ପୁରୀରୁ ନିର୍ବାଚନ ଲଢ଼ିବେ କି ମୋଦି ? ଅମିତ ଶାହା କହିଲେ, କେଉଁ ଲୋକସଭା ଆସନରୁ ଲଢ଼ିବେ ତାହା ସ୍ଥିର ହୋଇନି

25

କନକ ବ୍ୟୁରୋ : ୨୦୧୯ ସାଧାରଣ ନିର୍ବାଚନରେ ପୁରୀରୁ ଲଢିପାରନ୍ତି ପ୍ରଧାନମନ୍ତ୍ରୀ । ଜାତୀୟ ଗଣମାଧ୍ୟମରେ ଏଭଳି ଚର୍ଚ୍ଚା ଜୋର୍ ଧରିଛି । ୨୦୧୪ରେ ଓଡିଶାରୁ ମାତ୍ର ଗୋଟିଏ ଲୋକସଭା ଆସନ ଜିତିଥିବା ବିଜେପି ପୂର୍ବ ଭାରତ ଦଖଲ ଲକ୍ଷ୍ୟ ରଖିଛି । କୁହାଯାଉଛି ପୁରୀରୁ ନିର୍ବାଚନ ଲଢି ଓଡିଶା, ପଶ୍ଚିମବଙ୍ଗ ଓ ଝାଡଖଣ୍ଡରେ ବିଜେପି କ୍ଷମତା ଦଖଲ କରିବାକୁ ଚାହୁଁଛି । ତେବେ ଜାତୀୟ ଗଣମାଧ୍ୟମର ଏଭଳି ଚର୍ଚାକୁ ଖଣ୍ଡନ କରିଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା ।

ଜାତୀୟ ଗଣମାଧ୍ୟମରେ ହେଉଥିବା ଚର୍ଚା ଅନୁସାରେ ୨୦୧୯ରେ ପୁରୀରୁ ନିର୍ବାଚନ ଲଢିପାରନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ରିପୋର୍ଟ ଅନୁସାରେ ବାରାଣସୀରେ ବାବା ବିଶ୍ୱନାଥଙ୍କ ଆଶୀର୍ବାଦ ପାଇ ଦେଶର ପ୍ରଧାନମନ୍ତ୍ରୀ ବନିଥିବା ମୋଦି ଏଥର ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଆଶୀର୍ବାଦ ଲାଭ କରିବାକୁ ପୁରୀରେ ଭାଗ୍ୟ ପରୀକ୍ଷା କରିପାରନ୍ତି । ମୋଦି, ପୁରୀରୁ ନିର୍ବାଚନ ଲଢିଲେ , ଓଡିଶାବାସୀ ଏବଂ ହଜାର ହଜାର ବିଜେପି କର୍ମୀଙ୍କ ମଧ୍ୟରେ ଏକ ବଡ ପ୍ରଭାବ ପଡିବ , ଯାହା ବିଜେପିକୁ ଫାଇଦା ଦେବ । ଓଡିଶାରେ ଏକାସଙ୍ଗେ ସାଧାରଣ ନିର୍ବାଚନ ଓ ରାଜ୍ୟ ବିଧାନସଭା ନିର୍ବାଚନ ହେଉଥିବାରୁ ମୋଦିଙ୍କ ପ୍ରାର୍ଥୀତ୍ୱ, ବିଜେପିକୁ ଲାଭ ଦେବା ଯଥେଷ୍ଟ ସମ୍ଭାବନା ରହିଛି ।

୨୦୧୪ରେ ଓଡିଶାରୁ ମାତ୍ର ଗୋଟିଏ ଲୋକସଭା ଆସନ ଜିତିଥିବା ବିଜେପି ପୂର୍ବ ଭାରତ ଦଖଲ ଲକ୍ଷ୍ୟ ରଖିଛି । ଆଉ ସେହି ରଣନୀତିର ଅଂଶ ସ୍ୱରୂପ ଓଡିଶାରେ କେନ୍ଦ୍ର ସରକାରଙ୍କ ୪ବର୍ଷର ରିପୋର୍ଟ କାର୍ଡ ରଖିଛନ୍ତି ମୋଦି । କୁହାଯାଉଛି ପୁରୀରୁ ନିର୍ବାଚନ ଲଢି ଓଡିଶା, ପଶ୍ଚିମବଙ୍ଗ ଓ ଝାଡଖଣ୍ଡରେ ବିଜେପି କ୍ଷମତା ଦଖଲ କରିବାକୁ ଚାହୁଁଛି । ଆଉ ପୁରୀରୁ ନିର୍ବାଚନ ଲଢିଲେ ୧୧ଟି ରାଜ୍ୟର ୧୦୨ ଲୋକସଭା ସିଟ୍ ଉପରେ ଏହାର ପ୍ରଭାବ ପଡିବ ।

୨୦୧୪ରେ ଏହି ୧୨୦ ଲୋକସଭା ସିଟରୁ ଏନଡିଏ ମାତ୍ର ୨୬ଟିରେ ଜିତିଥିଲା । ସେହିପରି ଆନ୍ଧ୍ର ଓ ତେଲେଙ୍ଗାନାର ୪୨ଟି ଲୋକସଭା ଆସନ ଉପରେ ବି ମୋଦିଙ୍କ ପୁରୀ ପ୍ଲାନର ଗଭୀର ପ୍ରଭାବ ପଡିବ । ହେଲେ ମୋଦିଙ୍କୁ ନେଇ ଚାଲିଥିବା ଚର୍ଚାକୁ ପରୋକ୍ଷରେ ଖଣ୍ଡନ କରିଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା । ଅମିତ କହିଛନ୍ତି, କୋଦି କେଉଁଠୁ ଛିଡ଼ା ହେବେ ତାହା ଏବେ ସ୍ପଷ୍ଟ ହୋଇନାହିଁ । ଏଭଳି କହି ଚର୍ଚ୍ଚାରେ ପୂର୍ଣ୍ଣଛେଦ ପକାଇଛନ୍ତି ଅମିତ ।

ସବୁଠୁ ବଡ଼ କଥା ହେଲା, ପୁରୀ ସହ ରହିଛି ପ୍ରଧାନମନ୍ତ୍ରୀ ମୋଦିଙ୍କ ଖାସ ସଂପର୍କ । ମୋଦି ଦେଶର ପ୍ରଧାନମନ୍ତ୍ରୀ ହେବା ପୂର୍ବରୁ ୨୦୧୩ ଅଗଷ୍ଟରେ ମୋଦି ପହଞ୍ଚିିଥିଲେ ପୁରୀରେ । ପ୍ରଧାନମନ୍ତ୍ରୀ ହେବା ପରେ ୨୦୧୬ ଫେବ୍ରୁଆରୀରେ ପୁରୀ ଯାଇ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କୁ ଦର୍ଶନ ବି କରିଥିଲେ । ତେଣୁ ଆଗାମୀ ସାଧାରଣ ନିର୍ବାଚନରେ ମୋଦି ଶ୍ରୀକ୍ଷେତ୍ର ପୁରୀରୁ ଲଢିବା ନେଇ ଚର୍ଚ୍ଚା ସୃଷ୍ଟି ହୋଇଥିଲା ।