ହାସଲ କରିବା ସହ ପଏଣ୍ଟ ଟେବୁଲର ଦ୍ୱିତୀୟ ସ୍ଥାନରେ ପହଞ୍ଚିଛି ନ୍ୟୁଜିଲାଣ୍ଡ । ନ୍ୟୁଜିଲାଣ୍ଡ ବିପକ୍ଷରେ ନାମ୍ବିଆ ବିଜୟୀ ହୋଇଥିଲେ ଭାରତର ସେମିଫାଇନାଲ ସହଜ ହୋଇଥାନ୍ତା କିନ୍ତୁ ପରାଜିତ ହେବା ପରେ ମଧ୍ୟ ନ୍ୟୁଜିଲାଣ୍ଡକୁ ନାକେଦମ କରିଛି । ଯାହା ପଏଣ୍ଟ ଟେବୁଲ ଗଣିତରେ ଭାରତକୁ ସୁହାଇଛି । ନାମ୍ବିଆ ବିପକ୍ଷରେ ନ୍ୟୁଜିଲାଣ୍ଡ ବିଜୟୀ ହୋଇଛି ସତ କିନ୍ତୁ ବିଜୟ ବ୍ୟବଧାନ ଏତେ ବଡ ନାହିଁ । ଯେଉଁଥିପାଇଁ ନ୍ୟୁଜିଲାଣ୍ଡର ରନରେଟ ଆଶା ଅନୁଯାୟୀ ବଢିପାରିନାହିଁ । ତେଣୁ ଶେଷ ନ୍ୟୁଜିଲାଣ୍ଡ ଓ ଆଫଗାନିସ୍ତାନ ମଧ୍ୟରେ ଖେଳାଯିବାକୁ ଥିବା ମ୍ୟାଚ ଉପରେ ଭାରତର ନଜର ରହିଛି । ଯଦି ଆଫଗାନିସ୍ତାନ ଏହି ମ୍ୟାଚରେ ବିଜୟୀ ହେଉଛି ତେବେ ଭାରତ ନିକଟରେ ସେମିଫାଇନାଲ ଟିକେଟ ହାତେଇବା ପାଇଁ ସୁବର୍ଣ୍ଣ ସୁଯୋଗ ରହିଛି । କାରଣ ଆଫଗାନିସ୍ତାନ ବିଜୟୀ ହେବା ଦ୍ୱାରା ସେମିଫାଇନାଲ ଟିକେଟ ପାଇଁ ନାମ୍ବିଆ ବିପକ୍ଷରେ କେତେ ରନରେ ବିଜୟୀ ହେବାକୁ ପଡିବ ତାହାର ସ୍ପଷ୍ଟ ଚିତ୍ର ମ୍ୟାଚ୍ ପୂର୍ବରୁ ଆସିଥିବ । ଆଉ ଏହାକୁ ଆଧାର କରି ବିଜୟୀ ହେଲେ ଭାରତ ସେମିଫାଇନାଲ ଟିକେଟ ହାତେଇପାରେ ।

ଆସନ୍ତା ୭ ତାରିଖରେ ଆଫଗାନିସ୍ତାନ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ମୁକାବିଲା ହେବାକୁ ଥିବା ବେଳେ ୮ ତାରିଖରେ ସୁପର-୧୨ ପର୍ଯ୍ୟାୟର ଶେଷ ମଧ୍ୟ ଭାରତ ଓ ନାମ୍ବିଆ ମଧ୍ୟରେ ଖେଳାଯିବ । ତେଣୁ ଭାରତୀୟ କ୍ରିକେଟ ପ୍ରଂଶସକ ନିଶ୍ଚୟ ଚାହିଁବେ ନ୍ୟୁଜିଲାଣ୍ଡ ବିପକ୍ଷରେ ଆଫଗାନିସ୍ତାନ ବିଜୟୀ ହେଉ କିନ୍ତୁ ବିଜୟର ବ୍ୟବଧାନ ବେଶି ନରହୁ । ଉଭୟ ନାମ୍ବିଆ ଓ ସ୍କଟଲାଣ୍ଡ ସେମିଫାଇନାଲ ରେସରୁ ବାଦ ପଡିଥିବା ବେଳେ ଭାରତ ପାଇଁ ଆଫଗାନିସ୍ତାନ ସୁଯୋଗ ସୃଷ୍ଟି କରୁ ତାହା ନିଶ୍ଚୟ ଚାହିଁବେ କ୍ରିକେଟପ୍ରେମୀ ।

ସେହିଭଳି ଗ୍ରୁପ-୧ରେ ୱେଷ୍ଟଇଣ୍ଡିଜ, ବାଂଲାଦେଶ ଓ ଶ୍ରୀଲଙ୍କା ସେମିଫାଇନାଲ ରେସରୁ ବାଦ୍ ପଡି ସାରିଥିବା ବେଳେ ଇଂଲଣ୍ଡ ସେମିଫାଇନାଲରେ ପହଞ୍ଚିବା ଏକପ୍ରକାର ନିଶ୍ଚିତ ହୋଇଛି । କାରଣ ଇଂଲଣ୍ଡ ୪ରୁ ୪ଟି ମ୍ୟାଚ୍ ଜିତିଥିବା ବେଳେ ରନ୍ ରେଟ ମଧ୍ୟ ଯଥେଷ୍ଟ ଅଧିକ ରହିଛି । ତେବେ ଏହି ଗ୍ରୁପରୁ ଦ୍ୱିତୀୟ ଟିମ୍ ଭାବେ କିଏ ସେମିଫାଇନାଲ ଯିବ ତାହାକୁ ନେଇ ସସପେନ୍ସ ଲାଗି ରହିଛି । ଆଉ ଏହି ରେସରେ ଅଷ୍ଟ୍ରେଲିଆ ଓ ଦକ୍ଷିଣ ଆଫ୍ରିକା ରହିଛନ୍ତି । ଉଭୟ ଟିମ୍ ୩ଟି ଲେଖାଏଁ ମ୍ୟାଚ୍ ଜିତିଥିବା ଶେଷ ମ୍ୟାଚରେ ବିଜୟୀ ହୋଇ ସେମିଫାଇନାଲ ଟିକେଟ ହାତେଇବାକୁ ମୈଦାନକୁ ଓହ୍ଲାଇବେ । ଶେଷ ମ୍ୟାଚରେ ଇଂଲଣ୍ଡ ବିପକ୍ଷରେ ଦକ୍ଷିଣ ଆଫ୍ରିକା ଖେଳିବାକୁ ଥିବା ବେଳେ ଅଷ୍ଟ୍ରେଲିଆ ଭେଟିବ ୱେଷ୍ଟଇଣ୍ଡିଜକୁ । ତେଣୁ ଏହି ମ୍ୟାଚ୍ ଉପରେ ମଧ୍ୟ କ୍ରିକେଟପ୍ରେମୀଙ୍କ ନଜର ରହିବ ।