କନକ ବ୍ୟୁରୋ : ଆସନ୍ତା ୨୯ରେ ୫ମ ଥର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ନବୀନ ପଟ୍ଟନାୟକ । ଏଥିପାଇଁ ଆରମ୍ଭ ହୋଇଛି ପ୍ରସ୍ତୁତି । ୧୧୨ ଆସନରେ ବିଜୟ ସହ ବିଜେଡି ରାଜ୍ୟରେ ଏକାକୀ ସରକାର ଗଢିବାକୁ ଯାଉଛି । ନବୀନଙ୍କ ଶପଥ ଗ୍ରହଣ ଉତ୍ସବ ସମ୍ପୂର୍ଣ୍ଣ ନିରାଡମ୍ବର ଭାବେ ହୋଇପାରେ । ତେବେ ଶପଥ ଗ୍ରହଣ ଉତ୍ସବକୁ ମୋଦି ଆସିବେ କି ନାହିଁ ତାହା ରାଜନୀତିର ହଟ୍ ଟପିକ ପାଲଟିଛି । କାରଣ ନିର୍ବାଚନ ଚାଲୁଥିବା ସମୟରୁ ହିଁ ମୋଦିଙ୍କୁ ଶପଥଗ୍ରହଣ ଉତ୍ସବକୁ ଆସିବାକୁ ଆଗୁଆ ନିମନ୍ତ୍ରଣ କରିଥିଲେ ନବୀନ ।

Advertisment

ନବୀନ ଆଗୁଆ ନିମନ୍ତ୍ରଣ କରିଥିଲେ, ଏବେ ଶପଥଗ୍ରହଣ ଉତ୍ସବକୁ ଆସିବେ କି ମୋଦି । ତୃତୀୟ ପର୍ଯ୍ୟାୟ ନିର୍ବାଚନ ପରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ସ୍ପଷ୍ଟ କରିଥିଲେ ଯେ, ଓଡିଶାବାସୀଙ୍କ ଆର୍ଶୀବାଦରୁ ବିଜେଡିକୁ ବହୁମତ ମିଳି ସାରିଲାଣି । ଏହାସହ ନିର୍ବାଚନ ସଭାରୁ ହିଁ ଶପଥଗ୍ରହଣ ଉତ୍ସବରେ ଯୋଗ ଦେବାକୁ ମୋଦିଙ୍କୁ ନମ୍ରତାର ସହ ନିମନ୍ତ୍ରଣ କରିଥିଲେ ନବୀନ । ନବୀନଙ୍କ ଆଗୁଆ ନିମନ୍ତ୍ରଣ ପାଇବା ପୂର୍ବରୁ ବିଜେଡି ସରକାର ଉପରେ ବର୍ଷିଥିଲେ ମୋଦି । ଏପରିକି ୧୯ ବର୍ଷର ସରକାରକୁ ଓଡିଶାବାସୀ ସମ୍ମାନର ସହ ବିଦାୟ ଦେବେ ବୋଲି କହି ନବୀନ ସରକାରକୁ ଟାର୍ଗେଟ କରିଥିଲେ ମୋଦି । ଯାହାକୁ ନେଇ ଆରମ୍ଭ ହୋଇଥିଲା ପଲିଟିକାଲ ଡ୍ରାମା ।

ନବୀନଙ୍କ ଶପଥଗ୍ରହଣ ଉତ୍ସବ ସମ୍ପୂର୍ଣ୍ଣ ନିରାଡମ୍ବର ଭାବେ ହେବାକୁ ଥିବା ବେଳେ ଅନେକ ଜାତୀୟ ସ୍ତରର ନେତା ଏହି ଉତ୍ସବରେ ସାମିଲ ହୋଇପାରନ୍ତି । ଏପରିକି ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ମଧ୍ୟ ନବୀନଙ୍କ ଶପଥଗ୍ରହଣ ଉତ୍ସବରେ ଦେଖିବାକୁ ମିଳିପାରେ । କିନ୍ତୁ ଏସବୁ ଭିତରେ ନବୀନଙ୍କ ନିମନ୍ତ୍ରଣ ରକ୍ଷା କରି ମୋଦି ଶପଥଗ୍ରହଣ ଉତ୍ସବକୁ ଆସିବେ କି ନାହିଁ ତାହା ଉପରେ ପୂରା ରାଜ୍ୟବାସୀଙ୍କ ନଜର ରହିଛି ।